ମହିମା ମଠ ଗୃହ ନିର୍ମାଣ ଅନୁଦାନ ମିଳିନି : ସାଧାରଣରେ ଅସନ୍ତୋଷ

କେସିଙ୍ଗା, (ପ୍ରୀତେଶ ପଟେଲ) : ମହିମା ମଠ ନିର୍ମାଣ ଅନୁଦାନ ମିଳିନଥିବା ବେଳେ ସାଧାରଣରେ ଅସନ୍ତୋଷ ଦେଖିବାକୁ ମିଳିଛି । ସୂଚନା ଅନୁସାରେ କେସିଙ୍ଗା ବ୍ଲକ ଅନ୍ତର୍ଗତ ସିର୍ଜାପାଲି ପଂଚାୟତ ଅଂଚଳରେ ନିର୍ମାଣାଧୀନ ଏକ ଘର ଚର୍‌ଚାର ପରିସରକୁ ଆସିଛି । ଗ୍ରାମର ଜଣେ ଅଲେଖ ମହିମା ବାବାଙ୍କ ମଠରେ ଏକ ଗୃହ ତିଆରି ପାଇଁ ୱାର୍କ୍‌ ଅର୍ଡର୍‌ ଦେବା ଓ ଲେ’ଆଉଟ୍‌ ଦିଆଯିବା ପରେ ବର୍ତ୍ତମାନ ତାହା ଗୋଚର ଜମି ବୋଲି ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି । ବ୍ଲକ ଅନ୍ତର୍ଗତ ସିର୍ଜାପାଲି ପଂଚାୟତରେ ଏକ ଅଲେଖ ମହିମା ପୀଠରେ ତିଆରି ହୋଇଥିବା ଏକ ଘରର ବିଲ୍‌ ନକରି ଏହା ଗୋଚର ଜାଗା ଅଥବା ଗ୍ରାମୀଣ ଜଙ୍ଗଲ ବୋଲି କହିଛି ବ୍ଲକ ପ୍ରଶାସନ । ପ୍ରଥମେ ୬ ଲକ୍ଷ ଟଙ୍କା ଅନୁଦାନ ଆସିଥିବା କୁହାଯିବା ପରେ ତାହା ୩ ଲକ୍ଷ ଟଙ୍କା ବୋଲି କୁହାଯାଇଥିଲା । ପୁଣି ପରେ ଏହାର ବିଲ୍‌ ନକରିବା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି । ଏଠାରେ ପ୍ରଶ୍ନ ଉଠୁଛି, ମହିମା ମଠର ଗୃହ ନିର୍ମାଣ ପାଇଁ ୱାର୍କ ଅର୍ଡର ଓ ଲେ’ ଆଉଟ୍‌ ଦେବା ପୂର୍ବରୁ ବ୍ଲକ୍‌ ପ୍ରଶାସନ କେମିତି ଜାଣିପାରିଲା ନାହିଁ ସଂପୃକ୍ତ ସ୍ଥାନର କିସମ ? ସେ ଯାହା ବି ହେଉ, ଏବେ ମାନସିକ ଚିନ୍ତାରେ ପଡିଛନ୍ତି ବାବା । ଉଧାରବାଡ଼ି କରି ଘର ତିଆରି କଲେ, ହେଲେ ବିଲ୍‌ ନପାଇବାରୁ ଲୋକଙ୍କ ଟଙ୍କା ଫେରସ୍ତ କରିପାରୁନଥିବା ଯୋଗୁଁ ସେ ଚିନ୍ତାରେ ପଡ଼ିଥିବା କୁହାଯାଉଛି ।

Leave A Reply

Your email address will not be published.