କେସିଙ୍ଗା, (ପ୍ରୀତେଶ ପଟେଲ) : ଗତ କିଛିଦିନ ତଳେ ଚୋରି ଅଭିଯୋଗର ୨୪ ଘଣ୍ଟା ଭିତରେ ଚୋର ମାନଙ୍କୁ ଧରି ନିଜର କାର୍ଯ୍ୟଦକ୍ଷତା ବଳରେ ସହରବାସୀଙ୍କ ବିଶ୍ୱାସର ପାତ୍ର ହୋଇଥିବା କେସିଙ୍ଗା ପୋଲିସ ଆଜି ସମାଲୋଚନାର ପାତ୍ର ହୋଇଛି । ଗତ ରବିବାର କେସିଙ୍ଗା ସହରର ଏକ ବିଶିଷ୍ଟ ବ୍ୟବସାୟୀଙ୍କ ଘରୁ ୧୫ ଭରି ସୁନା ଓ ୧୦ଲକ୍ଷ ଟଙ୍କା ଚୋରି ହୋଇଥିବା ଘଟଣାର ମାତ୍ର ଦୁଇ ଦିନ ହୋଇଥିବା ବେଳେ କାଲି ସହରର ଦୁଇଟି ଦୋକାନ ସଟର ଭାଙ୍ଗି ଚୋର ଚୋରି କରିବା ଘଟଣାକୁ ନେଇ ସହରବାସୀ ଚିନ୍ତିତ ହୋଇପଡିଛନ୍ତି । ଲଗାତାର ତିନି ଦିନ ଭିତରେ ତିନୋଟି ଜାଗାରୁ ଚୋରି କରି ପୋଲିସର ନିଦ ହଜାଇବା ସହିତ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଚୋର । ସୂଚନା ଅନୁସାରେ କେସିଙ୍ଗା ସହରର ଏନ୍ଏସି ନିକଟସ୍ଥ ସୁବାସ କ୍ଲଥ ଷ୍ଟୋର ଓ ପୁରୁଣା ସିନେମା ହଲ୍ ନିକଟସ୍ଥ ଜଗଦମ୍ବା ଚପଲ ଦୋକାନରୁ ଗତ ରାତିରେ ସଟର ଭାଙ୍ଗି ଚୋରି କରିନେଇଛନ୍ତି ଚୋର । କେସିଙ୍ଗା ଆଦର୍ଶ ଥାନାର ହୋମଗାର୍ଡ ଓ ପେଟ୍ରୋଲିଂ ଗାଡି ରାତି ତମାମ୍ ସହର ସାରା ପଇଁତରା ମାରୁଥିବା ବେଳେ ଚୋରି ବିଷୟରେ ଟେର୍ ନ ପାଇବା ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପଟେ ଜଗଦମ୍ବା ଚପଲ ଦୋକାନରୁ ମାତ୍ର କିଛି ଦୂରରେ ଥିବା ତ୍ରିମୂତ୍ତି କପଡ଼ା ଦୋକାନ ନିକଟରେ ରାତିରେ ହୋମଗାର୍ଡ ମାନେ ରାତ୍ରି ଯାପନ କରୁଥିବା ଅନେକ ସମୟରେ ଦେଖାଯାଏ । ମାତ୍ର କିଛି ବାଟରେ ସହରକୁ ଜଗିଥିବା ପୋଲିସ କେମିତି ଏହି ଚୋରି ବିଷୟରେ ଜାଣି ପାରିଲେ ନାହିଁ ଏହାକୁ ନେଇ ସହରବାସୀ ପ୍ରଶ୍ନ ଉଠାଇଛନ୍ତି । କାଲି ସନ୍ଧ୍ୟାରୁ ସକାଳ ପର୍ଯ୍ୟନ୍ତ ଷ୍ଟ୍ରିଟ ଲାଇଟ୍ ମଧ୍ୟ ବନ୍ଦ ଥିଲା । ଶୀତୁଆ ରାତିର ଅନ୍ଧାରରେ ଫାଇଦା ନେବା ପାଇଁ ଚୋର ଚେଇଁ ରହିଥିବା ବେଳେ ପୋଲିସ ଶୋଇ ରହିଛି ବୋଲି ସହର ସାରା ଚର୍ଚ୍ଚା ଜୋର୍ ଧରିଛି । ଯାହା ବି ହେଉ ସହରରେ ଲଗାତାର ଭାବରେ ଚୋରି ବଢ଼ିଚାଲିଥିବା ବେଳେ ଆଜିର ଏହି ଘଟଣା ପୋଲିସର ନିଦ ହଜାଇ ଦେଇଥିବା ମନେ ହେଉଛି । କେବେ ଏହି ଚୋରି ଘଟଣା ଗୁଡ଼ିକ ଉପରୁ ପୋଲିସ ପରଦା ଉଠାଇବାରେ ସଫଳ ହେବ ତାହା ଦେଖିବାକୁ ବାକି ରହିଲା ।