pr

ଗନ୍ଧମାର୍ଦ୍ଦନରେ ଖଣି ଖନନ ହେବ ନାହିଁ ବୋଲି ରାଜ୍ୟ ସରକାର ଏକ ଘୋଷଣାପତ୍ର ଜାରି କରନ୍ତୁ : ପ୍ରମୋଦ କୁମାର ମିଶ୍ର

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗନ୍ଧମାର୍ଦ୍ଦନ ହେଉଛି କୋସଳାଞ୍ଚଳର ସ୍ୱାଭିମାନର ପ୍ରତୀକ । ପୁରାଣ ପ୍ରସିଦ୍ଧ ଏହି ଗନ୍ଧଗିରିକୁ ରାମାୟଣ ଯୁଗରେ ବୀର ହନୁମାନ ଉଠେଇ ଆଣିଥିଲେ ଓ ତହିଁରୁ ବିଷଲ୍ୟକରଣୀ ଆଣି ପ୍ରଭୁ ଲକ୍ଷ୍ମଣଙ୍କୁ ଜୀବନ୍ୟାସ ଦିଆଗଲା । ପ୍ରାକୃତିକ ଶୋଭାରାଜୀରେ ପରିପୂର୍ଣ୍ଣ ଏହି ପର୍ବତର ଉଭୟ ପାର୍ଶ୍ୱରେ ପ୍ରଭୁ ହରିଶଙ୍କର ଓ ମାର୍ଜାକେଶରୀ ପୂଜିତ ହେଉଛନ୍ତି । କୋଟି କୋଟି ଲୋକଙ୍କ ଆଶା ଓ ବିଶ୍ୱାସର ପିଠସ୍ଥଳୀ ଏହି ପର୍ବତ ତା’ର ଜୈବବିବିଧତା ଓ ସେଠାରେ ଥିବା ବହୁଳ ପରିମାଣର ଔଷଧୀୟ ବୃକ୍ଷ ଓ ଗୁଳ୍ମରାଜି ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ ଅଟେ । ଏହା ଛଡା ଏହି ପର୍ବତରୁ ନିଃସୃତ ଝରଣା ସମୂହର ନିର୍ମଳ ପାଣି ପର୍ବତର ଉଭୟପଟରେ ଥିବା ଲୋକଙ୍କ ପାନୀୟ ଜଳ ଓ ଚାଷ ପାଇଁ ବ୍ୟବହୃତ ହୁଏ । ଏହି ପର୍ବତର ଉଭୟ ପଟରେ ରହୁଥିବା ଲକ୍ଷ ଲକ୍ଷ ଲୋକ ଏହା ଉପରେ ନିର୍ଭର କରି ସେମାନଙ୍କ ଜୀବନ-ଜୀବିକା ନିର୍ବାହ କରୁଛନ୍ତି । କିନ୍ତୁ ବିଡମ୍ବନାର ବିଷୟ ଏହି ଯେ, ଏହି ପର୍ବତରେ ଗଛିତଥିବା ପ୍ରଚୁର ପରିମାଣର ବକ୍ସାଇଟକୁ ଆଖି ଆଗରେ ରଖି ଏଠାରୁ ଖଣି ଉତ୍ତୋଳନ କରିବା ପାଇଁ ବାରମ୍ବାର ଉଦ୍ୟମ ଚାଲିଛି । ଅଶୀଦଶକରେ ଏହି ପର୍ବତରେ ଖଣିଖନନ କରିବା ପାଇଁ ତତ୍କାଳୀନ କଂଗ୍ରେସ ସରକାର ବାଲକୋ କମ୍ପାନୀକୁ ଲିଜରେ ଦେଇଥିଲେ । କିନ୍ତୁ ପ୍ରବଳ ଜନ ଆନ୍ଦୋଳନ ଯୋଗୁଁ ଖଣି ଖନନ ବନ୍ଦ ରହିଥିଲା । ପରବର୍ତ୍ତୀ ସମୟରେ ବିଜେଡି ସରକାର ଅମଳରେ ମଧ୍ୟ ବିଭିନ୍ନ କମ୍ପାନୀକୁ ଡାକି ରାଜ୍ୟ ସରକାର ଖଣି ଲିଜ ଦେବାପାଇଁ ପ୍ରୟାସ କରିଥିଲେ କିନ୍ତୁ ପ୍ରବଳ ଜନ ପ୍ରତିକ୍ରିୟା ଯୋଗୁଁ ସକ୍ଷମ ହେଇପାରିନଥିଲେ । ଇତି ମଧ୍ୟରେ ଆଦାନୀ ଗ୍ରୁପ ଗନ୍ଧମାର୍ଦ୍ଦନ ଅଂଚଳରେ ପ୍ରାୟ ସାଢେ ୧୮ ଏକର ଜମି କିଣି ଥିବାରୁ ତଥା ପାଟଣାଗଡ଼ ଠାରେ ବିମାନ ବନ୍ଦର ସ୍ଥାପିତ ହେବବୋଲି ଘୋଷଣା ହେଲାପରେ ବର୍ତମାନର ସରକାର ଗନ୍ଧମାର୍ଦ୍ଦନରୁ ଖଣିଖନନ ପାଇଁ ଆଦାନୀ ଗ୍ରୁପକୁ ଲିଜରେ ଦେଇଛି ବୋଲି ଚର୍ଚ୍ଚା ଜୋରରେ ଧରିଛି । ଏଥିପାଇଁ ବିଭିନ୍ନ ସ୍ଥାନରେ ପ୍ରତିବାଦ ସଭା ମାନ ମଧ୍ୟ ଆରମ୍ଭ ହୋଇଯାଇଛି । ଇତିମଧ୍ୟରେ ବରଗଡର ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ଗନ୍ଧମାର୍ଦ୍ଦନରେ ଖଣିଖନନ ହେବନାହିଁ ବୋଲି ଏକ ସଭାରେ କହିଛନ୍ତି । ଠିକ ସେହିଭଳି ପାଟଣାଗଡ଼ ବିଧାୟକ ତଥା ଉପ ମୁଖ୍ୟମନ୍ତ୍ରୀ କେ. ଭି. ସିଂହଦେଓ ମଧ୍ୟ ସମାନ କଥା କହିଛନ୍ତି । ତେଣୁ ରାଜ୍ୟ ସରକାର ଯଦି ଗନ୍ଧମାର୍ଦ୍ଦନରୁ ବାସ୍ତବରେ ଖଣି ଉତ୍ତୋଳନ ଚାଁହୁନାହାନ୍ତି, ତେବେ ରାଜ୍ୟ ସରକାର ଗନ୍ଧମାର୍ଦ୍ଦନରେ କୌଣସି ଖଣି ଖନନ ହେବ ନାହିଁ ବୋଲି ଏକ ସରକାରୀ ଘୋଷଣାନାମା ଜାରି କରିବା ପାଇଁ କୋଶଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ଏଥିସହିତ ଗନ୍ଧମାର୍ଦ୍ଦନକୁ ଜାତୀୟ ପିଠସ୍ଥଳୀ ରୂପେ ଘୋଷଣା କରିବାକୁ ଶ୍ରୀ ମିଶ୍ର ଦାବି କରିଛନ୍ତି ।

nrusinghnath
Leave A Reply

Your email address will not be published.