ପରିବେଶ ପ୍ରେମୀଙ୍କୁ ଅବହେଳା : ମିଳିନି ‘ପ୍ରକୃତି ମିତ୍ର’ ଓ ‘ପ୍ରକୃତି ବନ୍ଧୁ’ ପୁରସ୍କାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ସାମ୍ପ୍ରତିକ ସ୍ଥିତିରେ ଜଳ ବାୟୁର ଅନିୟମିତତା ଓ ପାଣିପାଗର ଦ୍ରୁତ ପରିବର୍ତ୍ତନ ସମଗ୍ର ଜୀବଜଗତର ସ୍ଥିତି ପାଇଁ ମୁଖ୍ୟ ସମସ୍ୟା ଓ ଚିନ୍ତାର ବିଷୟ । ଜୀବଜଗତ ତିଷ୍ଠି ରହିବା ପାଇଁ ପରିବେଶ ସଂରକ୍ଷଣ ଓ ବୃକ୍ଷରୋପଣ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ବିଭିନ୍ନ କାରଣରୁ ପରିବେଶ ନଷ୍ଟ ହେବାରେ ଲାଗିଛି । ଫଳରେ ଜୀବଜଗତ ବିପଦମୁହାଁ ହେଉଛି । କିନ୍ତୁ ସମାଜରେ ଅନେକ ଲୋକ ଓ ଅନୁଷ୍ଠାନ ପରିବେଶର ସୁରକ୍ଷା ପାଇଁ ଲଢ଼େଇ କରୁଛନ୍ତି । ସେମାନଙ୍କୁ ଚୟନ କରି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ପୁରସ୍କୃତ କରାଯାଏ । କିନ୍ତୁ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖାଦେଇଛି । ଏ ପର୍ୟ୍ୟନ୍ତ ରାଜ୍ୟରେ କାହାକୁ ଏଥି ପାଇଁ ପୁରସ୍କାର ଦିଆଯାଇ ନାହିଁ । ସୂଚନା ମୁତାବକ, ପରିବେଶ ସୁରକ୍ଷା ପାଇଁ କାର୍ୟ୍ୟ କରୁଥିବା ବ୍ୟକ୍ତି ଓ ଅନୁଷ୍ଠାନକୁ ବନ ବିଭାଗ ପକ୍ଷରୁ ମନୋନୀତ କରାଯାଇ ପ୍ରତିବର୍ଷ ପୁରସ୍କୃତ କରାଯାଇଥାଏ । ବ୍ୟକ୍ତିମାନଙ୍କୁ ‘ପ୍ରକୃତି ବନ୍ଧୁ’ ଓ ଅନୁଷ୍ଠାନକୁ ‘ପ୍ରକୃତି ମିତ୍ର’ ବୋଲି ବନ ବିଭାଗ ପକ୍ଷରୁ ଘୋଷଣା କରାଯାଇଥାଏ । ଏଥିପାଇଁ ସଂପୃକ୍ତ ବ୍ୟକ୍ତି ଓ ଅନୁଷ୍ଠାନ ପ୍ରଥମେ ବନ ବିଭାଗ ନିକଟରେ ଆବେଦନ କରିଥାନ୍ତି । ପରେ ସେମାନଙ୍କୁ ମନୋନୀତ କରାଯାଇ ପୁରସ୍କୃତ କରାଯିବାର ବ୍ୟବସ୍ଥା କରାଯାଏ । ପରିବେଶ ସଂରକ୍ଷଣ ପାଇଁ କାର୍ୟ୍ୟ କରୁଥିବା ଅନୁଷ୍ଠାନକୁ ଜୁନ ୫ ତାରିଖରେ ରାଜ୍ୟସ୍ତରୀୟ ପରିବେଶ ଦିବସ ଉତ୍ସବ ପାଳନ ବେଳେ ପୁରସ୍କୃତ କରାଯାଇଥାଏ । ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ୨୦ ହଜାର ଟଙ୍କା ସହିତ ମାନପତ୍ର ପ୍ରଦାନ କରାଯାଏ । ସେହିପରି ବ୍ୟକ୍ତି ବିଶେଷଙ୍କୁ ଜିଲ୍ଲାସ୍ତରୀୟ ପରିବେଶ ଦିବସ ପାଳନ ଅବସରରେ ୧୦ ହଜାର ଟଙ୍କା ଓ ମାନପତ୍ର ଦିଆଯାଇଥାଏ । ଏହି ପୁରସ୍କାର ପ୍ରତି ବ୍ଲକ ସ୍ତରରେ ଦିଆଯିବାର ବ୍ୟବସ୍ଥା ରହିଛି । ପୁରସ୍କାର ପାଇବା ପରେ ସେମାନଙ୍କୁ ପରିବେଶ ପାଇଁ କାର୍ୟ୍ୟ କରିବାକୁ ପ୍ରେରଣା ମିଳିଥାଏ । ତେବେ ଚଳିତ ବର୍ଷ ପରିବେଶ ଦିବସରେ ବନ ବିଭାଗ ପକ୍ଷରୁ ଏହି କାର୍ୟ୍ୟକ୍ରମ ହୋଇ ନଥିଲା । ଏହା ମଧ୍ୟରେ ୩ ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ପୁରସ୍କାର ପାଇଁ ଆବେଦନ କରିଥିବା ବ୍ୟକ୍ତି ଓ ଅନୁଷ୍ଠାନଙ୍କ ନାମ ଘୋଷଣା କରାଯାଇ ନାହିଁ । ତେବେ ଏ ଦିଗରେ ରାଜ୍ୟ ସରକାର ଦୃଷ୍ଟି ଦେଇ ପରିବେଶ ସୁରକ୍ଷା ଦିଗରେ କାର୍ୟ୍ୟରତ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ଗୁଡିକୁ ସମ୍ମାନିତ କରି ପରିବେଶ ସୁରକ୍ଷା ଦିଗରେ ଅଧିକ କାମ କରିବାକୁ ଉତ୍ସାହିତ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଇଛି ।

Leave A Reply

Your email address will not be published.