କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଜାମ୍ମୁ-କାଶ୍ମୀରର ସୁରକ୍ଷା ଉପରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ
● ଆତଙ୍କବାଦ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶୂନ୍ୟ ସହନଶୀଳତା ନୀତି ଅନୁରୂପ, ଆମେ ଯଥାଶୀଘ୍ର ‘ଆତଙ୍କ ମୁକ୍ତ ଜାମ୍ମୁ-କାଶ୍ମୀର’ ଲକ୍ଷ୍ୟ ହାସଲ କରିବୁ
● ସମସ୍ତ ସୁରକ୍ଷା ବାହିନୀର ମିଳିତ ପ୍ରୟାସ ଦ୍ୱାରା ମୋଦୀ ସରକାର ଜାମ୍ମୁ-କାଶ୍ମୀରରେ ଆତଙ୍କବାଦ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ପ୍ରତିଷ୍ଠା କରିବାକୁ ପ୍ରତିଶ୍ରୁତିବଦ୍ଧ
● ଜାମ୍ମୁ ଓ କାଶ୍ମୀର ବିଧାନସଭା ଏବଂ ଲୋକସଭା ନିର୍ବାଚନରେ ଜନସାଧାରଣଙ୍କ ଅଭୂତପୂର୍ବ ଅଂଶଗ୍ରହଣ ଗଣତନ୍ତ୍ର ଉପରେ ସେମାନଙ୍କର ସମ୍ପୂର୍ଣ୍ଣ ବିଶ୍ୱାସକୁ ଦର୍ଶାଉଛି
● ଆତଙ୍କବାଦ ଘଟଣା, ଅନୁପ୍ରବେଶ ଏବଂ ଆତଙ୍କବାଦୀ ସଂଗଠନରେ ଯୁବବର୍ଗଙ୍କୁ ସାମିଲ କରିବା ଘଟଣାରେ ଉଲ୍ଲେଖନୀୟ ହ୍ରାସ ପାଇଁ କେନ୍ଦ୍ର ସୁରକ୍ଷା ସଂସ୍ଥାଗୁଡ଼ିକର ପ୍ରୟାସକୁ ପ୍ରଶଂସା କଲେ ସ୍ୱରାଷ୍ଟ୍ର ମନ୍ତ୍ରୀ
● ମୋଦୀ ସରକାରଙ୍କ ନିରନ୍ତର ଏବଂ ସମନ୍ୱିତ ପ୍ରୟାସ ଯୋଗୁଁ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦର ଢାଞ୍ଚା ପ୍ରାୟତଃ ସମାପ୍ତ ହୋଇଯାଇଛି
● ଜାମ୍ମୁ ଓ କାଶ୍ମୀରରୁ ଆତଙ୍କବାଦର ସମ୍ପୂର୍ଣ୍ଣ ବିଲୋପ ପାଇଁ ଏକ ସମନ୍ୱିତ ଢଙ୍ଗରେ କାର୍ଯ୍ୟ କରିବା ଲାଗି ସବୁ ସୁରକ୍ଷା ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦେଲେ ସ୍ୱରାଷ୍ଟ୍ର ମନ୍ତ୍ରୀ
● ଏରିୟା ଡୋମିନେସନ୍ ପ୍ଲାନ୍ ଓ ଜିରୋ ଟେରର୍ ପ୍ଲାନକୁ ମିଶନ ମୋଡରେ କାର୍ଯ୍ୟକାରୀ କରିବା ଉପରେ ଜୋର୍ ଦେଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଜାମ୍ମୁ-କାଶ୍ମୀରର ସୁରକ୍ଷା ଉପରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା, କେନ୍ଦ୍ର ଗୃହ ସଚିବ, ନିର୍ଦ୍ଦେଶକ (ଆଇବି), ଆର୍ଏଡବ୍ଲୁ ମୁଖ୍ୟ, ସେନା ମୁଖ୍ୟ, ଜିଓସି-ଇନ୍-ସି (ଉତ୍ତର କମାଣ୍ଡ), ଡିଜିଏମଓ, ଜାମ୍ମୁ-କାଶ୍ମୀରର ମୁଖ୍ୟ ଶାସନ ସଚିବ ଓ ଡିଜିପି, କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବଳଗୁଡ଼ିକର ମୁଖ୍ୟ ଏବଂ ଗୃହ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଯୋଗ ଦେଇଥିଲେ । ବୈଠକରେ ଉଦ୍ବୋଧନ ଦେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ, ଆତଙ୍କବାଦ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶୂନ୍ୟ ସହନଶୀଳତା ନୀତି ଅନୁରୂପ, ଆମେ ଯଥାଶୀଘ୍ର ‘ଆତଙ୍କ ମୁକ୍ତ ଜାମ୍ମୁ-କାଶ୍ମୀର’ ଲକ୍ଷ୍ୟ ହାସଲ କରିବୁ ଏବଂ ଏଥିପାଇଁ ସବୁପ୍ରକାର ସମ୍ବଳ ଯୋଗାଇ ଦିଆଯିବ । ସମସ୍ତ ସୁରକ୍ଷା ବାହିନୀର ମିଳିତ ପ୍ରୟାସ ଦ୍ୱାରା ମୋଦୀ ସରକାର ଜାମ୍ମୁ-କାଶ୍ମୀରରେ ଆତଙ୍କବାଦ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ପ୍ରତିଷ୍ଠା କରିବାକୁ ପ୍ରତିଶ୍ରୁତିବଦ୍ଧ । ଅମିତ ଶାହ କହିଥିଲେ ଯେ, ଜାମ୍ମୁ ଓ କାଶ୍ମୀର ବିଧାନସଭା ଏବଂ ଲୋକସଭା ନିର୍ବାଚନରେ ଜନସାଧାରଣଙ୍କ ଅଭୂତପୂର୍ବ ଅଂଶଗ୍ରହଣ ଗଣତନ୍ତ୍ର ଉପରେ ସେମାନଙ୍କର ସମ୍ପୂର୍ଣ୍ଣ ବିଶ୍ୱାସକୁ ଦର୍ଶାଉଛି । ଆତଙ୍କବାଦ ଘଟଣା, ଅନୁପ୍ରବେଶ ଏବଂ ଆତଙ୍କବାଦୀ ସଂଗଠନରେ ଯୁବବର୍ଗଙ୍କୁ ସାମିଲ କରିବା ଘଟଣାରେ ଉଲ୍ଲେଖନୀୟ ହ୍ରାସ ପାଇଁ କେନ୍ଦ୍ର ସୁରକ୍ଷା ସଂସ୍ଥାଗୁଡ଼ିକର ପ୍ରୟାସକୁ ସ୍ୱରାଷ୍ଟ୍ର ମନ୍ତ୍ରୀ ପ୍ରଶଂସା କରିଛନ୍ତି । କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ କହିଥିଲେ ଯେ, ମୋଦୀ ସରକାରଙ୍କ ନିରନ୍ତର ଏବଂ ସମନ୍ୱିତ ପ୍ରୟାସ ଯୋଗୁଁ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦର ଢାଞ୍ଚା ପ୍ରାୟତଃ ସମାପ୍ତ ହୋଇଯାଇଛି । ଜାମ୍ମୁ ଓ କାଶ୍ମୀରରୁ ଆତଙ୍କବାଦର ସମ୍ପୂର୍ଣ୍ଣ ବିଲୋପ ପାଇଁ ଏକ ସମନ୍ୱିତ ଢଙ୍ଗରେ କାର୍ଯ୍ୟ କରିବା ଲାଗି ସବୁ ସୁରକ୍ଷା ସଂସ୍ଥାଗୁଡ଼ିକୁ ସ୍ୱରାଷ୍ଟ୍ର ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏରିୟା ଡୋମିନେସନ୍ ପ୍ଲାନ୍ ଓ ଜିରୋ ଟେରର୍ ପ୍ଲାନକୁ ମିଶନ ମୋଡରେ କାର୍ଯ୍ୟକାରୀ କରିବା ଉପରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଜୋର୍ ଦେଇଥିଲେ ।