ଭୁବନେଶ୍ୱର, (କେପିଏନ୍ଏସ୍) : ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ ଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଭାରତୀୟ ରେଳବାଇ ୧୦୧ ଜଣ ଅତୁଳନୀୟ କର୍ମଚାରୀ ଏବଂ ଅଧିକାରୀଙ୍କୁ ୬୯ତମ “ଅତି ବିଶିଷ୍ଟ ରେଳ ସେବା ପୁରସ୍କାର ୨୦୨୪”ରେ ସମ୍ମାନିତ କରିଛି । ଏହି ପୁରସ୍କାର ଗୁଡ଼ିକ କେନ୍ଦ୍ର ରେଳ, ସୂଚନା ଏବଂ ପ୍ରସାରଣ ତଥା ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଏହି ଉତ୍ସବରେ ରେଳ ରାଜ୍ୟ ଏବଂ ଜଳ ଶକ୍ତି ରାଜ୍ୟମନ୍ତ୍ରୀ ଭି. ସୋମନ୍ନା, ରେଳ ରାଜ୍ୟ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ରାଜ୍ୟମନ୍ତ୍ରୀ ରବନୀତ ସିଙ୍ଗ, ରେଳବୋର୍ଡ ଅଧ୍ୟକ୍ଷ ଓ ସିଇଓ ସତୀଶ କୁମାର, ରେଳବୋର୍ଡର ସଦସ୍ୟମାନେ ଏବଂ ବିଭିନ୍ନ ରେଳ ଜୋନ ଓ ଉତ୍ପାଦନ ୟୁନିଟ୍ର ମହାପ୍ରବନ୍ଧକ ମାନେ ଉପସ୍ଥିତ ଥିଲେ । ଚଳିତ ବର୍ଷର ବିଷୟବସ୍ତୁ ‘ମେଁ ହୁଁ ଭାରତୀୟ ରେଳ’ ଭାରତୀୟ ରେଳ କର୍ମଚାରୀଙ୍କ ଅଦମ୍ୟ ସ୍ପୃହା ଏବଂ ଉତ୍ସର୍ଗୀକୃତତାକୁ ଆଲୋକିତ କରିଛି । ବ୍ୟକ୍ତିଗତ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ମଧ୍ୟରେ ପୂର୍ବତଟ ରେଳପଥର ଏନ୍. ହରିପ୍ରିୟା, ମୁଖ୍ୟ ବାଣିଜ୍ୟ ନିରୀକ୍ଷକ, ପ୍ରୋଟୋକଲ୍ ଅଧିକାରୀ ପ୍ରଦୀପ କୁମାର ଝା ଏବଂ ଟେକ୍ନିସିଆନ-୨ ସୁପ୍ରଭାତ୍ ମିତ୍ର, ସେମାନଙ୍କର ଆଦର୍ଶ ସେବା ତଥା ଉତ୍କର୍ଷତା ଓ ପ୍ରତିବଦ୍ଧତା ପାଇଁ ସମ୍ମାନିତ ହୋଇଥିଲେ । ବ୍ୟକ୍ତିଗତ ପୁରସ୍କାର ସହିତ, ଭାରତୀୟ ରେଳବାଇର ଦକ୍ଷତା, ନିରାପତ୍ତା ଏବଂ ଯାତ୍ରୀ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ବିଭିନ୍ନ ବର୍ଗର ସର୍ବୋତ୍ତମ ପ୍ରଦର୍ଶନକାରୀ ରେଳ ଜୋନ୍ ଗୁଡିକୁ ୨୨ଟି ଶିଲ୍ଡ ପ୍ରଦାନ କରାଯାଇଥିଲା । ଯେଉଁଥିରେ, ପୂର୍ବତଟ ରେଳପଥକୁ ଶ୍ରେଷ୍ଠ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ଶିଲ୍ଡର ଯୁକ୍ତ ବିଜେତା ଭାବେ ସମ୍ମାନିତ କରାଯାଇଥିଲା । ଏହି ପୁରସ୍କାର ବିତରଣ ସମାରୋହ, ଭାରତୀୟ ରେଳପଥକୁ ଅଧିକ ଦକ୍ଷ, ନିରାପଦ ଏବଂ ଯାତ୍ରୀ ଅନୁକୁଳ ସଂଗଠନ କରିବା ଦିଗରେ ରେଳ କର୍ମଚାରୀଙ୍କ ଉତ୍ସର୍ଗୀକୃତ, କଠିନ ପରିଶ୍ରମ ଏବଂ ଅତୁଳନୀୟ ଅବଦାନକୁ ସ୍ୱୀକାର କରିବା ତଥା ପାଳନ କରିବା ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିଥାଏ ।