କେସିଙ୍ଗା, (ପ୍ରୀତେଶ ପଟେଲ) : ଲୋକ ସଂସ୍କୃତି ଓ ଆଦ୍ୟକଳାର ପ୍ରତିବିମ୍ବ ବୁଢ଼ାଡଙ୍ଗର ଲୋକ ମହୋତ୍ସବ ରବିବାର ଦିନ କେସିଙ୍ଗା ଜଗନ୍ନାଥ ମନ୍ଦିର ପଡିଆଠାରେ ମହା ସମାରୋହରେ ଉଦ୍ଘାଟିତ ହୋଇଯାଇଛି । ପ୍ରଥମ ଦିନର ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥିଭାବରେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ଯୋଗଦେଇ ଅନୁଷ୍ଠାନର ପତାକା ଉତ୍ତୋଳନ କରିଥିଲେ । ପରେ କେସିଙ୍ଗାର ଇଷ୍ଟ ଦେବୀ ମାଆ ବୁଢ଼ାଡଙ୍ଗରଙ୍କ ମନ୍ଦିରରୁ ଏକ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରି ବାହାରି ମଞ୍ଚକୁ ଆସିଥିଲା । ପୁଣି ଅପରାହ୍ନ ୩ଟା ସମୟରେ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା ଯାହାକୁ କେସିଙ୍ଗା ଥାନା ଅଧିକାରୀ ପ୍ରଦ୍ୟୁମ୍ନ ମହାପାତ୍ର ଉଦ୍ଘାଟନ କରିଥିଲେ । ପରେ ସନ୍ଧ୍ୟା ୬ ଘଣ୍ଟା ସମୟରେ ଉଦ୍ଘାଟିତ ହୋଇଥିଲା ଦର୍ଶକଙ୍କ ପ୍ରତିକ୍ଷିତ ସାଂସ୍କୃତିକ ସନ୍ଧ୍ୟା ଯାହାକୁ ଉଦ୍ଘାଟନ କରିଥିଲେ କଳାହାଣ୍ଡି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ସେହିପରି ସମ୍ମାନିତ ଅତିଥି ଭାବରେ ନଗର ପାଲ ନୃପରାଜ ଯାଦବ ଓ କେସିଙ୍ଗା ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ କୁମାର ପାଢ଼ୀ, ଅନୁଷ୍ଠାନର ସଭାପତି ସୁଶାନ୍ତ ମହାପାତ୍ରଙ୍କ ସମେତ ସମ୍ପାଦକ ଅକ୍ଷୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମ ସାଂସ୍କୃତିକ ସନ୍ଧ୍ୟାରେ ପୁରୀର ମାହାରୀ ନୃତ୍ୟ, ସମ୍ବଲପୁରର ରଙ୍ଗ ଫରୁଆ ମୟୂରଭଂଜର ଛଉ ନୃତ୍ୟ ସାଙ୍ଗକୁ ସମ୍ବଲପୁରୀ ବାଜାସାଲ ସାଙ୍ଗକୁ ବରଗଡ଼ର ଢ଼ାଳିଆଖୁସା ଓ ସଙ୍ଗୀତ ବିଚିତ୍ରା କାର୍ଯ୍ୟକ୍ରମରେ ବୁଢ଼ାଡଙ୍ଗର ମଞ୍ଚ ଦୁଲିକି ଥିଲା । ଶେଷ ପର୍ଯ୍ୟନ୍ତ ଦର୍ଶକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିବା ବେଳେ ଦର୍ଶକମାନଙ୍କ ପାଇଁ ବସିବାର ସୁବ୍ୟବସ୍ଥା ଦେଖିବାକୁ ମିଳିଥିଲା ।
Next Post