ଗ୍ୟାସ୍‌ ସିଲିଣ୍ଡର ଚୋରି ମାମଲାରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗ୍ୟାସ୍‌ ସିଲିଣ୍ଡର ଚୋରି ମାମଲାରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ବଲାଙ୍ଗିର ପୋଲିସ । ଏ ସଂପର୍କରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବଲାଙ୍ଗିର ସଦର ଏସ୍‌ଡ଼ିପିଓ ପ୍ରଦୀପ କୁମାର ସାହୁ । ବଲାଙ୍ଗିର ସହର ନିକଟସ୍ଥ ସାଆନ୍ତପୁର ଗାଁ ପାଖରେ ଥିବା ଭାରତ ଗ୍ୟାସ୍‌ ଗୋଦାମ୍‌ ଘରୁ ଗତ ୧୩ ତାରିଖ ଦିନ ରାତିରେ ଗ୍ୟାସ୍‌ ସିଲିଣ୍ଡର୍‌ ଚୋରି ହେଉଥିବା ସଂପର୍କରେ ପୋଲିସ ପାଖକୁ ସୂଚନା ପହଂଚିଥିଲା । ସୂଚନାକୁ ଆଧାର କରି ସ୍ଥାନୀୟ ଲୋକଙ୍କ ସହଯୋଗରେ ପୋଲିସ ଚଢ଼ାଉ କରି ଗୋଟିଏ ଟାଟା ଏସି ଗାଡ଼ି ସହ କିଛି ଗ୍ୟାସ୍‌ ସିଲିଣ୍ଡର ଜବତ୍‌ କରିଥିଲା । ସେତେବେଳେ ଘଟଣା ସ୍ଥଳରୁ ଅଭିଯୁକ୍ତମାନେ ଫେରାର୍‌ ହୋଇଯାଇଥିଲେ । ଘଟଣାର ଗୁରୁତ୍ୱକୁ ଲକ୍ଷ୍ୟ ରଖି ବଲାଙ୍ଗିର ପୋଲିସ ପକ୍ଷରୁ ପୁଇଁତଲା ଆଇ.ଆଇ.ସି ଓ ସଦର ଆଇ.ଆଇ.ସିଙ୍କ ନେତୃତ୍ୱରେ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଏକ ଟିମ୍‌ ଗଠନ କରାଯାଇଥିବା ବେଳେ ଏବେ ଏହି ମାମଲାର ୪ ଜଣ ଅଭିଯୁକ୍ତଙ୍କୁ ଗିରଫ୍‌ କରିବା ସହ ସେମାନଙ୍କ ପାଖରୁ ଚୋରି ଗ୍ୟାସ୍‌ ସିଲିଣ୍ଡର ମଧ୍ୟ ଜବତ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି । ଏହି ଘଟଣାର କିଛି ଦିନ ପୂର୍ବରୁ ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଝାଙ୍କରପାଲି ନିକଟରେ ଥିବା ଗ୍ୟାସ୍‌ ଗୋଦାମରୁ ମଧ୍ୟ ଗ୍ୟାସ୍‌ ସିଲିଣ୍ଡର ଚୋରି ହୋଇଥିବା ବେଳେ ସେହି ଘଟଣାରେ ମଧ୍ୟ ଗିରଫ୍‌ ଅଭିଯୁକ୍ତମାନେ ସାମିଲ୍‌ ଥିବା ସୂଚନାରୁ ଜଣାପଡ଼ିଛି । ଏହି ଘଟଣାରେ ଗିରଫ୍‌ ଅଭିଯୁକ୍ତମାନେ ହେଲେ ଟାଟା ଏସି ଗାଡ଼ିର ମାଲିକ ତଥା ଡ୍ରାଇଭର୍‌ ଦେଓଗାଁ ଥାନା ସାହାଜବାହାଲର ପ୍ରେମରାଜ ପୁରୋହିତ (୫୨), ପୁଇଁତଲା ଥାନା ବୁବେଲ ଗାଁର ସତ୍ୟ ଓରଫ୍‌ ସତ୍ୟାନନ୍ଦ ନାଏକ (୫୨) ଓ ରଣ୍ଡା ଗାଁର ଟୁନୁ ନନ୍ଦ (୫୦) ଓ ବଲାଙ୍ଗିର ସହର ଇନ୍ଦ୍ରାନଗରର କ୍ଷମାସାଗର ଭୁଏ(୪୬) । ଅଭିଯୁକ୍ତମାନଙ୍କ ଠାରୁ ୫୧ଟି ଖାଲି ଭାରତ ଗ୍ୟାସ ସିଲିଣ୍ଡର ବୋଝେଇ ହୋଇଥିବା ଏକ ଟାଟା ଏସି ଗାଡ଼ି, ଅନ୍ୟତ୍ର ୧୩ଟି ଖାଲି ଭାରତ ଗ୍ୟାସ ସିଲିଣ୍ଡର ଏବଂ ଆହୁରି ୨୪ଟି ଖାଲି ଗ୍ୟାସ ସିଲିଣ୍ଡର ଓ ୪୫ଟି ଗ୍ୟାସ ଭର୍ତ୍ତି ଭାରତ ଗ୍ୟାସ ସିଲିଣ୍ଡର ପୋଲିସ ଜବତ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.