‘ନୂଆଁଖାଇ ଭେଟ୍‌ଘାଟ୍‌’ ନିମନ୍ତେ ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : କଳା, ସଂସ୍କୃତି, କ୍ରୀଡା ଓ ଶିଳ୍ପର ସହର ରାଉରକେଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦ’ ଆନୁକୂଲ୍ୟରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଆସନ୍ତା ୨୨ ତାରିଖ ରବିବାର ଦିନ ଏକ ଉତ୍ସବମୁଖର ପରିବେଶରେ ଆଡମ୍ବର ସହ ନୂଆଁଖାଇ ଭେଟ୍‌ଘାଟ୍‌ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ପାଳିତ ହେବାର ନିଷ୍ପତ୍ତି ନିଆଯାଇଛି । ଏହି କାର୍ଯ୍ୟକ୍ରମ ସକାଳ ୧୦ଟାରେ ଜଗତଜନନୀ ମା’ ସମଲେଶ୍ୱରୀଙ୍କ ପାରମ୍ପରିକ ପୂଜାର୍ଚ୍ଚନା ସହ ଉଦ୍‌ଘାଟିତ ହେବ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ରାତି ୧୦ଟା ପର୍ଯ୍ୟନ୍ତ ଜାରି ରହିବ ବୋଲି ଅନୁଷ୍ଠାନରେ ନିଷ୍ପତ୍ତି ହୋଇଛି । ସକାଳ ଅଧିବେଶନରେ ମୁଖ୍ୟଅତିଥି ଭାବେ ଓଡିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ ଓ ସମ୍ମାନିତ ଅତିଥି ଭାବେ ରଘୁନାଥପଲ୍ଲୀର ବିଧାୟକ ଦୁର୍ଗାଚରଣ ତନ୍ତୀ ଯୋଗଦାନ କରିବାକୁ ସ୍ୱୀକୃତି ଦେଇଥିଲା ବେଳେ, ସାନ୍ଧ୍ୟା ଅଧିବେଶନରେ ମୁଖ୍ୟଅତିଥି ଭାବେ ଭାରତ ସରକାରଙ୍କ ଆଦିବାସୀ ବିକାଶ ମନ୍ତ୍ରାଳୟର ମନ୍ତ୍ରୀ ଜୁଏଲ ଓରାମ ଓ ସମ୍ମାନିତ ଅତିଥି ଭାବେ ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶ ଅତନୁ ଭୌମିକ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି । ଦିବସବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ ପରିଷଦର ସଭ୍ୟ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସମ୍ବଲପୁରୀ ନୃତ୍ୟ ଓ ସଂଗୀତ ପରିବେଷଣ ସହ ବ୍ୟଙ୍ଗ କବିତା ପାଠ କରାଯିବ । ଭେଟ୍‌ଘାଟ୍‌ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ପାଟଣାଗଡ଼ରୁ ଆସୁଥିବା ‘ସାତକୁଆଁରୀ’ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ବିଶେଷ ଭାବେ ସମ୍ୱଲପୁରୀ ନୃତ୍ୟ ସଂଗୀତ ଆଦି ପରିବେଷଣ କରାଯିବ । ଏହି ଭେଟ୍‌ଘାଟ୍‌ ଉତ୍ସବରେ ବହୁ ସଂଖ୍ୟାରେ ପଶ୍ଚିମଓଡିଶା ତଥା ସହରବାସୀ ଯୋଗଦାନ କରିବାପାଇଁ ପରିଷଦର ସଭାପତି
ସ୍ୱରୂପ ପାଣିଗ୍ରାହୀ ଓ ସମ୍ପାଦକ ପ୍ରକାଶ ପାଢ଼ୀ ଅନୁରୋଧ କରିଛନ୍ତି । ଭଗବାନ ପତି, କୁଞ୍ଜବିହାରୀ ସାହୁ, ଅଜିତ ପୂଜାରୀ, ଡକ୍ଟର କିଶୋରୀ ଦାଶ, ଡକ୍ଟର ଅଜୟ ମିଶ୍ର, ଶୁଭେନ୍ଦୁ ପଣ୍ଡା, ପୀତବାସ ପ୍ରଧାନ, ଗୌରୀଶଙ୍କର ପ୍ରଧାନ, ନରେନ୍ଦ୍ର ମିଶ୍ର, ସୂର୍ଯ୍ୟ ପାଢ଼ୀ, ଅଦ୍ଵୈତ ପଣ୍ଡା, ଡାକ୍ତର ସୁବୋଧ ମେହେର, ଦେବେଶ ପୁରୋହିତ, ଶୁଭ୍ରାଂଶୁ ଶେଖର ବଡ଼ପଣ୍ଡା, ମଦନ ବେହେରା, ଶ୍ରୀପତି ତ୍ରିପାଠୀ, ଏରିଅର ଜାଲ, ଦେବାଶିଷ ମିଶ୍ର, ରମେଶ ସୁନା, ପ୍ରତାପ ମେହେର, ସାଗର ମୁଣ୍ଡା, ଅଶୋକ ଭଇଁସାଲ, ନିବାସ ଦାଶ, ଶ୍ରୀକାନ୍ତ ଷଡ଼ଙ୍ଗୀ, ବିମଲ ବିଶି, ଡ. ମୀନତି ପଣ୍ଡା, ପ୍ରବୀର ମିଶ୍ର, ମନୋଜ ସେଠ, ଉମେଶ ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ବିଭିନ୍ନ ବିଭାଗର ଦାୟିତ୍ୱ ନେଇଥିବା ଜଣାପଡିଛି ।

Leave A Reply

Your email address will not be published.

error: Content is protected !!