ସାରସ୍ୱତ ସାଧକ ସ୍ୱର୍ଗତ ଗୁରୁ ଦିଲ୍ଲେଶ୍ୱର ତ୍ରିପାଠୀଙ୍କ ସପ୍ତମ ପୁଣ୍ୟତିଥି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ଶ୍ରୀରାମ ବାଟିକା ପରିସରରେ ଏ ଅଂଚଳରର ବିଶିଷ୍ଟ ସଂଗୀତ ସାଧକ ସାହିତ୍ୟିକ ତଥା ଶିକ୍ଷାବିତ୍‌ ଗୁରୁ ସ୍ୱର୍ଗତ ଦିଲ୍ଲେଶ୍ୱର ତ୍ରିପାଠୀଙ୍କ ସପ୍ତମ ପୁଣ୍ୟତିଥି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପବିତ୍ର ରମା ଏକାଦଶୀ ପୂର୍ବାହ୍ନ ୧୦ଟା ଠାରୁ ବିଶିଷ୍ଟ ଭଗବତ ସଂଗଠକ ପଣ୍ଡିତ ଶ୍ରୀବତ୍ସ ମିଶ୍ରଙ୍କ ତତ୍ତ୍ୱାବଧାନରେ ସମୂହ ଅନନ୍ତମୁଖୀ ପାରାୟଣ କରାଯାଇଥିଲା । ଗୁରୁପୁତ୍ର ମଳୟ ତ୍ରିପାଠୀ ସପତ୍ନୀକ କର୍ତ୍ତା ଦାୟିତ୍ୱ ତୁଳାଇଥିଲେ । ଏହି ଆଧ୍ୟାତ୍ମିକ ସମାବେଶରେ ଆଖପାଖ ଗ୍ରାମ ମାଗୁରବେଡ, ବ୍ରାହ୍ମଣୀ ଡୁଙ୍ଗୁରି, କୁଟୁମଡୋଲା, ପଥରଖଣ୍ଡି ତଥା ସିଆଲବାହାଲର ବହୁ ଭକ୍ତ ତଥା ଶ୍ରଦ୍ଧାଳୁ ଯୋଗଦାନ କରି ଭଗବତ ରସ ଆସ୍ୱାଦନା କରିଥିଲେ । ଅପରାହ୍ନରେ ଗୁରୁ ପୂଜନ ପର୍ବରେ ସମୂହ ପରିବାର ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ସ୍ୱର୍ଗତ ପ୍ରତିଭାଙ୍କୁ ସ୍ମରଣ କରିଥିଲେ । ଅବସରପ୍ରାପ୍ତ ଶିକ୍ଷକ ରମାକାନ୍ତ ହୋତାଙ୍କ ସଂଯୋଜନା ତଥା ଅଧ୍ୟାପକ ପ୍ରଣୟ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏ ଆସରରେ ଏ ଅଂଚଳର ଅବସରପ୍ରାପ୍ତ ଗୁରୁଜୀ ପ୍ରେମରାଜ ମିଶ୍ର, ବିରଂଚି ସିଂ ଏବଂ ଧ୍ରୁବଚରଣ ପଟେଲଙ୍କୁ ଫୁଲ ଚନ୍ଦନ, ଅଙ୍ଗବସ୍ତ୍ର ପ୍ରଦାନ ପୂର୍ବକ ମାନପତ୍ର ଦେଇ ସ୍ୱର୍ଗତ ଗୁରୁ ଦିଲେଶ୍ୱର ସ୍ମୃତି ସମ୍ମାନ ଅର୍ପଣ କରାଯାଇଥିଲା । ଏସମସ୍ତ କାର୍ଯ୍ୟକ୍ରମରେ ଶ୍ରୀରାମ ମନ୍ଦିର ପରିଚାଳନା କମିଟି, ମନ୍ମୟ ତ୍ରିପାଠୀ, ଅବ୍ୟୟ ତ୍ରିପାଠୀ, ରତିକାନ୍ତ ପୁରୋହିତ, ଡିଙ୍କୁ ପ୍ରଧାନ, ଶ୍ରୀମୟ ତ୍ରିପାଠୀ, ସୁରେଶ ବୁଡେକ, ବୃଷଭ ସାହୁ ତଥା ଗୁରୁଜୀଙ୍କ ନାତିନାତୁଣୀ ବିଶେଷ ସହଯୋଗ କରିଥିଲେ । ମହିଳା କିର୍ତ୍ତନ ଦଳ ପକ୍ଷରୁ ଗୁରୁ ବନ୍ଦନା ଗାନ କରାଯାଇଥିଲା ।

Leave A Reply

Your email address will not be published.