- ଗାଁରେ ଅତ୍ୟନ୍ତ ଶୋକାକୁଳ ପରିବେଶ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : କର୍ଣ୍ଣାଟକ ରାଜ୍ୟର ରାଜଧାନୀ ବାଙ୍ଗାଲୋର ଅଞ୍ଚଳକୁ କାମ କରିବାକୁ ମାତ୍ର ୨୦ଦିନ ତଳେ ଅନ୍ୟମାନଙ୍କ ସହ ଯାଇଥିବା ସାରସପଡା ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ ମୃତଦେହ ଗାଁକୁ ପହଞ୍ଚିବା ପରେ ଗାଁରେ ଅତ୍ୟନ୍ତ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଡଙ୍ଗରପଡ଼ା ପଞ୍ଚାୟତ ସାରସପଡ଼ା ଗ୍ରାମର ଉମାକାନ୍ତ ପଧାନଙ୍କ ସାନପୁଅ କିଶୋର ପଧାନ(୩୬) ଗତ ୩୧/୧୦/୨୪ରେ ଅଧିକ ରୋଜଗାର ପାଇଁ ବାଙ୍ଗାଲୋର ଅଞ୍ଚଳକୁ ଦାଦନ ଶ୍ରମିକ ଭାବେ ଯାଇଥିଲେ । ସେଠାରେ ସେ ଏକ ସିକ୍ୟୁରିଟି କମ୍ପାନୀରେ କାମ କରୁଥିବା ବେଳେ ଗତ ୨୧/୧୧/୨୪ ରାତିରେ ସେ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ସିକ୍ୟୁରିଟି କମ୍ପାନୀ ଓ ସାଙ୍ଗରେ ଥିବା ଅନ୍ୟ ଶ୍ରମିକମାନେ ନିକଟସ୍ଥ ୟାଲାହାଙ୍କା ମେଡିକାଲକୁ ନେଇଥିବା ବେଳେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କର୍ଣ୍ଣାଟକ ରାଜ୍ୟ ସରକାର ଏ ସଂକ୍ରାନ୍ତରେ ଓଡ଼ିଶା ସରକାରଙ୍କୁ ସୂଚନା ଦେଇଥିଲେ । ରାଜ୍ୟ ଶ୍ରମବିଭାଗ ପକ୍ଷରୁ ବଲାଙ୍ଗିର ଜିଲ୍ଲା ପ୍ରଶାସନକୁ ଅବଗତ କରାଯିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଙ୍ଗାଲୋରରୁ ମୃତଦେହକୁ ଆଣିବାର ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଥିଲା । ସେଠାରୁ ମୃତ କିଶୋରଙ୍କ ଶବକୁ ବିମାନ ଯୋଗେ(ଏଆର୍ ଲିଫ୍ଟ )କରାଯାଇ ପ୍ରଥମେ ରାୟପୁର ଅଣାଯିବା ପରେ ଆମ୍ବୁଲାନ୍ସ ଯୋଗେ ଗାଁକୁ ଅଣାଯାଇଥିଲା । ଶନିବାର ମଧ୍ୟରାତ୍ରିରେ ଘରେ ମୃତଦେହ ପହଞ୍ଚିବା ପରେ ଗାଁରେ ଅତ୍ୟନ୍ତ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ୪ ବର୍ଷ ତଳେ ବିବାହ କରିଥିବା ମୃତ କିଶୋରଙ୍କ ଘରେ ତାଙ୍କ ପତ୍ନୀ ରିଶ୍ନା ଓ ତାଙ୍କର ଏକ ତିନିବର୍ଷର ପୁଅ ଥିବା ଜଣାପଡିଛି । ରବିବାର ମୃତଦେହକୁ ପରିବାର, ଆତ୍ମୀୟସ୍ୱଜନ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ଶବସତ୍କାର କରାଯାଇଥିଲା । ବଡଭାଇ ହୁତାଶନ ପଧାନ ମୁଖାଗ୍ନୀ ଦେଇଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ମୁରିବାହାଲ ବ୍ଲକର ଅତିରିକ୍ତ ଶ୍ରମ ଅଧିକାରୀ ରଜନୀକାନ୍ତ ଛତ୍ରିଆ, ଅତିରିକ୍ତ ଶ୍ରମ ଅଧିକାରୀ ବିନୋଦ ନାୟକ, ଅତିରିକ୍ତ ଶ୍ରମ ଅଧିକାରୀ କେଶବ ବେହେରା, ବଙ୍ଗୋମୁଣ୍ଡା ଥାନା ପୁଲିସ୍ ଓ ସ୍ୱେଚ୍ଛାସେବୀ ଯୁଧିଷ୍ଠିର ଭରାସଗରିଆଙ୍କ ଉପସ୍ଥିତିରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଥିଲା । ମୃତକ ଜଣଙ୍କ ଜଣେ ଅତ୍ୟନ୍ତ ମେଲାପୀ ଓ ଚିହ୍ନା ପରିଚିତ ଯୁବକ ହୋଇଥିବାରୁ ମୁରିବାହାଲ, ବଙ୍ଗୋମୁଣ୍ଡା ଓ କଣ୍ଟାବାଞ୍ଜି ସମେତ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମୃତ କିଶୋର ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ତାଙ୍କ ପରିବାରବର୍ଗଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।