csstore

ସତ୍ୟନାରାୟଣ ବେହେରାଙ୍କ ଜୟନ୍ତୀରେ ‘ସମାଜ ଓ ସାମ୍ବାଦିକତା’ ଶୀର୍ଷକ ଆଲୋଚନାଚକ୍ର

  • ସାମ୍ବାଦିକ ଏକାଠି ହେଲେ ଗଣମାଧ୍ୟମ ସୁରକ୍ଷିତ ରହିବ : ତନୟା ପଟ୍ଟନାୟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଂପ୍ରତି ଯାହା ଅବସ୍ଥା ଅଛି ସେଥିରେ ସାମ୍ବାଦିକ ସୁରକ୍ଷିତ ନୁହଁନ୍ତି କି ଗଣମାଧ୍ୟମ ମଧ୍ୟ ସୁରକ୍ଷିତ ନାହିଁ । ସମସ୍ତ ସାମ୍ବାଦିକ ଏକାଠି ହେଲେ ଗଣମାଧ୍ୟମ ସୁରକ୍ଷିତ ରହିବ ବୋଲି ଆଜି ବଲାଙ୍ଗିର ସାମ୍ବାଦିକ ଭବନଠାରେ ସାମ୍ବାଦିକ ସ୍ୱର୍ଗତ ସତ୍ୟନାରାୟଣ ବେହେରାଙ୍କ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ତଥା ମୁଖ୍ୟ ଆଲୋଚିକା ଭାବରେ ଯୋଗଦେଇ ସମ୍ବାଦ ଖବର କାଗଜ ଓ କନକ ନ୍ୟୁଜର ସଂପାଦିକା ତନୟା ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି । ଏହା ସହିତ ‘ସମାଜ ଓ ସାମ୍ବାଦିକତା’ ଉପରେ ନିଜର ମତରଖି କହିଛନ୍ତି ଯେ, ଜଣକ ଉପରେ ଆକ୍ରମଣ ହେଲେ ଅନ୍ୟଜଣେ ନୀରବ ରହିଛି । କେତେକ କ୍ଷେତ୍ରରେ ସାମ୍ବାଦିକ ଓ ସମାଜର କିଛି ବର୍ଗର ଲୋକ ଚିନି ଓ ପାଣି ଭଳି ମିଶିଯାଉଛନ୍ତି । ତେଣୁ କେତେକ ଘଟଣାର ସମ୍ବାଦରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିପାରୁନାହିଁ । ସାମ୍ବାଦିକ ଓ ସମାଜର ସମ୍ପର୍କ ସବୁବେଳେ ତେଲ ଓ ପାଣି ଭଳି ସମ୍ପର୍କ ହେବା ଉଚିତ୍‌ । ଉଭୟ ମିଶିଲେ ମଧ୍ୟ ଉଭୟଙ୍କ ଧର୍ମ ସବୁବେଳେ ଅଲଗା ରହିବା ଆବଶ୍ୟକ ବୋଲି ତନୟା ପଟ୍ଟନାୟକ କହିଛନ୍ତି । ସତ୍ୟନାରାୟଣ ବେହେରା ସ୍ମୃତି କମିଟିର ସଭାପତି ପ୍ରଦୀପ୍ତ କୁମାର ମିଶ୍ରଙ୍କ ସଭାପତିତ୍ୱ ଓ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଓ ବରିଷ୍ଠ ସାମ୍ବାଦିକ ତଥା ଓଟିଭିର ପଶ୍ଚିମ ଓଡିଶା ବ୍ୟୁରୋ ଚିଫ ମନରଂଜନ ଯୋଷୀ ଯୋଗ ଦେଇଥିଲେ । ମନରଂଜନ କହିଥିଲେ ଯେ, କୌଣସି ସମ୍ବାଦ ପରିବେଷଣ ପରେ ସମାଜର ବିଭିନ୍ନ ବର୍ଗର ଲୋକେ ଯେତେବେଳେ ପ୍ରତିକ୍ରୀୟାଶୀଳ ହେବେ, ସେତେବେଳେ ସେହି ସମ୍ବାଦର ପ୍ରଭାବ ବଢିଯାଇଥାଏ । ତେଣୁ ସମାଜର ସମସ୍ୟା ସମାଧାନ ପାଇଁ ସାମାଜିକ ସଂଗଠ, ବ୍ୟକ୍ତିବିଶେଷ ପ୍ରତିକ୍ରିୟା ଦେଖାଇବାର ଆବଶ୍ୟକତା ଅଛି ବୋଲି କହିଥିଲେ । ସ୍ୱର୍ଗତ ସତ୍ୟନାରାୟଣ ବେହେରା ଜଣେ ନିର୍ଭିକ ସାମ୍ବାଦିକ ଥିଲେ ଓ ସେ ଦୀର୍ଘ ୬୦ ବର୍ଷ ଧରି କେବଳ ସାମ୍ବାଦିକତା କରିଥିଲେ । ରାଜ୍ୟର ବିଶିଷ୍ଟ ବ୍ୟକ୍ତି ଯଥା ସ୍ୱର୍ଗତ ରାଜେନ୍ଦ୍ରନାରାୟଣ ସିଂହଦେଓ, ଡ. ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଭଳି ରାଜନେତାଙ୍କ ସହିତ ତାଙ୍କର ଘନିଷ୍ଠତା ରହିଥିଲା । ସାମ୍ବାଦିକତାକୁ ସେ ସେବା ଭାବରେ ନେଇଥିଲେ । ତାଙ୍କ ଜୀବନର ଶେଷ ପର୍ଯ୍ୟନ୍ତ ସାମ୍ବାଦିକତା କରିବା ସହିତ ବିଭିନ୍ନ ବର୍ଗର ଲୋକଙ୍କ ସହିତ ସମ୍ପର୍କ ରଖିଥିଲେ ବୋଲି ସମ୍ମାନିତ ଅତିଥି ପୌରାଧ୍ୟକ୍ଷା ଲିକା ସାହୁ କହିଥିଲେ । ସମାଜରେ ନୈତିକ ସ୍ଖଳନ ହେଉଛି, ତେଣୁ ସାମ୍ବାଦିକତା କ୍ଷେତ୍ରରେ ମଧ୍ୟ ଏହାର ପ୍ରଭାବ ପଡୁଛି ବୋଲି କବି ଭାଗିରଥୀ ମିଶ୍ର କହିଥିଲେ । ସେହିପରି ଡ. ମଞ୍ଜୁବାଳା ପଣ୍ଡା ସମ୍ବାଦ ପରିବେଷଣରେ ଭିନ୍ନତା ରହୁଛି, ତଥାପି ଛୋଟ ଛୋଟ ଘଟଣା ଲୋକଲୋଚନକୁ ଆଣିବାରେ ଗଣମାଧ୍ୟମର ପ୍ରୟାସକୁ ପ୍ରଶଂସା କରିଥିଲେ । ସମାଜସେବୀ ବିଙ୍ଗ ହ୍ୟୁମେନ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ସୋମନାଥ ମିଶ୍ର ତାଙ୍କ ବକ୍ତବ୍ୟରେ ସାମ୍ବାଦିକମାନଙ୍କ ପ୍ରେରଣାରେ ହିଁ ଯୁବକମାନେ ଆଜି ସମାଜସେବାକୁ ଆଗକୁ ନେଉଛନ୍ତି ବୋଲି ମତ ଦେଇଥିଲେ । ସ୍ୱର୍ଗତ ବେହେରାଙ୍କ ପୁତ୍ର ସୁଧାକର ବେହେରା ସ୍ମୃତିଚାରଣ କରିଥିବା ବେଳେ ସାଇଶ୍ରୀରାମ ମିଶ୍ର ବେଦପାଠ କରିଥିଲେ । କମିଟିର ସଂପାଦକ ଶରତକୁମାର ମହାକୁର ମଞ୍ଚାସୀନ ଥିଲେ । ଏହି ଅବସରରେ ତନୟା ପଟ୍ଟନାୟକଙ୍କୁ ସତ୍ୟନାରାୟଣ ବେହେରା ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ଡ. ଜ୍ୟୋତି ପାଣିଗ୍ରାହୀ, ଡ. ମଞ୍ଜୁବାଳା ପଣ୍ଡା, ସରସ୍ୱତୀ ନନ୍ଦ, ସାଗରିକା ଗୁରୁ ମାନପତ୍ର ଓ ଉପଢୌକନ ପ୍ରଦାନ କରିଥିବା ବେଳେ ପରିବେଶ ସୁରକ୍ଷା ପାଇଁ କାମ କରୁଥିବାରୁ ‘ପୁନଶ୍ଚ ପୃଥିବୀ’ ନାମକ ଏକ ମୋଡେଲ ଉପହାର ଆକାରରେ ହରିନାରାୟଣ ପୂଜାହାରୀ, ଡ. ଶ୍ରୀକର ମିଶ୍ର ଓ କବି ଭାଗିରଥି ମିଶ୍ର ପ୍ରଦାନ କରିଥିଲେ । ସାମ୍ବାଦିକ ତଥା କବି ଆନନ୍ଦ ଚନ୍ଦ୍ର ସାହୁ ମାନପତ୍ର ପଠନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡ. ବେଣୁଧର ପାଣ୍ଡେ, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ବରିଷ୍ଠ ସାମ୍ବାଦିକ ସୁଭାଷ ପଣ୍ଡା, ଗୋପବନ୍ଧୁ ଶତପଥି, ଶରତ ମିଶ୍ର, ସତ୍ୟସୁନ୍ଦର ଭଞ୍ଜ, ବିଶ୍ୱଜିତ ଦାସ, ସୁନିଲ ମହାନ୍ତି, ସନ୍ଦିପକୁମାର କୁଅଁର, ବୀରେନ୍ଦ୍ର ଝାଙ୍କର, ତରୁଣ ସାହୁ, ଅରୁଣ ମିଶ୍ର, ଅଞ୍ଜନ ପଧାନ, ବାରଣ ଭୁୟାଁ, ରିତୁରାଜ ସିଂ, କିଶୋର ସା, ଶେଷଦେବ ମେର୍ଲିଙ୍କ ସମେତ ବରିଷ୍ଠ ନେତା ଲକ୍ଷ୍ମଣକୁମାର ମେହେର, ବରିଷ୍ଠ ନାଗରିକ ମଞ୍ଚର ପ୍ରଭାକର ମିଶ୍ର, ଗୌରଚନ୍ଦ୍ର ପୁରୋହିତ, ପ୍ରଦୀପ ମହାନ୍ତି, ବିପ୍ଲବ ସାହୁ, ରତ୍ନମୟ ତ୍ରୀପାଠୀ, ଅର୍ଜୁନ ସାହୁ, ଡ. ସିଦ୍ଧେଶ୍ୱର ମିଶ୍ର ପ୍ରମୁଖଙ୍କ ସହ ଶତାଧିକ ବୁଦ୍ଧିଜୀବୀ ଯୋଗ ଦେଇଥିଲେ । ଶେଷରେ ସାମ୍ବାଦିକ ବିଭୂକଲ୍ୟାଣ ଗଡତ୍ୟା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.