jayashree

କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ ୨୫ ନଭେମ୍ବର ୨୦୨୪ରେ ନୂଆଦିଲ୍ଲୀଠାରେ ଲିଙ୍ଗ ଭିତ୍ତିକ ହିଂସା ବିରୋଧରେ ଏକ ଜାତୀୟ ଅଭିଯାନ – ‘ନଇ ଚେତନା ୩.୦ – ପହଲ ବଦଲାଓ କୀ’ର ଶୁଭାରମ୍ଭ କରିବେ

• ଉନ୍ମୋଚନ ଉତ୍ସବରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ
• ନଇ ଚେତନା ଅଭିଯାନର ଉଦ୍ଦେଶ୍ୟ ହେଉଛି ତୃଣମୂଳ ସ୍ତରୀୟ ପଦକ୍ଷେପ ମାଧ୍ୟମରେ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ସଚେତନତା ବୃଦ୍ଧି କରିବା ଏବଂ ସଚେତନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା
• ଚଳିତ ବର୍ଷ ଅଭିଯାନର ବାର୍ତ୍ତା ହେଉଛି “ଏକ ସାଥ, ଏକ ଆୱାଜ, ହିଂସା କେ ଖିଲାଫ”
• ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ତତ୍ତ୍ୱାବଧାନରେ ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା – ଜାତୀୟ ଗ୍ରାମୀଣ ଜୀବିକା ମିଶନ ଦ୍ୱାରା ଏକ ମାସ ବ୍ୟାପୀ ଅଭିଯାନ ଆୟୋଜନ କରାଯାଇଛି
• ଡିଏୱାଇ-ଏନ୍‌ଆର୍‌ଏଲ୍‌ଏମ୍‌ର ବ୍ୟାପକ ସ୍ୱୟଂ ସହାୟକ ଗୋଷ୍ଠୀ ନେଟୱର୍କ ନେତୃତ୍ୱରେ ଏହି ଅଭିଯାନ ଜନ ଆନ୍ଦୋଳନର ଭାବନାକୁ ପ୍ରତିଫଳିତ କରୁଛି ଏବଂ ଏଥିରେ ୯ଟି ମନ୍ତ୍ରଣାଳୟ / ବିଭାଗର ଅଂଶଗ୍ରହଣ ଦେଖିବାକୁ ମିଳିବ
• ଏହି ଅଭିଯାନର ପ୍ରଥମ ସଂସ୍କରଣ ୩.୫ କୋଟି ଲୋକଙ୍କ ପାଖରେ ପହଞ୍ଚିଥିବା ବେଳେ ଦ୍ୱିତୀୟ ସଂସ୍କରଣରେ ୩୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୫.୫ କୋଟି ଅଂଶଗ୍ରହଣକାରୀଙ୍କୁ ସାମିଲ କରାଯାଇଥିଲା

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଏବଂ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ୨୫, ନଭେମ୍ବର ୨୦୨୪ରେ ନୂଆଦିଲ୍ଲୀର ସଂସଦ ମାର୍ଗସ୍ଥିତ ଆକାଶବାଣୀ ରଙ୍ଗଭବନ ଅଡିଟୋରିୟମରେ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ଏକ ଜାତୀୟ ଅଭିଯାନ ‘ନଇ ଚେତନା- ପହଲ ବଦଲାଓ କୀ’ର ତୃତୀୟ ସଂସ୍କରଣକୁ ଶୁଭାରମ୍ଭ କରିବେ । ଲିଙ୍ଗଭିତ୍ତିକ ହିଂସାକୁ ଦୂର କରିବା ପାଇଁ ସରକାରଙ୍କ ମିଳିତ ପ୍ରୟାସରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ତତ୍ତ୍ୱାବଧାନରେ ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା- ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଡିଏୱାଇ-ଏନ୍‌ଆର୍‌ଏଲ୍‌ଏମ୍‌) ଦ୍ୱାରା ଆୟୋଜିତ ଏହି ଅଭିଯାନ ୨୩ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ସମସ୍ତ ଭାରତୀୟ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଚାଲିବ । ଡିଏୱାଇ-ଏନ୍‌ଆର୍‌ଏଲ୍‌ଏମ୍‌ର ବ୍ୟାପକ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ନେଟୱର୍କ ନେତୃତ୍ୱରେ ଏହି ପଦକ୍ଷେପ ଜନ ଆନ୍ଦୋଳନର ଭାବନାକୁ ପ୍ରତିଫଳିତ କରୁଛି । ଏହି ଅଭିଯାନ “ସମଗ୍ର ସରକାରୀ” ଆଭିମୁଖ୍ୟର ଭାବନାରେ ଏକ ସହଯୋଗୀ ପ୍ରୟାସ ଏବଂ ଏଥିରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ, ଗୃହ ମନ୍ତ୍ରଣାଳୟ, ପଞ୍ଚାୟତିରାଜ ମନ୍ତ୍ରଣାଳୟ, ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ମନ୍ତ୍ରଣାଳୟ, ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ନ୍ୟାୟ ବିଭାଗ ଭଳି ୯ଟି ମନ୍ତ୍ରଣାଳୟ/ବିଭାଗ ଅଂଶଗ୍ରହଣ କରିବେ । ନଇ ଚେତନା ଅଭିଯାନର ଉଦ୍ଦେଶ୍ୟ ହେଉଛି ସଚେତନତା ବୃଦ୍ଧି କରିବା ଏବଂ ତୃଣମୂଳ ସ୍ତରୀୟ ପଦକ୍ଷେପ ମାଧ୍ୟମରେ ଲିଙ୍ଗ ଭିତ୍ତିକ ହିଂସା ବିରୋଧରେ ସଚେତନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା । ଆରମ୍ଭରୁ ନଇ ଚେତନା ଦେଶବ୍ୟାପୀ ଲକ୍ଷ ଲକ୍ଷ ଲୋକଙ୍କୁ ଏକାଠି କରିଛି, ଲିଙ୍ଗଗତ ସମାନତା ଏବଂ ମହିଳା ସଶକ୍ତୀକରଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନକୁ ପ୍ରୋତ୍ସାହିତ କରିଛି । ଏହାର ପ୍ରଥମ ସଂସ୍କରଣରେ ୩.୫ କୋଟି ଲୋକ ଯୋଗ ଦେଇଥିବା ବେଳେ ନଇ ଚେତନା ୨.୦ରେ ୩୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୫.୫ କୋଟି ଅଂଶଗ୍ରହଣକାରୀ ସାମିଲ ହୋଇଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଦେଶବ୍ୟାପୀ ଲିଙ୍ଗଭିତ୍ତିକ ହିଂସା ଉପରେ ୯ ଲକ୍ଷରୁ ଅଧିକ ସଚେତନତା କାର୍ଯ୍ୟାକ୍ରମ ଅନୁଷ୍ଠିତ ହୋଇଥିଲା । ‘ନଇ ଚେତନା ୩.୦’ର ଉଦ୍ଦେଶ୍ୟ ଗୁଡ଼ିକ ହେଲା ସମସ୍ତ ପ୍ରକାର ଲିଙ୍ଗଭିତ୍ତିକ ହିଂସା ବିଷୟରେ ସଚେତନତା ସୃଷ୍ଟି କରିବା, ଜନସମାଜକୁ ମୁହଁ ଖୋଲିବା ଏବଂ କାର୍ଯ୍ୟାନୁଷ୍ଠାନ ଦାବି କରିବାକୁ ଉତ୍ସାହିତ କରିବା, ଠିକ୍ ସମୟରେ ସହାୟତା ପାଇଁ ସହାୟତା ବ୍ୟବସ୍ଥା ଉପଲବ୍ଧ କରାଇବା ଏବଂ ସ୍ଥାନୀୟ ଅନୁଷ୍ଠାନଗୁଡ଼ିକୁ ହିଂସା ବିରୁଦ୍ଧରେ ନିର୍ଣ୍ଣାୟକ ଭାବରେ କାର୍ଯ୍ୟ କରିବା ନିମନ୍ତେ ସଶକ୍ତ କରିବା । ଏହି ଅଭିଯାନର ବାର୍ତ୍ତା,”ଏକ ସାଥ, ଏକ ଆୱାଜ, ହିଂସା କେ ଖିଲାଫ” ସମଗ୍ର ସମାଜ ଏବଂ ସମଗ୍ର ସରକାରୀ ଆଭିମୁଖ୍ୟ ଗ୍ରହଣ କରି ସମନ୍ୱିତ ପ୍ରୟାସ ମାଧ୍ୟମରେ ସାମୂହିକ ପଦକ୍ଷେପ ନେବାର ଆହ୍ୱାନକୁ ପ୍ରତିଫଳିତ କରେ ।

Leave A Reply

Your email address will not be published.