ଅବକାରୀ ବିଭାଗ ପକ୍ଷରୁ ପାତଳପଡା ଓ ଡଙ୍ଗାବାଞ୍ଜି ଗ୍ରାମରୁ ୨୬ ଲିଟର ଚୋରା ଦେଶୀ ମଦ ଜବତ କରି ୨ ଜଣଙ୍କୁ କୋର୍ଟ ଚାଲାଣ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳରେ ଅପମିଶ୍ରିତ ଚୋରା ଦେଶୀ ଓ ବିଦେଶୀ ମଦ କୁଚିଆ ମଦକୋଠୀ କରି ମହଜୁଦ ରଖି ଖୁଲ୍ଲମ ଖୋଲା ଚଢ଼ା ଦରରେ ବିକ୍ରି ଚାଲିଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି । ଏହି ଅଭିଯୋଗ ଆଧାରରେ ବଙ୍ଗୋମୁଣ୍ଡା ଅବକାରୀ ବିଭାଗ ପକ୍ଷରୁ ପାତଳପଡ଼ା ଓ ଡଙ୍ଗାବାଞ୍ଜି ଗ୍ରାମରେ ଚଢାଉ କରାଯାଇ ମୋଟ ୨୬ ଲିଟର ଚୋରା ଦେଶୀ ମଦ ଜବତ କରି ୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ହଳଦୀ ପଞ୍ଚାୟତ ପାତଳପଡ଼ା ଗ୍ରାମର ମନ୍ମଥ ରଣା (୨୩)ଙ୍କ ଘରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ତାଙ୍କ ପାଖରୁ ୧୪ ଲିଟର ଚୋରା ଦେଶୀ ମଦ ଜବତ କରି ତାଙ୍କୁ ଗିରଫ କରିଥିଲା । ସେହିପରି ମାଳିଶିରା ପଞ୍ଚାୟତ ଡଙ୍ଗାବାଞ୍ଜି ଗ୍ରାମର ଖଗେଶ୍ୱର ଧରୁଆ (୫୦)ଙ୍କ ଘରେ ଚଢ଼ାଉ କରି ତାଙ୍କ ପାଖରୁ ୧୨ ଲିଟର ଚୋରା ଦେଶୀ ମଦ ଜବତ କରି ତାଙ୍କୁ ମଧ୍ୟ ବିଭାଗ ପକ୍ଷରୁ ଗିରଫ କରାଯାଇଥିଲା । ଉଭୟ ଚୋରା ଦେଶୀ ମଦ ବିକ୍ରେତାଙ୍କ ବିରୁଦ୍ଧରେ ବଙ୍ଗୋମୁଣ୍ଡା ଅବକାରୀ ଥାନା ପକ୍ଷରୁ କେସ ନଂ. ୯୬/୨୪ ଓ ୯୭/୨୪ ରୁଜୁ କରାଯାଇ ଗିରଫ ପରେ ମୁରିବାହାଲ କୋର୍ଟ ଚାଲାଣ କରାଯାଇଥିଲା । ଏହି ଚଢାଉରେ ବଙ୍ଗୋମୁଣ୍ଡା ଅବକାରୀ ବିଭାଗ ଏ.ଏସ.ଆଇ ଯତୀନ କୁମାର ଦୀପ, କନେଷ୍ଟବଳ ପ୍ରଫୁଲ୍ଲ ନାଗ ଓ ଲଳିତା ଭୋଇ ସାମିଲ ହୋଇଥିଲେ । ବ୍ଲକ ଅଞ୍ଚଳରେ ଏହି ଅପମିଶ୍ରିତ ଚୋରା ମଦ ପିଇ ବହୁ ଲୋକେ ବିଭିନ୍ନ ପ୍ରକାରର ରୋଗରେ ଆକ୍ରାନ୍ତ ହେଉଥିବା ବେଳେ ଚୋରା ବେପାରୀ ମାଲେମାଲ ହେଉଥିବା ଅଭିଯୋଗ ହେଉଛି ।

Leave A Reply

Your email address will not be published.