ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସହରର ଅଗ୍ରଣୀ କ୍ରୀଡା, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ସେୟାର’ର ସଙ୍ଗୀତ ଶାଖା ‘ସୁର ତରଙ୍ଗ’ ଆନୁକୂଲ୍ୟରେ ରାଉରକେଲା କ୍ଲବ ଠାରେ ଡିସେମ୍ବର ୧୫ ତାରିଖରେ ଅନୁଷ୍ଠିତ ମାସିକ ସଙ୍ଗୀତ କାର୍ଯ୍ୟକ୍ରମରେ ସ୍ଵର ସମ୍ରାଟ କିଶୋର କୁମାର ଓ ସ୍ଵର କୋକିଳା ଲତା ମଙ୍ଗେସକରଙ୍କୁ ସଙ୍ଗୀତମୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏଥିରେ ସ୍ଵତନ୍ତ୍ର ଅତିଥି ରୂପେ ଓଡିଆ ସିନେମା କଣ୍ଠଶିଳ୍ପୀ ବାସବଦତ୍ତା ମହାନ୍ତି ଯୋଗଦେଇ ଭାରତୀୟ ସିନେମା ଜଗତର କିମ୍ବଦନ୍ତୀ କିଶୋର କୁମାର ଓ ଲତା ମଙ୍ଗେସକରଙ୍କ ପଟ୍ଟଚିତ୍ରରେ ଭକ୍ତିଅର୍ଘ୍ୟ ଅର୍ପଣ କରିଥିଲେ । ସୁର ତରଙ୍ଗର ବରିଷ୍ଠ ସଦସ୍ୟ ଭେଙ୍କଟ ରାଓ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। । ମୀନାକ୍ଷୀ ମହାରଣାଙ୍କ କଣ୍ଠରୁ ମାଆଙ୍କ ବନ୍ଦନା ‘ସିଂହ ବାହିନୀ’ ଭଜନ ପରିବେଷଣ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । କାର୍ଯ୍ୟକ୍ରମରେ ବହୁ ଚିର ସବୁଜ ଚଳଚ୍ଚିତ୍ର ସଙ୍ଗୀତର ପରିବେଷଣ ଶ୍ରୋତାଙ୍କ ମନକୁ ବେଶ ଛୁଇଁଥିଲା ଏବଂ କାର୍ଯ୍ୟକ୍ରମ ଶେଷ ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧିରଖିଥିଲା । କାର୍ଯ୍ୟକ୍ରମରେ ନିବେଦିତା ସ୍ୱାଇଁ, ଉତ୍ତମ ଖଟୁଆ, ବନୋଜ ଦାସ, ବସନ୍ତ ସ୍ୱାଇଁ, ଜଗନ୍ନାଥ ସାହୁ, ଦିଲ୍ଲୀପ ପରିଡା, ମୀନାକ୍ଷୀ ସୁତାର, ଡକ୍ଟର ସତ୍ୟନାରାୟଣ ମିଶ୍ର, ମିନା ପଟ୍ଟନାୟକ, ମନୋଜ ମହାନ୍ତ, ମନୋଜ ଶାହା, ଭେଙ୍କଟ ରାଓ, ଶଶାଙ୍କ ପଟ୍ଟନାୟକ, ପ୍ରିୟବ୍ରତ ମିଶ୍ର ଅନେକ ଶୃତିମଧୁର ଗୀତ ପରିବେଷଣ କରିଥିଲେ । ସୁଶାନ୍ତ ଗିରି ବାଦ୍ୟ ସଙ୍ଗୀତରେ ସାକ୍ସୋଫୋନରେ ଏକ ସୁନ୍ଦର ସଙ୍ଗୀତ ପରିବେଷଣ କରି ସମସ୍ତଙ୍କ ମନ ମୋହିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଭେଙ୍କଟ ରାଓ ଓ ଜଗନ୍ନାଥ ସାହୁ ଅନୁଷ୍ଠାନର ନୂତନ ସଦସ୍ୟ ପ୍ରିୟବ୍ରତ ମିଶ୍ର, ମନୋଜ ଶାହା, ମୀନା ପଟ୍ଟନାୟକ ଓ ନବାଗତା ଉଦଘୋଷିକା ରଶ୍ମିତା ଚୌଧୁରୀଙ୍କୁ ସ୍ୱାଗତ ଜଣାଇଥିଲେ । ରାଉରକେଲାର ଲୋକପ୍ରିୟ ଉଦଘୋଷକ ଅନିଲ ମଲ୍ଲିକ ତାଙ୍କର ଚିରାଚରିତ ସୁମଧୁର ମଞ୍ଚ ସଞ୍ଚାଳନ କରି କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରିଥିଲେ । ନବାଗତା ରଶ୍ମିତା ଚୌଧୁରୀ ମଞ୍ଚ ସଞ୍ଚାଳନାରେ ସହଯୋଗ କରିଥଲେ । ଅନୁଷ୍ଠାନର ସଂସ୍ଥାପକ ଦିଲ୍ଲୀପ ପରିଡା ସମସ୍ତ କର୍ମକତ୍ର୍ତ୍ତାଙ୍କୁ ସ୍ୱାଗତ ଜଣାଇବା ସହିତ ଅନୁଷ୍ଠାନର ଲକ୍ଷ୍ୟ ଓ ଧ୍ୟେୟ ବିଷୟରେ ସୂଚନା ଦେଇଥିଲେ । ଅନୁଷ୍ଠାନର ମିଡ଼ିଆ ସହଯୋଗୀ ମନୋଜ ନାୟକ ଓ ମିଡ଼ିଆ ଲୋକସମ୍ପର୍କ ଶଶାଙ୍କ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ‘ସେୟାର’ର ଉପଦେଷ୍ଟା ସୁରେଶ ରାଉତରାୟ, କାର୍ଯ୍ୟକ୍ରମ ସଂଯୋଜକ ପ୍ରଦୀପ୍ତ ମହାନ୍ତି କାର୍ଯ୍ୟକ୍ରମକୁ ଦିଗଦର୍ଶନ ପ୍ରଦାନ କରିଥିଲେ । ନିମନ୍ତ୍ରିତ ଅତିଥି ବାସବଦତ୍ତା ମହାନ୍ତିଙ୍କ ସୁଲଳିତ କଣ୍ଠରେ ପରିବେଷିତ ଲତାଜୀଙ୍କ ଏକ ଚିର ଅଭୂଲା ସଙ୍ଗୀତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଶେଷରେ କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର ସତ୍ୟନାରାୟଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।