jayashree

ନେହେରୁ ସେବା ସଂଘ ତରଫରୁ ପୋଷ୍ୟ ସନ୍ତାନ ଗ୍ରହଣ କରିନେଇଥିବା ବିଦେଶୀ ଦମ୍ପତିଙ୍କୁ ସମ୍ବର୍ଦ୍ଧନା

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ନେହେରୁ ସେବା ସଂଘ ଭବାନୀପାଟଣା ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ କଳାହାଣ୍ଡି ତରଫରୁ ଭବାନୀପାଟଣାର ପୋଷ୍ୟ ସନ୍ତାନ ଗ୍ରହଣ କରିଥିବା ଇଟାଲୀର ଦମ୍ପତି ଲୁସିଆନା ରୋସି ଓ ଲୁଇଗୀ ରୋସୋ ଏବଂ ଝିଅ ପ୍ରତୀକ୍ଷାକୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଚିନ୍ମୟ କୁମାର ଦରୱାନଙ୍କ ଦ୍ଵାରା ବିଦେଶୀ ଦମ୍ପତି ଏବଂ ପୋଷ୍ୟ ସନ୍ତାନ ଝିଅ ପ୍ରତୀକ୍ଷାକୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରକାଶ ଥାଉକି ପୋଷ୍ୟ ସନ୍ତାନ ଝିଅ ପ୍ରତୀକ୍ଷାକୁ ୨୦୧୬ ସେପ୍ଟେମ୍ବର ୨୧ ତାରିଖ ଇଟାଲୀର ଏହି ଦମ୍ପତି ନିଜର ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିନେଇଥିଲେ । ପୋଷ୍ୟ ସନ୍ତାନ ଗ୍ରହଣ କରିବାର ୮ ବର୍ଷ ପରେ ବିଦେଶରୁ ନିଜର ଜନ୍ମମାଟି କଳାହାଣ୍ଡିକୁ ପ୍ରତୀକ୍ଷା ନିଜର ମା’ ବାପା ସହିତ ମିଶି ଆସିଥିବାରୁ ଖୁସି ଅନୁଭବ କରିଛି ଓ ଇଟାଲୀରେ ଭଲରେ ରହି ପାଠ ପଢୁଥିବା ପ୍ରକାଶ କରିଥିଲେ । ଇଟାଲୀର ଏହି ଦମ୍ପତି ଝିଅ ପ୍ରତୀକ୍ଷାକୁ ପାଇ ବହୁତ ଖୁସି ବ୍ୟକ୍ତ କରିଥିଲେ । କଳାହାଣ୍ଡି ଆସିଥିବାରୁ ଏବଂ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିବାରୁ ଜିଲ୍ଲା ପ୍ରଶାସନ ଓ ନେହେରୁ ସେବା ସଂଘକୁ ପ୍ରଶଂସା କରିଥିଲେ । ଏହି ଅବସରରେ ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ମହକ ଏବଂ ଉତ୍ସାହ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଜିଲ୍ଲାର ଶିଶୁମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସି.ଡବ୍ଲୁ.ସି.ର ଅଧ୍ୟକ୍ଷ ରୂପ କିଶୋର ହୋତା, ପୂର୍ବତନ ସି.ଡବ୍ଲୁ.ସି.ର ଅଧ୍ୟକ୍ଷ ଅଜୟ କୁମାର ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ସହକାରୀ ଜିଲ୍ଲାପାଳ ମମତା ଦାସ୍, ଡି.ସି.ପି.ୟୁ. ରାଜଲକ୍ଷ୍ମୀ, ଓମ୍ ପ୍ରକାଶ ଅଗ୍ରୱାଲ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ଶିଶୁ ସୁରକ୍ଷା ୟୁନିଟର ପ୍ରୋଗ୍ରାମ ଅଫିସର ଅଂଶୁମାନବାବୁ ପରିଚାଳନା କରିଥିଲେ ଓ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.