csstore

ସରକାରୀ ପରିସଂଖ୍ୟାନ ପାଇଁ ବିଗ୍ ଡାଟା ଏବଂ ଡାଟା ସାଇନ୍ସ ସଂପର୍କିତ ଜାତିସଂଘ ବିଶେଷଜ୍ଞ କମିଟିରେ ସାମିଲ ହେଲା ଭାରତ

ନୂଆଦିଲ୍ଲୀ, (ପିଆଇବି) : ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ସ୍ୱରୂପ ଭାରତ ସରକାରୀ ପରିସଂଖ୍ୟାନ ପାଇଁ ବିଗ୍ ଡାଟା ଏବଂ ଡାଟା ସାଇନ୍ସ ସଂପର୍କିତ ଜାତିସଂଘ ବିଶେଷଜ୍ଞ କମିଟିରେ ସାମିଲ ହୋଇଛି । ସରକାରୀ ପରିସଂଖ୍ୟାନ ପାଇଁ ବିଗ୍ ଡାଟା ଏବଂ ଡାଟା ସାଇନ୍ସ ସଂପର୍କିତ ଜାତିସଂଘ ବିଶେଷଜ୍ଞ କମିଟି (ୟୁଏନ୍‌-ସିଇବିଡି)ର ଗଠନ ସ୍ଥାୟୀ ବିକାଶ ଲକ୍ଷ୍ୟ ତଦାରଖ ଏବଂ ରିପୋର୍ଟିଂର ସମ୍ଭାବନା ସମେତ ବିଗ୍ ଡାଟାର ଲାଭ ଏବଂ ଆହ୍ୱାନଗୁଡିକର ଅଧିକ ଅନୁସନ୍ଧାନ କରିବା ପାଇଁ କରାଯାଇଥିଲା । ଏହି ବିଶେଷଜ୍ଞ କମିଟିରେ ଭାରତ ଅନ୍ତର୍ଭୁକ୍ତ ହେବା ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଆସିଛି, କାରଣ ଭାରତ ନିକଟରେ ଏକ ଲମ୍ବା ବ୍ୟବଧାନ ପରେ ଜାତିସଂଘ ପରିସଂଖ୍ୟାନ ପରିଷଦର ସଦସ୍ୟତା ଗ୍ରହଣ କରିଛି । ବିଶେଷଜ୍ଞ କମିଟିରେ ଭାରତର ଅନ୍ତର୍ଭୁକ୍ତି ଦେଶର ପରିସଂଖ୍ୟାନ ଇକୋସିଷ୍ଟମ୍ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହି କମିଟିର ଏକ ଅଂଶ ଭାବରେ, ଭାରତ ସରକାରୀ ପରିସଂଖ୍ୟାନ ଲାଗି ବିଗ୍ ଡାଟା ଏବଂ ଡାଟା ସାଇନ୍ସ ବ୍ୟବହାର କରିବା ଉଦ୍ଦେଶ୍ୟରେ ବିଶ୍ୱସ୍ତରୀୟ ମାନକ ଏବଂ ଅଭ୍ୟାସଗୁଡ଼ିକୁ ଆକାର ଦେବାରେ ଯୋଗଦାନ କରିବ । ଏହି ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ବିଶ୍ୱ ପରିସଂଖ୍ୟାନ ସମୁଦାୟରେ ଭାରତର ବଢୁଥିବା ପ୍ରତିଷ୍ଠା ଏବଂ ତଥ୍ୟ ଏବଂ ପ୍ରଯୁକ୍ତିବିଦ୍ୟାକୁ ଉପଯୋଗ କରି ସୁଚିନ୍ତିତ ନିଷ୍ପତ୍ତି ନେବାପାଇଁ ଭାରତର ପ୍ରତିବଦ୍ଧତାକୁ ଦର୍ଶାଉଛି । ଏହି ବିଶେଷଜ୍ଞ କମିଟିରେ ଭାରତର ସକ୍ରିୟ ଅଂଶଗ୍ରହଣ ଡାଟା ଇନୋଭେସନ ଲ୍ୟାବ୍ ସ୍ଥାପନ ଏବଂ ନୀତି ନିର୍ଦ୍ଧାରଣ ଲାଗି ସାଟେଲାଇଟ୍ ଇମେଜରୀ ଓ ମେସିନ୍ ଲର୍ଣ୍ଣିଂ ଭଳି ବିକଳ୍ପ ଡାଟା ଉତ୍ସ ଆବିଷ୍କାର ପ୍ରଭୃତି ଭାରତର ଅଭିନବ ପଦକ୍ଷେପଗୁଡ଼ିକୁ ରେଖାଙ୍କିତ କରିବ । ଏହି ଅନ୍ତର୍ଜାତୀୟ ଫୋରମରେ ଯୋଗଦାନ କରିବାର ସୁଯୋଗ ଭାରତକୁ ଏହି କ୍ଷେତ୍ରରେ ଏକ ପ୍ରମୁଖ ଅଂଶୀଦାର ଭାବରେ ଅବସ୍ଥାପିତ କରିଛି । ବିଗ୍ ଡାଟା ଏବଂ ଡାଟା ସାଇନ୍ସ କ୍ଷେତ୍ରରେ ଦେଶରେ ହୋଇଥିବା ବିକାଶକୁ ଅନ୍ତର୍ଜାତୀୟ ଲକ୍ଷ୍ୟ ସହିତ ଯୋଡ଼ିବା ନିମନ୍ତେ ବିଶେଷଜ୍ଞ କମିଟିର ସଦସ୍ୟତା ଭାରତ ପାଇଁ ଏକ ଅନନ୍ୟ ସୁଯୋଗ, ଯାହା ଡାଟା କ୍ଷେତ୍ରରେ ପରିବର୍ତ୍ତନମୂଳକ ପଦକ୍ଷେପର ନେତୃତ୍ୱ ନେବାପାଇଁ ଦେଶର କ୍ଷମତାକୁ ଦର୍ଶାଏ । ବିଗ୍ ଡାଟା ଏବଂ ଉନ୍ନତ ଡାଟା ସାଇନ୍ସ କୌଶଳ ସରକାରୀ ପରିସଂଖ୍ୟାନ ପ୍ରସ୍ତୁତି ଏବଂ ପ୍ରସାରରେ ବୈପ୍ଳବିକ ପରିବର୍ତ୍ତନ ଆଣିବାର କ୍ଷମତା ରଖୁଛି । ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସ (ଆଇଓଟି), ସାଟେଲାଇଟ୍ ଇମେଜରି ଏବଂ ଘରୋଇ କ୍ଷେତ୍ରର ଡାଟା ପ୍ରବାହ ଭଳି ଅଣ-ପାରମ୍ପରିକ ଡାଟା ଉତ୍ସଗୁଡ଼ିକୁ ସମନ୍ୱିତ କରି ଭାରତ ନୀତି ନିର୍ଦ୍ଧାରଣ ଓ ପ୍ରଶାସନ ପାଇଁ ନିଜର ପରିସଂଖ୍ୟାନ ପ୍ରକ୍ରିୟାଗୁଡ଼ିକର ଆଧୁନିକୀକରଣ, ଆକଳନର ସଠିକତା ବୃଦ୍ଧି ଓ ଠିକ ସମୟରେ ଗୁରୁତ୍ୱପୂର୍ଣ୍ଣ ଡାଟା ଉପଲବ୍ଧତାକୁ ନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛି ।
ଏହି ଯୋଗଦାନ ଭାରତର ବିଭିନ୍ନ ପ୍ରୟାସକୁ ମଧ୍ୟ ପ୍ରେତ୍ସାହିତ କରିବ :
ପରିସଂଖ୍ୟାନ ଉତ୍ପାଦନକୁ ସୁବ୍ୟବସ୍ଥିତ କରିବା : ଡାଟାର ଉପଲବ୍ଧତା ସମୟ ହ୍ରାସ କରିବା ପାଇଁ ଡାଟା ସଂଗ୍ରହ, ପ୍ରକ୍ରିୟାକରଣ ଏବଂ ବିଶ୍ଳେଷଣ କ୍ଷେତ୍ରରେ ଅଭିନବତାକୁ ଆଗେଇ ନେବ ।
ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ଉନ୍ନତି : ପ୍ରମୁଖ ସାମାଜିକ-ଅର୍ଥନୈତିକ ଆହ୍ୱାନର ମୁକାବିଲା କରି ପ୍ରମାଣ ଭିତ୍ତିକ ନିଷ୍ପତ୍ତି ପାଇଁ ନୀତି ନିର୍ଧାରକମାନଙ୍କୁ ରିୟଲ-ଟାଇମ୍ ସୂଚନା ପ୍ରଦାନ ।
ଆନ୍ତର୍ଜାତିକ ସହଯୋଗକୁ ପ୍ରୋତ୍ସାହିତ କରିବା : ଏକ ଦୃଢ଼, ଭବିଷ୍ୟତ ଅନୁକୂଳ ପରିସଂଖ୍ୟାନ ଢାଞ୍ଚା ସୃଷ୍ଟି କରିବା ପାଇଁ ଭାରତର ଦକ୍ଷତା ବାଣ୍ଟିବା ସହ ବିଶ୍ୱସ୍ତରୀୟ ସର୍ବୋତ୍ତମ ଅଭ୍ୟାସରୁ ଶିଖିବା ।
ସରକାରୀ ପରିସଂଖ୍ୟାନ ପାଇଁ ବିଗ୍ ଡାଟା ଏବଂ ଡାଟା ବିଜ୍ଞାନ ସଂପର୍କିତ ବିଶେଷଜ୍ଞ କମିଟିରେ ଭାରତର ଯୋଗଦାନ ପରିସଂଖ୍ୟାନ ସୃଷ୍ଟି ଏବଂ ପ୍ରସାରରେ ବିପ୍ଳବ ଆଣିବା ଦିଗରେ ଏକ ପଦକ୍ଷେପ, ଯାହା ଏକ ଅଧିକ ଦୃଢ ଏବଂ ଡାଟା-ସଚେତନ ବିଶ୍ୱ ଦିଗରେ ଯୋଗଦାନ କରିବ । ଏହି ମାନ୍ୟତା ବିଶ୍ୱ ପରିସଂଖ୍ୟାନ କାର୍ଯ୍ୟାବଳୀକୁ ପ୍ରଭାବିତ କରିବାରେ ଭାରତର କ୍ଷମତାକୁ ସୁଦୃଢ଼ କରିବ, ତଥ୍ୟ ଭିତ୍ତିକ ଅଭିବୃଦ୍ଧି ଏବଂ ସ୍ଥାୟୀ ବିକାଶ ପ୍ରତି ଏହାର ପ୍ରତିବଦ୍ଧତାକୁ ସୁଦୃଢ଼ କରିବ ।

jayashree
Leave A Reply

Your email address will not be published.