ଲୋୟର ସୁକତେଲ ବିସ୍ଥାପିତ କଲୋନୀରେ ନରସିଂହ

  • ଅନେକ ସମସ୍ୟା ଶୀଘ୍ର ସମାଧାନ ନହେଲେ ହେବ ଆନ୍ଦୋଳନ – ନରସିଂହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଜୀବନରେଖା କୁହାଯାଉଥିବା ଲୋୟର ସୁକତେଲ ଜଳ ସେଚନ ପ୍ରକଳ୍ପ ତରବରିଆ ଭାବରେ ଗତ ସରକାର ଉଦ୍‌ଘାଟନ କରିଦେଇଥିଲେ । ବିସ୍ଥାପିତମାନଙ୍କ ତ୍ୟାଗ ବଳରେ ତିଆରି ହୋଇଥିବା ଏହି ପ୍ରକଳ୍ପରୁ ଏ ପର୍ଯ୍ୟନ୍ତ ଚାଷୀ ପାଣି ପାଇ ପାରିନାହିଁ । ବିସ୍ଥାପିତମାନେ ମଧ୍ୟ ଆଇନ ମୁତାବକ ତାଙ୍କର ଅନେକ ପ୍ରକାର କ୍ଷତିପୂରଣ ପାଇବାର ବାକି ଅଛି । ଏପରିକି ଏମାନଙ୍କୁ ବିସ୍ଥାପିତ କରି ଥଇଥାନ କରାଯାଇଥିବା କଲୋନୀରେ ମୌଳିକ ସୁବିଧାରୁ ଏମାନଙ୍କୁ ସରକାର ବଞ୍ଚିତ ରଖିଛି । ତେଣୁ ଏ ସବୁ ଯେତେ ଶୀଘ୍ର ହେବ ସମାଧାନ କରାଯାଉ ନଚେତ ଆଗାମୀ ଦିନରେ ଲୋକେ ନିଶ୍ଚିତ ଭାବେ ଆନ୍ଦୋଳନ ମୁହାଁ ହେବେ ବୋଲି ପୂର୍ବତନ ଆଇନମନ୍ତ୍ରୀ ଓ ବିଧାୟକ ନରସିଂହ ମିଶ୍ର ଗତ କାଲି ଝାଙ୍କରପାଲି ନିକଟସ୍ଥ ଲୋୟର ସୁକତେଲର ଥଇଥାନ କଲୋନୀକୁ ଯାଇ ଲୋକମାନଙ୍କ ଅଭାବ ଅସୁବିଧା ବୁଝିବା ପରେ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଲୋକେ ଆଜି ପର୍ଯ୍ୟନ୍ତ ଥଇଥାନ କଲୋନୀରେ ପିଇବା ପାଇଁ ପାଣି, ଗାଧେଇବା ପାଇଁ ପୋଖରୀ ପାଇ ନାହାନ୍ତି । ତେଣୁ ଏ ସବୁ ସମସ୍ୟାର ତୁରନ୍ତ ସମାଧାନ କରାଯାଉ । ଥଇଥାନ ଓ ବିସ୍ଥାପିତ କଲୋନୀରେ ଶ୍ରୀ ମିଶ୍ର ପହଂଚିବା ପରେ ସେଠାରେ ରହୁଥିବା ପ୍ରାୟ ସମସ୍ତ ମହିଳା ପୁରୁଷ ଆସି ତାଙ୍କ ଅସୁବିଧା ବାବଦରେ ଅଭିଯୋଗ କରିଥିଲେ । ବିଶେଷ କରି ପିଇବା ପାଣି, ଗାଧୋଇବା ପାଇଁ ପୋଖରୀ, ଅନ୍ତେଷ୍ଟି କ୍ରିୟା ପାଇଁ ଶ୍ମଶାନ ଓ ଛୋଟ ଛୋଟ ଛୁଆମାନଙ୍କ ପାଇଁ ଅଙ୍ଗନୱାଡି କେନ୍ଦ୍ର ଓ ସ୍କୁଲ ନିର୍ମାଣର ପ୍ରତିଶୃତି ଦେଇ ପ୍ରଶାସନ ଓ ସରକାର ବର୍ତ୍ତମାନ ଚୁପ ବସିପଡିଛି । ଏ ସବୁ ଅଭିଯୋଗ ଶୁଣିବା ପରେ ପୂର୍ବତନ ବିଧାୟକ ଶ୍ରୀ ମିଶ୍ର ତୁରନ୍ତ ଫୋନ ଯୋଗେ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ସହ କଥା ହୋଇ ଏ ସବୁ ସମସ୍ୟାର ସମାଧାନ ପାଇଁ ଏକ ଆଲୋଚନାର ବ୍ୟବସ୍ଥା କରାଇଛନ୍ତି ତା ସହ ବିସ୍ଥାପିତଙ୍କ ତ୍ୟାଗ ଯେମିତି ବେକାର ନ ଯିବ ସେମାନେ ଯେମିତି ଠିକ ଭାବରେ ତାଙ୍କର ମୌଳିକ ଅଧିକାର ସବୁ ପାଇପାରିବେ ସେ ଉପରେ ଜିଲ୍ଲା ପ୍ରଶାସନ ସହ ସେ ପୁଣି ଆଲୋଚନା କରିବେ ବୋଲି ପ୍ରତିଶୃତି ଦେଇଥିଲେ । ତା ସହିତ ଏଠାରେ ଥିବା ଜଗନ୍ନାଥ ମନ୍ଦିର ପୂଜକଙ୍କ ଅଭିଯୋଗ ଅନୁସାରେ ମନ୍ଦିର ଯେମିତି ଠିକ୍ ହିସାବରେ ଚାଲିବ ଭଗବାନଙ୍କ ସମସ୍ତ ରୀତିନୀତି ପରିଚାଳନା ପାଇଁ ଦରକାର ହେଉଥିବା ପାଣ୍ଠି କିପରି ମିଳିପାରିବ ସେ ଉପରେ ସେ ଆଲୋଚନା କରିବେ ବୋଲି କହିଥିଲେ ଏବଂ ଲୋକଙ୍କୁ ମଧ୍ୟ ସେ ଆଉଥରେ ଚେତେଇ ଦେଇଥିଲେ ଯେ ସବୁବେଳେ ବିସ୍ଥାପିତଙ୍କ ସ୍ୱାର୍ଥରକ୍ଷା ପାଇଁ ଲଢେଇ ଜାରି ରଖିଛନ୍ତି ଦରକାର ପଡିଲେ ଆଗାମୀ ଦିନରେ ବୁଡି ଅଞ୍ଚଳବାସୀ ଓ ବିସ୍ଥାପିତଙ୍କ ନ୍ୟାର୍ଯ୍ୟ ଅଧିକାର ପାଇବା ପାଇଁ ଆନ୍ଦୋଳନ କରାଯିବ ବୋଲି ସେ କହିଥିଲେ । ଆଜିର ଏହି ଆଲୋଚନା ସମୟରେ ଅନ୍ୟମାନଙ୍କ ମଧ୍ୟରେ ସଂଗ୍ରାମ ପରିଷଦର ନେତୃତ୍ୱ ନେଉଥିବା ଘନ ସାହୁ, ସରପଂଚ ସଂଜୟ ଗଡତ୍ୟା, ମୀନକେତନ ଚାନ୍ଦ, ଯଜ୍ଞକର ବିଶ୍ୱାଲ, ଚୁଡଙ୍ଗ ସାହୁ, ଭରତ ସାହୁ, ମନ୍ଦିର ପୂଜକ ରାମ ପ୍ରସାଦ ଚାନ୍ଦ, ବିଷ୍ଣୁ ଛତ୍ରିଆ, ଡଃ. ରାଧାକାନ୍ତ ଭୋଇ, କିଶୋର ଗଡତ୍ୟାଙ୍କ ସହ ଏଠାରେ ରହୁଥିବା ସମସ୍ତ ମହିଳା ପୁରୁଷ ଉପସ୍ଥିତ ଥିଲେ ।

Leave A Reply

Your email address will not be published.