
ରାଉରକେଲା, (ସସ୍ମିତା ପ୍ରଧାନ) : କଳା, ସଂସ୍କୃତି, ଶିଳ୍ପ ଓ କ୍ରୀଡାର ସହର ରାଉରକେଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଏକ ଉତ୍ସବମୁଖର ପରିବେଶରେ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ନୂଆଁଖାଇ ଭେଟ୍ଘାଟ୍ ପାଳିତ ହୋଇଯାଇଛି । ଦିବସବ୍ୟାପୀ କାର୍ଯ୍ୟକ୍ରମରେ ବହୁସଂଖ୍ୟକ ଦର୍ଶକଙ୍କ ସମାବେଶ ହୋଇଥିଲା । କାର୍ଯ୍ୟକ୍ରମର ପ୍ରାରମ୍ଭରେ ପରିଷଦର ପୁରୁଖା ସଦସ୍ୟମାନଙ୍କ ଦ୍ୱାରା ପଶ୍ଚିମାଞ୍ଚଳର ପାରମ୍ପରିକ ପାହୁର ଯାତ୍ରା କରି ମାଁ ସମଲେଶ୍ୱରୀଙ୍କ ପୂଜାର୍ଚ୍ଚନା ସାମଗ୍ରୀ ସହ ପୂଜାସ୍ଥଳୀରେ ମୁଖ୍ୟ ଅତିଥି ରାଉରକେଲାର ବିଧାୟକ ସାରଦା ପ୍ରସାଦ ନାୟକ ଓ ପରିଷଦର ବରିଷ୍ଠ ସଦସ୍ୟ ମାନଙ୍କ ଉପସ୍ଥିତିରେ ମାଁ’ଙ୍କ ଆରାଧନା ହୋଇ ଭେଟ୍ଘାଟ୍ ଉତ୍ସବ ଉଦ୍ଘାଟିତ ହୋଇଥିଲା । ପରିଷଦର ବରିଷ୍ଠ ସଦସ୍ୟ ଓ ପ୍ରାକ୍ତନ ସମ୍ପାଦକ ସୁଧୀର ମିଶ୍ର ଅତିଥି ପରିଚୟ ଦେଇଥିବା ବେଳେ, ପରିଷଦର ସଭାପତି ସ୍ୱରୂପ ପାଣିଗ୍ରାହୀ ଅତିଥି ମାନଙ୍କୁ ଅନୁଷ୍ଠାନିକ ଭାବେ ସ୍ୱାଗତ ସମ୍ଭାଷଣ କରିଥିଲେ । ଅନିବାର୍ଯ୍ୟ କାରଣ ଯୋଗୁଁ ରାଜ୍ୟ ସରକାରଙ୍କ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଓ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନପାରିଥିବାରୁ ସେମାନେ ପଠାଇଥିବା ଶୁଭେଚ୍ଛା ବାର୍ତ୍ତା ସମ୍ପର୍କରେ ସଭାପତି ସୂଚନା ଦେଇଥିଲେ । ପରିଷଦର ସମ୍ପାଦକ ପ୍ରକାଶଚନ୍ଦ୍ର ପାଢ଼ୀ ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ନାୟକ ପରିଷଦ ଦ୍ୱାରା ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମ ଗୁଡିକର ଭୁୟସୀ ପ୍ରଶଂସା କରିବା ସହ ନୂଆଁଖାଇ ମହତ୍ତ୍ୱ ଓ ଏଭଳି ଭେଟ୍ଘାଟ୍ କିପରି ପାରିବାରିକ ସମ୍ପର୍କକୁ ଦୃଢ଼ୀଭୂତ କରିବା ସହ ସମାଜରେ ଭାଇଚାରା ସୃଷ୍ଟି କରେ ତାହା ଉଲ୍ଲେଖ କରିଥିଲେ । ଏହି ଅବସରରେ ପରିଷଦର ପ୍ରତିଷ୍ଠାତା ସଦସ୍ୟ ପୀତବାସ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଓ ମାନପତ୍ର ପାଠ କରିଥିଲେ ପରିଷଦର ଉପଦେଷ୍ଟା ଡ. କିଶୋରୀ ଦାଶ । ଏତତ୍ବ୍ୟତୀତ ପରିଷଦର ଇ- ସ୍ମରଣିକା ‘ଝୁଲକା’ର ଦ୍ଵିତୀୟ ସଂସ୍କରଣ ତଥା ପରିଷଦ ୱେବ୍ସାଇଟ୍ ଲୋକାର୍ପିତ ହେବା ସହ ଗତ ଅଗଷ୍ଟ ମାସ ୧ତାରିଖ ସମ୍ବଲପୁରୀ ଦିନ ଉପଲକ୍ଷେ ଅନୁଷ୍ଠିତ ସମ୍ବଲପୁରୀ ନାଟକ ‘ଶାଶବହ ଘିଚାଟନା, ଯମରଜାର ବାଟବନା’ର ନାଟ୍ୟକାର ସନ୍ତୋଷ ମିଶ୍ର ତଥା ନାଟକର କଳାକାର, ନିର୍ଦେଶକ ଓ ନୃତ୍ୟ ଗୀତ ତଥା ରାମ୍ପ ସୋ’ରେ ଅଂଶ ଗ୍ରହଣ କରିଥିବା କଳାକାର ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଏହି ଉପଲକ୍ଷେ ପରିଷଦର ସଭ୍ୟ କଳାକାର ମାନଙ୍କ ଦ୍ୱାରା ସମ୍ବଲପୁରୀ ସଂଗୀତ ଓ ନୃତ୍ୟ ପରିବେଷଣ ହେବା ସହ ରାମପ୍ରସାଦ ବାଗ, ମନୋରଞ୍ଜନ ଲୁହା ଓ ମୁନିରାମ କୁମ୍ଭାରଙ୍କ ଦ୍ୱାରା ବ୍ୟଙ୍ଗ ଓ ହାସ୍ୟ କବିତା ପାଠ ତଥା ଉମାକାନ୍ତ ବେହେରା ଓ ସାଥୀଙ୍କ ଘୁଡୁକା ନୃତ୍ୟ ପରିବେଷଣ କରାହୋଇଥିଲା । ଏହି ଭେଟ୍ଘାଟ୍ ସଂଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ସୁଦୂର ବଲାଙ୍ଗିର, ପାଟଣାଗଡ଼ରୁ ଆସିଥିବା ‘ସାତକୁଆଁରୀ’ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ପରିବେଷିତ ରଙ୍ଗାରଙ୍ଗ ସମ୍ବଲପୁରୀ ନୃତ୍ୟ ଓ ସଂଗୀତର କାର୍ଯ୍ୟକ୍ରମ ଡାଲଖାଇ, ରସରକେଲି, ମାଏଲାଜଡ଼, ଇତ୍ୟାଦି । ଦର୍ଶକମାନେ ସେମାନଙ୍କ ନୃତ୍ୟ ସଙ୍ଗୀତକୁ ମୁଗ୍ଧ ହୋଇ ଉପଭୋଗ କରିଥିଲେ । ଏହି ସାନ୍ଧ୍ୟ ଅଧିବେଶନର ମୁଖ୍ୟ ଅତିଥି ଭାବେ ରଘୁନାଥପଲ୍ଲୀର ବିଧାୟକ ଦୁର୍ଗାଚରଣ ତନ୍ତୀ ଯୋଗଦେଇ ନୂଆଁଖାଇ ଭଳି ଗଣପର୍ବ କିପରି ଆଉ ସୀମା ସରହଦ ଭିତରେ ନରହି ବିଶ୍ୱାଭିମୁଖୀ ହେବାକୁ ଲାଗିଛି ତାହା ଉଲ୍ଲେଖ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଷଦର ସଦସ୍ୟ ଶ୍ରୀକାନ୍ତ ଷଡ଼ଙ୍ଗୀ ଓ ସୁଶ୍ରୀତା ମିଶ୍ର ପରିଚାଳନା କରିଥିଲା ବେଳେ, ସାଂସ୍କୃତିକ ସମ୍ପାଦକ ସୂର୍ଯ୍ୟ ପାଢ଼ୀ ଅର୍ପଣ କରିଥିଲେ । ଏହି ‘ଭେଟ୍ଘାଟ୍’ର ସଫଳତା ଡ. ଅଜୟ ମିଶ୍ର, ଗୌରୀଶଙ୍କର ପ୍ରଧାନ, ନରେନ୍ଦ୍ର ମିଶ୍ର, ଇଂ ବିମଲ ବିଶି, ଡାକ୍ତର ସୁବୋଧ ମେହେର, ରମେଶ ସୁନା, ଏରିଅର ଜାଲ, ଦେବାଶିଷ ମିଶ୍ର, ଡାକ୍ତର ବିଜୟ ସାହୁ, ଶୁଭେନ୍ଦୁ ପଣ୍ଡା, ଅଙ୍ଗରୋଜ ଛନ୍ଦା, ପ୍ରତାପ ମେହେର, ଶୁଭ୍ରାଂଶୁ ବଡ଼ପଣ୍ଡା, ମଦନ ବେହେରା, ଶ୍ରୀପତି ତ୍ରିପାଠୀ, ସାଗର ମୁଣ୍ଡା, ଅଶୋକ ଭଇସାଲ, ଅଜିତ ପୂଜାରୀ, ଅଦ୍ୱେତ ପଣ୍ଡା, ଭଗବାନ ପତି, ଉମେଶ ବେହେରା, ନରେନ୍ଦ୍ର ତ୍ରିପାଠୀ, ବ୍ୟାସଦେବ ସାହୁ, ଦୁର୍ଗାଶଙ୍କର ଯୋଶୀ, ପଦ୍ମଲୋଚନ ବାଘ, ମନୋଜ ସେଠ, ନିବାସ ଦାଶ, ବିମଲ ପଧାନ, ପ୍ରବୀର ମିଶ୍ର, ଡାକ୍ତର ସୌଭାଗ୍ୟ ଦାଶ, ଡ. ମିନତି ପଣ୍ଡା ପୂଜାରୀ, ନରୋତ୍ତମ ଭୋଇ ପ୍ରମୁଖଙ୍କ ଅକ୍ଲାନ୍ତ ପରିଶ୍ରମ ଓ ସହଯୋଗ ଦ୍ୱାରାହିଁ ସମ୍ଭବ ହୋଇ ପାରିଥିଲା ।