jayashree

ନରସିଂହଙ୍କ ସାମ୍ବାଦିକ ସମ୍ମିଳନୀ

  • ଧାନକିଣା ଅବ୍ୟବସ୍ଥା ତୁରନ୍ତ ସମାଧାନ କରନ୍ତୁ ସରକାର – ନରସିଂହ
  • ଚାଷୀଙ୍କ ସମ୍ପୁର୍ଣ୍ଣ ଅମଳ ଧାନ ୩୧୦୦ ଟଙ୍କାରେ କିଣୁ ସରକାର- ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ୧୦ ବର୍ଷ ଧରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଷ୍ଟେଣ୍ଡିଂ କମିଟି ଅଧ୍ୟକ୍ଷ ଭାବେ ବିଶେଷ କରି ଧାନକିଣାକୁ ନେଇ ବିଗତ ସରକାରକୁ ଅନେକ ଚାଷୀଙ୍କ ହୀତ ପାଇଁ ସୁପାରିଶ କରିଛି । ଏଥିରୁ ଅନେକ ସୁପାରିଶ ବିଧାନସଭାରେ ଆଲୋଚନା ହୋଇଛିି । କୌଣସି ଦଳ ଏହାକୁ ବିରୋଧ କରି ନଥିଲେ ହେଁ ସରକାର କିନ୍ତୁ ଚାଷୀଙ୍କ ହୀତ ପାଇଁ ଷ୍ଟେଣ୍ଡିଂ କମିଟି ଦ୍ୱାରା କରାଯାଇଥିବା ସୁପାରିଶ ଗୁଡାକୁ ଗ୍ରହଣ କରିନାହାନ୍ତି । ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଭାରତୀୟ ଖାଦ୍ୟ ନିଗମ ଆଇନ ୧୯୫୬ ଧାରା ୧୩ ମୁତାବକ ଚାଷୀ ଯଦି ତାର ଅମଳ ଧାନର ସର୍ବନିମ୍ନ ସହାୟକ ମୁଲ୍ୟ ପାଉନାହିଁ ତେବେ ଭାରତୀୟ ଖାଦ୍ୟ ନିଗମ ସମସ୍ତ ଧାନକୁ ଘୋଷିତ ସର୍ବନିମ୍ନ ସହାୟକ ମୁଲ୍ୟରେ କିଣିବ କିନ୍ତୁ କାହିଁକି କେଜାଣି ଗତ ବିଜେଡି ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରି ନିଜେ ଧାନ କିଣି ସର୍ବ ନିମ୍ନ ସହାୟକ ମୁଲ୍ୟର ଦୂରର କଥା କ୍ୱିଣ୍ଟାଲ ପିଛା ଅନେକ ପରିମାଣରେ କଟନି ଛଟନି କରି ଚାଷିଙ୍କୁ ହଇରାଣ କରି ଦୁର୍ନିତି କରିଛନ୍ତି । ତେଣୁ ମୋର ଅନୁରୋଧ ଏବଂ ଦାବି ଏହି ସରକାର ଏପରି କାର୍ଯ୍ୟରୁ ବିରତ ରହି ଚାଷୀଙ୍କୁ ଘୋଷଣା ମୁତାବକ ତାଙ୍କର ଧାନର ଉଚିତ୍‌ ଦାମ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ପ୍ରଦାନ କରନ୍ତୁ ବୋଲି ଆଜି ସ୍ଥାନୀୟ ସାର୍କିଟ ହାଉସ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ ମୁତାବକ ଯଦି କୌଣସି ବ୍ୟବସାୟୀ କି ବ୍ୟକ୍ତି ସରକାର ଘୋଷିତ ସର୍ବନିମ୍ନ ସହାୟକ ମୁଲ୍ୟ ଚାଷୀଙ୍କୁ ପ୍ରଦାନ ନକରେ ତେବେ ସେ ବ୍ୟକ୍ତି ବ୍ୟବସାୟିକ ଅନୁଷ୍ଠାନ ବିରୁଦ୍ଧରେ ସରକାର ଫୌଜଦାରୀ ମାମଲା ରୁଜୁ କରିବା ଦରକାର କିନ୍ତୁ ବର୍ତ୍ତମାନର ସରକାର କାହିଁକି କେଜାଣି ଚାଷିଙ୍କୁ ଉଚିତ୍‌ ମୁଲ୍ୟ ଦେଇ ଉଲଟା ଚାଷୀଙ୍କୁ ଶୋଷଣ କରୁଥିବା ଅଧିକାରୀ ଓ ମିଲ୍‌ ମାଲିକମାନଙ୍କୁ ସମର୍ଥନ କରୁଥିବା ଦେଖାଯାଉଛି । ଏହି ମର୍ମରେ ସେ ଆହୁରି ମଧ୍ୟ କହିଥିଲେ ଯେ ସରକାର ଏକର ପିଛା ମାତ୍ର ୧୩ କ୍ୱିଣ୍ଟାଲ ଧାନ କିଣିବା ପାଇଁ ସ୍ଥିର କରିଛନ୍ତି କିନ୍ତୁ ଆମ ଅଂଚଳରେ ଏକର ପିଛା ୨୫ କ୍ୱିଣ୍ଟାଲରୁ ଅଧିକ ଧାନ ଅମଳ ହେଉଛି । ତେବେ ଯଦି ସରକାର ମାତ୍ର ୧୩ କ୍ୱିଣ୍ଟାଲ ଧାନକୁ ୩୧୦୦ ଟଙ୍କା ପ୍ରଦାନ କରେ ତେବେ ବାକି ଧାନ ବିକିବା ପାଇଁ ଚାଷୀ ନିଶ୍ଚିତ ଭାବରେ ଦଲାଲଙ୍କ ଶିକାର ହେବ ଓ ବହୁତ କମ ମୁଲ୍ୟରେ ଧାନ ବିକିବା ପାଇଁ ବାଧ୍ୟ ହେବ । ଫଳରେ ସରକାର ଘୋଷଣା କରିଥିବା କ୍ୱିଣ୍ଟାଲ ପିଛା ଦରରୁ ଚାଷୀ ଯେଉଁ ଲାଭ ପାଇବା କଥା ବାକି ଧାନ ବିକିଲା ବେଳେ ପୁଣି କ୍ଷତି ସହି ଯଥା ପୂବଂମ ତଥା ପରଂମ ନ୍ୟାୟରେ କ୍ଷତି ସହିବ ବୋଲି ଶ୍ରୀ ମିଶ୍ର କହିଥିଲେ । ପୂର୍ବରୁ ୨ ବର୍ଷ ସରକାର ଜିଲ୍ଲାପାଳ ମାନଙ୍କୁ ଧାନ କିଣା ସମୟରେ କଟନି ଛଟନି ନ କରିବା ଓ ଯିଏ କରିବ ପୈଜଦାର ମାମଲା ରୁଜୁ ପାଇଁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ କ୍ଷେତ୍ର ପରିଦର୍ଶନ ବେଳେ ଜଣା ପଡୁଥିବା ପ୍ରତ୍ୟେକ ମଣ୍ଡିରେ ପ୍ରବଳ ପରିମାଣରେ କଟନି ଛଟନି ହେବା ସତ୍ତେ୍ୱ ମଣ୍ଡି ଗୁଡିକର କାଗଜ ପତ୍ରରେ ଠିକ୍ ଠିକ୍ ଦର୍ଶାଯାଉଥିଲା । ଏପରି ହେରଫେର ହେବା ସତ୍ୱେ କୌଣସି ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନ ହେବା ସରକାରଙ୍କ ଚାଷୀ ବିରୋଧି ଓ ଦୁର୍ନିତିଖୋର ମନୋଭାବକୁ ଦର୍ଶାଯାଉଛି ବୋଲି ଶ୍ରୀ ମିଶ୍ର କହିଥିଲେ । ଆହୁରି ମଧ୍ୟ ଏହି ସରକାର ଅମଳରେ ଦେଖାଯାଉଛି ଯେ ବିଶେଷ କରି କଟନୀ ଛଟନୀକୁ ନେଇ ଗତ ସରକାର ସମୟରେ ଯେତେ ହେଉଥିବା ଏବେ ତାହା ଦୁଇ ଗୁଣିତ ହେଉଛି । ମଣ୍ଡିମାନଙ୍କରେ ମିଲର୍ସଙ୍କ ଉପସ୍ଥିତି ନ ରହିବା ପାଇଁ ନିର୍ଦ୍ଦେଶ ଥିଲେ ହେଁ ମିଲର୍ସ ଉପସ୍ଥିତ ରହି ସେମାନେ ଚାହୁଁଥିବା କଟନି ଛଟନିର ପରିମାଣରେ ଜବରଦସ୍ତି ଚାଷୀକୁ ରାଜି କରାଇ ଧାନ କିଣୁଛନ୍ତି । ଏସବୁ ପ୍ରମାଣ ଥିଲେ ହେଁ ଏ ସରକାର ମନ୍ତ୍ରୀ ବିଧାୟକମାନେ ସେ ସବୁକୁ ନଜର ଅନ୍ଦାଜ କରି ଚାଷୀଙ୍କ ସରକାର କହି ବାହାସ୍ପଟ ମାରୁଛନ୍ତି । ତେଣୁ ଏ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଦାବି କରୁଛି ଯେ ଯଦି ପ୍ରକୃତରେ ଏହି ସରକାର ଚାଷୀଙ୍କ ସରକାର ତେବେ ଚାଷୀ ଅମଲ କରିଥିବା ସମସ୍ତ ଧାନକୁ ୩୧୦୦ ଟଙ୍କା ସର୍ବନିମ୍ନ ସହାୟକ ମୁଲ୍ୟ ଦେଇ କିଣୁ, ତାହା ସହ ଆଜି ପର୍ଯ୍ୟନ୍ତ ଯେତେ ପରିମାଣର କଟନି ଛଟନି କରିଛନ୍ତି ସେ ସବୁର ମୁଲ୍ୟ ଚାଷୀଙ୍କୁ ଫେରସ୍ତ କରାଯାଉ ଏବଂ କଟନି ଛଟନି ଓ ଦୁର୍ନିତିରେ ଥିବା ଅଧିକାରୀମାନଙ୍କ ବିରୁଦ୍ଧରେ ଭିଜିଲେନ୍ସ ତଦନ୍ତ କରି ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଚେତ ଆଗାମୀ ଦିନରେ ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ କଂଗ୍ରେସ ଦଳ ରାଜରାସ୍ତାକୁ ଓହ୍ଲାଇବ ଓ ସେଥି ପାଇଁ ଯଦି କୌଣସି ପ୍ରକାର ଧନ ଜିବନ କ୍ଷତି ହୁଏ ଏହି ସରକାର ଦାୟୀ ରହିବେ ବୋଲି ନରସିଂହ ମିଶ୍ର ସରକାରକୁ ଚେତେଇ ଦେଇଥିଲେ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ମନୀଷ ମିଶ୍ର, ସନ୍ତକ ବହିଦାର, ଜିଲ୍ଲା କିଶାନ ସେଲ ସଭାପତି ସାନନ୍ଦ ମିଶ୍ର, ଜିଲ୍ଲା ମୁଖପାତ୍ର ଅଜୟ ବାଲି ପ୍ରମୁଖ ମଂଚାସୀନ ଥିଲେ ।

Leave A Reply

Your email address will not be published.