କେସିଙ୍ଗା ପୋଲିସ୍‌ର ସଫଳତା : ୩. ୭୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଆଜି ସକାଳେ କେସିଙ୍ଗା ଆଦର୍ଶ ଥାନା ଏଏସ୍‌ଆଇ ଡି. ମୋହନ ଅମାଠରୁ ଏମ୍‌. ରାମପୁରକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥର ବନ୍ଧପଡା ନିକଟରେ ଗାଡ଼ି ଯାଞ୍ଚ କରୁଥିଲେ । ସେହି ସମୟରେ ଏମ୍‌. ରାମପୁର ପଟୁ ଆସୁଥିବା ଓଡି ୦୩ଏଏ୫୫୮୫ ନମ୍ବର୍ ବିଶିଷ୍ଟ ପିକ୍‌ଅପ୍‌ ଭ୍ୟାନ୍‌ ପୋଲିସ୍ ଯାଞ୍ଚ କରୁଥିବା ଦେଖି ଟିକେ ଦୂରରେ ଅଟକି ରହିଥିଲା । ପୋଲିସ୍‌କୁ ସନ୍ଧେହ ହେବାରୁ ଯାଞ୍ଚ କରୁଥିବା ପୋଲିସ୍ ଅଧିକାରୀ ଡି. ମୋହନ ଉକ୍ତ ପିକ୍‌ଅପ୍‌ ଗାଡ଼ି ପାଖକୁ ଯିବା ସମୟରେ ପିକ୍‌ଅପ୍‌ ଡ୍ରାଇଭର୍‌ ଓ ସହଯୋଗୀ ଗାଡ଼ିଟିକୁ ଛାଡ଼ି ଫେରାର୍‌ ମାରିଥିଲେ । ପିକ୍‌ଅପ୍‌ରେ ବଲାଙ୍ଗିର ଜିଲ୍ଲାର ନମ୍ବର୍ ପଞ୍ଜୀକୃତ ଥିବା ବେଳେ, ଗାଡ଼ିଟି ଗତ ଜାନୁଆରୀ ମାସରେ ପଞ୍ଜୀକୃତ ହୋଇଥିବା ସୂଚନା ମିଳିଛି । ଅଟକି ରହିଥିବା ସେହି ପିକ୍‌ଅପ୍‌ରେ ୩.୭୫ କ୍ୱିଣ୍ଟାଲ ଗଞ୍ଜେଇ ଥିଲା । ପୋଲିସ ଚୋରା ଚାଲାଣ ହେଉଥିବା ଗଞ୍ଜେଇ ଓ ପିକ୍‌ଅପ୍‌କୁ ଜବତ ଅଧିକ ତଦନ୍ତ ଜାରି ରଖିଛି । ପୋଲିସକୁ ଚକମା ଦେବା ପାଇଁ ଗଞ୍ଜେଇ ମାଫିଆମାନେ ପିକ୍‌ଅପ୍‌ର ସାମ୍ନାରେ କୁଣ୍ଡା ଓ ଧାନ ବସ୍ତା ବିଝେଇ କରି ଭିତରେ ଗଞ୍ଜେଇ ଭର୍ତ୍ତି ବସ୍ତା ଚୋରା ଚାଲାଣ କରୁଥିଲେ । ପୋଲିସ୍ ଭୟରେ ଗଞ୍ଜେଇ ଗାଡ଼ି ଛାଡି ଫେରାର୍‌ ମାରି ନିଜକୁ ପୋଲିସ୍ ହାବୁଡ଼ରୁ ବଞ୍ଚେଇବାରେ ସଫଳ ହେଲେ ମାଫିଆ । କଳାହାଣ୍ଡି ଜିଲ୍ଲାରେ ଅନେକ ସମୟରେ ଚୋରା ଚାଲାଣ ହେଉଥିବା ଗଞ୍ଜେଇ ଧରିବାରେ ପୋଲିସ ସଫଳ ହେଉଥିବା ବେଳେ ଅବକାରୀ ବିଭାଗ ପାଖରେ କେମିତି ସୂଚନା ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଅବକାରୀ ବିଭାଗର ନିଷ୍କ୍ରିୟତା ଯୋଗୁ କଳାହାଣ୍ଡି ଜିଲ୍ଲା ଏବେ ଗଞ୍ଜେଇ ଚାଲାଣର କରିଡର ସାଜିଛି ।

Leave A Reply

Your email address will not be published.