ବିଟାବନ୍ଧ ନିକଟରେ ବାଇକ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ : ଦୁଇ ବାଇକ୍ ଆରୋହୀ ଗୁରୁତର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ୫୯ନମ୍ବର ଜାତୀୟ ରାଜପଥର ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବିଟାବନ୍ଧ ଗ୍ରାମ ନିକଟରେ ଶନିବାର ଅପରାହ୍ନରେ ଏକ ବାଇକ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବାରୁ ଦୁଇ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ନୂଆପଡ଼ା ଜିଲ୍ଲା ଖଡିଆଳ ଥାନା ଚନାବେଡା ଗ୍ରାମର ରାଷ୍ଟ୍ରପତି ବେହେରା ଓ ଦୀପକ ବେହେରା ନାମକ ଦୁଇଜଣ ଯୁବକ ବାଇକ୍ ଓଡ଼ି୨୬ ଏଫ୍‌ ୭୪୭୯ରେ ଯାଉଥିବା ବେଳେ ବିଟାବନ୍ଧ ଗାଁ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ସ୍ଥାନୀୟ ସ୍ଵେଚ୍ଛାସେବୀ ଯୁବକମାନେ ୧୦୮ ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ଉଦ୍ଧାର କରି ଟିଟିଲାଗଡ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଆହତ ରାଷ୍ଟ୍ରପତି ବେହେରାଙ୍କ ମୁହଁ ଓ ଅନ୍ୟାନ୍ୟ ସ୍ଥାନରେ ଆଘାତ ଲାଗି ରକ୍ତସ୍ରାବରୁ ଅବସ୍ଥା ଅତି ଗୁରୁତର ଥିବା ଜଣାପଡିଛି । ଶେଷ ଖବର ସୁଦ୍ଧା ଅତି ଗୁରୁତର ଥିବା ରାଷ୍ଟ୍ରପତି ବେହେରାଙ୍କୁ ଅଧିକ ଚିକିତ୍ସା ପାଇଁ ଟିଟିଲାଗଡରୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲକୁ ପଠାଯାଇଥିବା ଜଣାପଡିଛି । ଅନ୍ୟ ଜଣେ ଆହତ ଦୀପକ ବେହେରାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.