ସିନାପାଲି, (କେପିଏନ୍ଏସ୍) : ଶୀତଋତୁର ଆଗମନ ପରେ ଶୀତବସ୍ତ୍ରର ଚାହିଦା ବଢିଯାଏ । ହେଲେ ଗରିବ ସାଧାରଣ ମଣିଷ ଅଭାବ ଅନଟନ ମଧ୍ୟରେ ରହି ଶୀତ କାକରରେ ବଞ୍ଚିବା ପାଇଁ ବସ୍ତ୍ରଟିଏ ପାଇବା ପାଇଁ ସମ୍ବଳର ଅଭାବ ଯୋଗୁଁ ସମ୍ଭବ ହୋଇପାରେ ନାହିଁ । ଏହି ପରିପ୍ରେକ୍ଷୀରେ ବଣ ଜଙ୍ଗଲ ଘେରା ଅପହଞ୍ଚ ଇଲାକାରେ ଗରିବ ନିରୀହ ଶ୍ରେଣୀର ଲୋକଙ୍କ ପାଖରେ ପହଞ୍ଚି ଦୀର୍ଘ ବର୍ଷ ଧରି କମ୍ବଳ ବାଣ୍ଟି ପ୍ରଶଂସା ସାଉଁଟି ଥିବା ଯୁବ ସାମ୍ୱାଦିକ ରାହୁଲ ରଣା ପୁଣି ଅପହଞ୍ଚ ଇଲାକାରେ କମ୍ବଳ ବାଣ୍ଟି ପ୍ରସଂଶାର ପାତ୍ର ହୋଇଛନ୍ତି । ପ୍ରକାଶ ଯୋଗ୍ୟ ଯେ, ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସୀମାନ୍ତ ଅପହଞ୍ଚ ଅଞ୍ଚଳରେ ନଙ୍ଗଲବୋର୍ଡ ଗ୍ରାମ ପଞ୍ଚାୟତର ଗୋଲାବେଡା ଗ୍ରାମ ଅବସ୍ଥିତ । ଏହି ଗ୍ରାମ ଅନେକ ମୌଳିକ ସୁବିଧାରୁ ବଞ୍ଚିତ ରହିଥିବା ବେଳେ ଗରିବ ଶ୍ରେଣୀର ଲୋକେ ବସବାସ କରୁଛନ୍ତି । ଅଭାବ ଅନଟନ ମଧ୍ୟରେ ନିଜର ଗୁଜୁରାଣ ମେଣ୍ଟାଇବା ସହ ନିରୀହ ଜୀବନ ଅତିବାହିତ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଶୀତ ଦାଉରୁ ରକ୍ଷା ପାଇଁ ଯୁବ ସାମ୍ୱାଦିକ ଆଗେଇ ଆସି ଗ୍ରାମର ବୃଦ୍ଧବୃଦ୍ଧା ତଥା ବିଧବା ଓ ନିରୀହ ଶ୍ରେଣୀର ଲୋକଙ୍କ ପାଇଁ ଶୀତବସ୍ତ୍ର ବଣ୍ଟନ କରିଛାନ୍ତି । ସାମ୍ୱାଦିକ ଜଣକ ଦୀର୍ଘ ୫ ବର୍ଷ ଧରି ଏହି ସେବାକାର୍ଯ୍ୟ ଜାରି ରଖିଥିବା ବେଳେ ଆଗକୁ ଏହି କାର୍ଯ୍ୟ ଜାରି ରଖିବା ପାଇଁ ଶ୍ରୀ ରଣା ପ୍ରକାଶ କରିଛନ୍ତି । କମ୍ବଳ ବଣ୍ଟନ ଅବସରରେ ନଙ୍ଗଲବୋର୍ଡ ସରପଞ୍ଚ ଜଗଦୀଶ ମାଝି, ସମିତି ସଭ୍ୟ ଡିଙ୍ଗର ମାଝି, ସମାଜସେବୀ ଦାଦୁ ଖାଁ, ହଳଧର ମାଝି, ୱାର୍ଡ ସଭ୍ୟ ତ୍ରିଲୋଚନ ମାଝିଙ୍କ ସମେତ ସିନାପାଲି ବ୍ଲକର ସମସ୍ତ ସାମ୍ୱାଦିକ, ସ୍ଥାନୀୟ ଗ୍ରାମବାସୀ ଉପସ୍ଥିତ ରହିଥିଲେ ।