jayashree

ରତନ ଟାଟାଙ୍କ ବ୍ୟକ୍ତିତ୍ୱ ଅନେକ ପିଢ଼ି ପାଇଁ ପ୍ରେରଣା

ନୂଆଦିଲ୍ଲୀ, (ପିଆଇବି) : ରତନ ଟାଟା ଆମକୁ ଛାଡ଼ି ଚାଲିଯିବାର ଗୋଟିଏ ମାସ ବିତିଗଲାଣି । କୋଳାହଳପୂର୍ଣ୍ଣ ମହାନଗର ଓ ଛୋଟ ସହର ଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ, ତାଙ୍କର ଅନୁପସ୍ଥିତି ସମାଜର ପ୍ରତ୍ୟେକ ସ୍ତରରେ ଅନୁଭୂତ ହେଉଛି । ବିଶିଷ୍ଟ ଶିଳ୍ପପତି, ଯୁବ ଉଦ୍ୟୋଗୀ ଏବଂ କଠିନ ପରିଶ୍ରମ କରୁଥିବା ପେସାଦାରମାନେ ତାଙ୍କ ବିୟୋଗରେ ଶୋକାଭିଭୂତ ହୋଇପଡ଼ିଛନ୍ତି । ପରିବେଶକୁ ନେଇ ଯତ୍ନଶୀଳ ଏବଂ ଦାନପୂଣ୍ୟରେ ଆଗ୍ରହୀ ଥିବା ଲୋକମାନେ ମଧ୍ୟ ଅନୁରୂପ ଭାବେ ଦୁଃଖିତ । ତାଙ୍କର ଅନୁପସ୍ଥିତି କେବଳ ଦେଶରେ ନୁହେଁ ବରଂ ସାରା ବିଶ୍ୱରେ ଗଭୀର ଭାବେ ଅନୁଭୂତ ହେଉଛି । ଯୁବପିଢ଼ିଙ୍କ ପାଇଁ ରତନ ଟାଟା ଏକ ପ୍ରେରଣା ଥିଲେ । ସ୍ୱପ୍ନକୁ ସାକାର କରିବା ସମ୍ଭବ ଏବଂ କରୁଣା ଓ ବିନମ୍ରତାର ସହ ସଫଳତା ହାସଲ କରାଯାଇପାରିବ, ଏହା ସେ ଶିଖାଇଥିଲେ । ଅନ୍ୟମାନଙ୍କ ପାଇଁ ସେ ଭାରତୀୟ ଉଦ୍ୟୋଗ ଜଗତର ଶ୍ରେଷ୍ଠ ପରମ୍ପରାକୁ ପ୍ରତିନିଧିତ୍ୱ କରୁଥିଲେ । ସଚ୍ଚୋଟତା, ଉତ୍କର୍ଷ ଏବଂ ସେବା ମୂଲ୍ୟବୋଧ ପ୍ରତି ତାଙ୍କର ଦୃଢ଼ ପ୍ରତିବଦ୍ଧତା ପାଇଁ ସେ ପରିଚିତ । ତାଙ୍କ ନେତୃତ୍ୱରେ, ଟାଟା ଗ୍ରୁପ୍ ନୂଆ ଉଚ୍ଚତା ଛୁଇଁଥିଲା ଏବଂ ସାରା ବିଶ୍ୱରେ ସମ୍ମାନ, ସଚ୍ଚୋଟତା ଓ ବିଶ୍ୱସନୀୟତାର ପ୍ରତୀକ ପାଲଟିଥିଲା । ଏହା ସତ୍ତ୍ୱେ ସେ ବିନମ୍ରତା ଓ ଉଦାରତା ସହିତ ନିଜର ସଫଳତାକୁ ଅତି ହାଲୁକା ଭାବେ ନେଇଥିଲେ । ଅନ୍ୟମାନଙ୍କ ସ୍ୱପ୍ନ ପ୍ରତି ରତନ ଟାଟାଙ୍କ ଅତୁଟ ସମର୍ଥନ ତାଙ୍କର ସବୁଠୁ ଶ୍ରେଷ୍ଠ ଗୁଣ ଥିଲା । ଗତ କିଛି ବର୍ଷ ମଧ୍ୟରେ ସେ ଭାରତୀୟ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ମାର୍ଗଦର୍ଶନ କରିଥିଲେ ଏବଂ ଅନେକ ସମ୍ଭାବନାପୂର୍ଣ୍ଣ ଉପକ୍ରମରେ ନିବେଶ କରିଥିଲେ । ସେ ଯୁବ ଉଦ୍ୟୋଗୀଙ୍କ ଆଶା ଓ ଆକାଂକ୍ଷାକୁ ବୁଝିଥିଲେ ଏବଂ ଭାରତର ଭବିଷ୍ୟତକୁ ଆକାର ଦେବାରେ ସେମାନଙ୍କର କ୍ଷମତାକୁ ଜାଣିପାରିଥିଲେ । ସେମାନଙ୍କ ପ୍ରୟାସକୁ ସମର୍ଥନ କରି ସେ ସ୍ୱପ୍ନ ଦେଖୁଥିବା ନୂଆ ପିଢ଼ିକୁ ସାହସିକ ପଦକ୍ଷେପ ନେବା ଏବଂ ଚିରାଚରିତ ସୀମା ଠାରୁ ଆଗକୁ ବଢ଼ିବା ପାଇଁ ସଶକ୍ତ କରିଥିଲେ । ତାଙ୍କର ସମର୍ଥନ ନବସୃଜନ ଓ ଉଦ୍ୟମିତାର ସଂସ୍କୃତି ଗଢ଼ିବାରେ ଏକ ଲମ୍ବା ରାସ୍ତା ନିର୍ଦ୍ଧାରଣ କରିସାରିଛି । ଆଗାମୀ ଦଶନ୍ଧିରେ ଭାରତ ଉପରେ ଏହାର ସକାରାତ୍ମକ ପ୍ରଭାବ ପଡ଼ିବ ବୋଲି ମୋର ବିଶ୍ୱାସ ରହିଛି । ସେ କ୍ରମାଗତ ଭାବରେ ଉତ୍କର୍ଷତାକୁ ସମର୍ଥନ କରିଥିଲେ ଏବଂ ଭାରତୀୟ ଉଦ୍ୟୋଗଗୁଡ଼ିକୁ ବିଶ୍ୱସ୍ତରୀୟ ମାନଦଣ୍ଡ ସ୍ଥାପିତ କରିବାକୁ ଅନୁରୋଧ କରୁଥିଲେ । ମୁଁ ଆଶା କରୁଛି ଯେ, ଏହି ଦୃଷ୍ଟିକୋଣ ଆମର ଭବିଷ୍ୟତର ନେତାମାନଙ୍କୁ ଭାରତକୁ ବିଶ୍ୱସ୍ତରୀୟ ଗୁଣବତ୍ତାର ସମକକ୍ଷ କରିବା ପାଇଁ ପ୍ରେରଣା ଯୋଗାଇବ । କେବଳ ବୋର୍ଡ ରୁମ୍ କିମ୍ବା ସାଥୀ ମଣିଷଙ୍କୁ ସାହାଯ୍ୟ କରିବାରେ ତାଙ୍କର ମହାନତା ସୀମିତ ନଥିଲା । ତାଙ୍କର କରୁଣାଭାବ ସମସ୍ତ ଜୀବଜଗତଙ୍କ ପାଇଁ ବିସ୍ତାରିତ ହୋଇଥିଲା । ପ୍ରାଣୀମାନଙ୍କ ପ୍ରତି ତାଙ୍କର ଗଭୀର ଭଲପାଇବା ବିଷୟରେ ସମସ୍ତେ ଜାଣନ୍ତି ଏବଂ ପ୍ରାଣୀଙ୍କ କଲ୍ୟାଣ ଉପରେ କେନ୍ଦ୍ରିତ ପ୍ରତ୍ୟେକ ସମ୍ଭାବ୍ୟ ପ୍ରୟାସକୁ ସେ ସମର୍ଥନ କରିଥିଲେ । ସେ ପ୍ରାୟତଃ ତାଙ୍କ ପୋଷା କୁକୁରମାନଙ୍କର ଫଟୋ ସେୟାର କରନ୍ତି, ଯେଉଁମାନେ ଯେକୌଣସି ବ୍ୟବସାୟିକ ଉଦ୍ୟୋଗ ପରି ତାଙ୍କ ଜୀବନର ଏକ ଅଂଶ ଥିଲେ । ପ୍ରକୃତ ନେତୃତ୍ୱ କେବଳ କାହାର ସଫଳତା ଦ୍ୱାରା ନୁହେଁ, ବରଂ ସବୁଠାରୁ ଦୁର୍ବଳ ଲୋକଙ୍କ ପ୍ରତି ଧ୍ୟାନ ଦେବାର ଦକ୍ଷତା ଆଧାରରେ ମାପ କରାଯାଇଥାଏ, ତାଙ୍କ ଜୀବନ ଆମ ସମସ୍ତଙ୍କୁ ଏହି ଶିକ୍ଷା ଦେଇଥିଲା । କୋଟି କୋଟି ଭାରତୀୟଙ୍କ ପାଇଁ ରତନ ଟାଟାଙ୍କ ଦେଶପ୍ରେମ ସଙ୍କଟ ସମୟରେ ଉଜ୍ଜ୍ୱଳ ହୋଇ ଉଠିଥିଲା । ୨୬/୧୧ ଆତଙ୍କବାଦୀ ଆକ୍ରମଣ ସମୟରେ ସେ ତୁରନ୍ତ ମୁମ୍ବାଇର ତାଜ୍ ହୋଟେଲ୍ ଖୋଲିଥିଲେ । ଦେଶ ଆଗରେ ରହିଥିବା ଆହ୍ୱାନର ସେ ଦୃଢ଼ ଜବାବ ଦେଇଥିଲେ । ଭାରତ ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇଲା ନାହିଁ ନିଜର ଏକତା ଶକ୍ତି ପ୍ରଦର୍ଶନ କଲା । ବ୍ୟକ୍ତିଗତ ଦୃଷ୍ଟିକୋଣରୁ କହିବାକୁ ଗଲେ, ବର୍ଷ ବର୍ଷ ଧରି ତାଙ୍କୁ ଅତି ନିକଟରୁ ଜାଣିବାର ସୌଭାଗ୍ୟ ମୁଁ ପାଇଥିଲି । ଆମେ ଗୁଜରାଟରେ ଘନିଷ୍ଠ ଭାବରେ କାମ କରିଥିଲୁ, ଯେଉଁଠାରେ ସେ ବ୍ୟାପକ ପୁଞ୍ଜିନିବେଶ କରିଥିଲେ ଏବଂ ଅନେକ ପ୍ରକଳ୍ପକୁ ନେଇ ସେ ବହୁତ ଉତ୍ସାହୀ ଥିଲେ । କିଛି ସପ୍ତାହ ତଳେ, ମୁଁ ସ୍ପେନ୍ ରାଷ୍ଟ୍ରପତି ପେଡ୍ରୋ ସାଞ୍ଚେଜ୍‌ଙ୍କ ସହ ଭଦୋଦରାରେ ଥିଲି ଏବଂ ଆମେ ମିଳିତ ଭାବେ ଏକ ବିମାନ କମ୍ପ୍ଲେକ୍ସ ଉଦ୍‌ଘାଟନ କରିଥିଲେ । ଏହି ସ୍ଥାନରେ ହିଁ ପ୍ରଥମ ଥର ପାଇଁ ଭାରତରେ ସି-୨୯୫ ବିମାନ ନିର୍ମିତ ହେବ । ରତନ ଟାଟା ହିଁ ଏହା ଉପରେ କାମ ଆରମ୍ଭ କରିଥିଲେ । କହିବା ବାହୁଲ୍ୟ ଯେ, ରତନ ଟାଟାଙ୍କ ଅନୁପସ୍ଥିତି ଏଠାରେ ଖୁବ୍ ଗଭୀର ଭାବେ ଅନୁଭୂତ ହୋଇଥିଲା । ନିୟମିତ ଭାବେ ଚିଠି ଲେଖୁଥିବା ଜଣେ ବ୍ୟକ୍ତି ଭାବେ ମୁଁ ରତନ ଟାଟାଙ୍କୁ ସ୍ମରଣ କରୁଛି । କେବେ ଶାସନ ପ୍ରସଙ୍ଗରେ ହେଉ କିମ୍ବା ସରକାରୀ ସହାୟତାକୁ ପ୍ରଶଂସା କରି ହେଉ ଅଥବା ନିର୍ବାଚନ ବିଜୟ ପରେ ଅଭିନନ୍ଦନ ଜଣାଇବା ହେଉ, ସେ ମୋତେ ବିଭିନ୍ନ ପ୍ରସଙ୍ଗରେ ନିୟମିତ ଚିଠି ଲେଖୁଥିଲେ । ମୁଁ କେନ୍ଦ୍ରକୁ ଆସିବା ପରେ ଆମର ଘନିଷ୍ଠ ସମ୍ପର୍କ ଜାରି ରହିଲା ଏବଂ ସେ ଆମ ରାଷ୍ଟ୍ର ନିର୍ମାଣ ପ୍ରୟାସରେ ଜଣେ ପ୍ରତିଶ୍ରୁତିବଦ୍ଧ ଅଂଶୀଦାର ଥିଲେ । ବିଶେଷ କରି, ସ୍ୱଚ୍ଛ ଭାରତ ମିଶନ ପାଇଁ ରତନ ଟାଟାଙ୍କ ସମର୍ଥନ ମୋ ହୃଦୟର ଅତି ନିକଟତର ଥିଲା । ସ୍ୱଚ୍ଛ ଭାରତ ମିଶନ ପାଇଁ ରତନ ଟାଟାଙ୍କ ସମର୍ଥନ ମୋ ହୃଦୟର ଅତି ନିକଟତର ଥିଲା । ଭାରତର ପ୍ରଗତି ପାଇଁ ସ୍ୱଚ୍ଛତା, ପରିଚ୍ଛନ୍ନତା ଏବଂ ପରିମଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରି ସେ ଏହି ଜନ ଆନ୍ଦୋଳନର ଜଣେ ଦୃଢ଼ ସମର୍ଥକ ଥିଲେ । ଅକ୍ଟୋବର ଆରମ୍ଭରେ ସ୍ୱଚ୍ଛ ଭାରତ ମିଶନର ଦଶମ ବାର୍ଷିକୀ ଅବସରରେ ତାଙ୍କ ହୃଦୟସ୍ପର୍ଶୀ ଭିଡିଓ ବାର୍ତ୍ତା ମୋର ଆଜି ବି ମନେ ଅଛି । ଏଥିରେ ଶେଷଥର ପାଇଁ ସେ ସର୍ବସମ୍ମୁଖକୁ ଆସିଥିଲେ । ଆଉ ଏକ ମହତ କାର୍ଯ୍ୟ ତାଙ୍କ ହୃଦୟର ନିକଟତର ଥିଲା, ତାହା ହେଉଛି ସ୍ୱାସ୍ଥ୍ୟସେବା । ବିଶେଷ କରି କର୍କଟ ବିରୋଧୀ ସଂଗ୍ରାମରେ ଯୋଗଦାନ ପାଇଁ ସେ ସବୁଦିନ ସ୍ମରଣୀୟ ହୋଇରହିବେ । ମୋର ମନେ ଅଛି, ଦୁଇ ବର୍ଷ ପୂର୍ବେ ଆସାମରେ ହୋଇଥିବା କାର୍ଯ୍ୟକ୍ରମ, ଯେଉଁଠାରେ ଆମେ ମିଳିତ ଭାବେ ରାଜ୍ୟର ଏକାଧିକ କର୍କଟ ଚିକିତ୍ସାଳୟକୁ ଉଦ୍‌ଘାଟନ କରିଥିଲୁ । ସେହି ସମୟରେ ସେ ତାଙ୍କ ବକ୍ତବ୍ୟରେ ସ୍ପଷ୍ଟ ଭାବେ କହିଥିଲେ ଯେ ସେ ତାଙ୍କର ଶେଷ ବର୍ଷଗୁଡ଼ିକୁ ସ୍ୱାସ୍ଥ୍ୟସେବା ପାଇଁ ଉତ୍ସର୍ଗ କରିବାକୁ ଚାହୁଁଛନ୍ତି । ସ୍ୱାସ୍ଥ୍ୟସେବା ଓ କର୍କଟ ଚିକିତ୍ସାକୁ ଶସ୍ତା ଓ ସୁଲଭ କରିବା ପାଇଁ ତାଙ୍କର ପ୍ରୟାସ ପଛରେ ମୂଳ ଉଦ୍ଦେଶ୍ୟ ଥିଲା- ରୋଗ ସହ ଲଢୁଥିବା ଲୋକଙ୍କ ପ୍ରତି ଗଭୀର ସହାନୁଭୂତି ପ୍ରଦର୍ଶନ କରିବା । ସବୁଠାରୁ ଅସୁରକ୍ଷିତ ଲୋକଙ୍କ ସହ ଛିଡ଼ା ହୋଇଥିବା ସମାଜ ହିଁ ପ୍ରକୃତରେ ନ୍ୟାୟପୂର୍ଣ୍ଣ ସମାଜ ବୋଲି ସେ ବିଶ୍ୱାସ କରୁଥିଲେ । ଆଜି ଆମେ ଯେତେବେଳେ ତାଙ୍କୁ ସ୍ମରଣ କରୁଛୁ, ତାଙ୍କ ପରିକଳ୍ପିତ ସମାଜ କଥା ଆମ ମନକୁ ଆସୁଛି, ଯେଉଁଠି ବ୍ୟବସାୟକୁ କଲ୍ୟାଣର ଶକ୍ତି ରୂପେ ବିନିଯୋଗ କରିହେବ, ପ୍ରତ୍ୟେକ ବ୍ୟକ୍ତିର ସମ୍ଭାବନାକୁ ଗୁରୁତ୍ୱ ମିଳୁଥିବ ଏବଂ ସମସ୍ତଙ୍କ କଲ୍ୟାଣ ଓ ଖୁସିର ମାପଦଣ୍ଡ ଆଧାରରେ ପ୍ରଗତିକୁ ମାପିବା ସମ୍ଭବ ହୋଇପାରିବ । ତାଙ୍କ ସଂସ୍ପର୍ଶରେ ଆସିଥିବା ଅଗଣିତ ଲୋକଙ୍କ ଜୀବନରେ ଏବଂ ତାଙ୍କ ଦ୍ୱାରା ପ୍ରୋତ୍ସାହିତ ଅନେକ ସ୍ୱପ୍ନରେ ସେ ସବୁବେଳେ ଜୀବନ୍ତ ରହିବେ । ଭାରତକୁ ଅଧିକ ଉନ୍ନତ, ଦୟାପୂର୍ଣ୍ଣ ଏବଂ ଆଶାବାଦୀ ସ୍ଥାନରେ ପରିଣତ କରିଥିବାରୁ ଅନେକ ପିଢ଼ି ତାଙ୍କ ନିକଟରେ କୃତଜ୍ଞ ହୋଇ ରହିବେ ।

Leave A Reply

Your email address will not be published.