jayashree

କୁଏତ ଅମୀରଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୁଏତର ଅମୀର ମହାମହିମ ଶେଖ ମେଶାଲ ଅଲ-ଅହମ୍ମଦ ଅଲ-ଜବର ଅଲ-ସବାହଙ୍କୁ ଭେଟିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ବୈଠକ ଥିଲା । ବାୟନ ପ୍ୟାଲେସରେ ପହଞ୍ଚିବା ପରେ ଶ୍ରୀ ମୋଦୀଙ୍କୁ ଆନୁଷ୍ଠାନିକ ସ୍ୱାଗତ କରାଯାଇଥିଲା ଏବଂ କୁଏତର ପ୍ରଧାନମନ୍ତ୍ରୀ ମହାମହିମ ଅହମ୍ମଦ ଅଲ-ଅବଦୁଲ୍ଲା ଅଲ-ଅହମ୍ମଦ ଅଲ-ସବା ତାଙ୍କୁ ସ୍ୱାଗତ କରିଥିଲେ । ଦୁଇ ନେତା ଉଭୟ ଦେଶ ମଧ୍ୟରେ ଦୃଢ଼ ଐତିହାସିକ ଏବଂ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ସ୍ମରଣ କରିଥିଲେ ଏବଂ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ବୃଦ୍ଧି ତଥା ଗଭୀର କରିବା ପାଇଁ ସେମାନଙ୍କର ପୂର୍ଣ୍ଣ ପ୍ରତିବଦ୍ଧତାକୁ ଦୋହରାଇଥିଲେ । ଏହି ପରିପ୍ରେକ୍ଷୀରେ, ସେମାନେ ଦ୍ୱିପାକ୍ଷିକ ସମ୍ପର୍କକୁ ଏକ “ରଣନୀତିକ ଭାଗିଦାରୀ” ସ୍ତରକୁ ଉନ୍ନୀତ କରିବାକୁ ରାଜି ହୋଇଥିଲେ । କୁଏତରେ ୧୦ ଲକ୍ଷରୁ ଅଧିକ ପ୍ରବାସୀ ଭାରତୀୟଙ୍କ କଲ୍ୟାଣ ସୁନିଶ୍ଚିତ କରିଥିବାରୁ ପ୍ରଧାନମନ୍ତ୍ରୀ ମହାମହିମ ଅମୀରଙ୍କୁ ଧନ୍ୟବାଦ ଜଣାଇଥିଲେ । କୁଏତର ବିକାଶରେ ବୃହତ ଏବଂ ସକ୍ରିୟ ଭାରତୀୟ ସମୁଦାୟର ଅବଦାନକୁ ମହାମହିମ ଅମୀର ପ୍ରଶଂସା କରିଥିଲେ । କୁଏତ ଦ୍ୱାରା ନିଜର ଭିଜନ ୨୦୩୫କୁ ପୂରଣ କରିବା ଲାଗି କରାଯାଉଥିବା ପ୍ରୟାସକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ଏବଂ ଚଳିତ ମାସ ଆରମ୍ଭରେ ଜିସିସି ଶିଖର ସମ୍ମିଳନୀର ସଫଳ ଆୟୋଜନ ଲାଗି ମହାମହିମ ଅମୀରଙ୍କୁ ଅଭିନନ୍ଦନ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ଗତକାଲି ଆରବିୟାନ ଗଲ୍ଫ କପର ଉଦ୍‌ଘାଟନୀ ସମାରୋହରେ ତାଙ୍କୁ ‘ସମ୍ମାନିତ ଅତିଥି’ ରୂପରେ ଆମନ୍ତ୍ରଣ କରିବା ଲାଗି ମଧ୍ୟ ଅମିରଙ୍କୁ କୃତଜ୍ଞତା ଜଣାଇଥିଲେ । ମହାମହିମ ଅମୀର ପ୍ରଧାନମନ୍ତ୍ରୀଙ୍କ ଭାବନା ପାଇଁ କୃତଜ୍ଞତା ବ୍ୟକ୍ତ କରିଥିଲେ ଏବଂ କୁଏତ ଓ ଉପସାଗରୀୟ କ୍ଷେତ୍ରରେ ଏକ ମୂଲ୍ୟବାନ ଭାଗିଦାର ରୂପେ ଭାରତର ଭୂମିକାକୁ ପ୍ରଶଂସା କରିଥିଲେ । ମହାମହୀମ ଅମୀର କୁଏତ ଭିଜନ ୨୦୩୫କୁ ସାକାର କରିବା ଦିଗରେ ଭାରତର ବଡ଼ ଭୂମିକା ଓ ଯୋଗଦାନ ପାଇଁ ଆଶା ବ୍ୟକ୍ତ କରିଥିଲେ । ମହାମହିମ ଅମୀରଙ୍କୁ ଭାରତ ଆସିବା ପାଇଁ ପ୍ରଧାନମନ୍ତ୍ରୀ ନିମନ୍ତ୍ରଣ କରିଥିଲେ ।

Leave A Reply

Your email address will not be published.