ଟାଟା ପାୱାରର ସ୍ମାର୍ଟ ମିଟରକୁ ବଲାଙ୍ଗିର ଗ୍ରହଣ କରିବ ନାହିଁ – ନାଗରିକ କମିଟି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପତିତପାବନ ଏକାଡେମୀର ସଭାଗୃହରେ ଟିପିଡବ୍ଲୁଓଡିଏଲ୍‌ ବଲାଙ୍ଗିର ତରଫରୁ ସ୍ମାର୍ଟ ମିଟର ଲଗାଣ ଉପରେ ଏକ ସମ୍‌ଝୋତା ସଭାର ଆୟୋଜନ କରାଯାଇଥିଲା । ଏଥିରେ ବଲାଙ୍ଗିର ମଣ୍ଡଳର ଅଧିକ୍ଷଣ ଯନ୍ତ୍ରୀ ଆଶିଷ କୁମାର ପଣ୍ଡା, ବଲାଙ୍ଗିର ବିଦ୍ୟୁତ୍‌ ଖଣ୍ଡ ନିର୍ବାହୀଯନ୍ତ୍ରୀ ସୁବ୍ରତ କୁମାର ସେଠ, ମୁଖ୍ୟ ବାଣିଜ୍ୟିକ ଅଧିକାରୀ (ବୁର୍ଲା) ପରମାନନ୍ଦ ତେନ୍ଦୁଳକର ଓ ବୈଷୟିକ ମୁଖ୍ୟ (ବୁର୍ଲା) ଅନିଲ କୁମାର ଓଝା ମଂଚାସୀନ ଥିଲେ । ବଲାଙ୍ଗିର ନାଗରିକ କମିଟି ଓ ବହୁ ସାମାଜିକ ସଂଗଠନର ପ୍ରତିନିଧି ବୃନ୍ଦ ଏହି ସଭାରେ ଯୋଗଦାନ କରିଥିଲେ । ବୈଷୟିକ ମୁଖ୍ୟ ଅନିଲ କୁମାର ଓଝା ସ୍ମାର୍ଟ ମିଟରର ବୈଷୟିକ ଦିଗ ଉପରେ ଆଲୋଚନା କରିଥିବା ବେଳେ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ପଣ୍ଡା ସ୍ମାର୍ଟ ମିଟର ଅଧିକ ଲାଭଦାୟକ ହେବ ଓ ତାକୁ ଗ୍ରହଣ କରାଯାଉ ବୋଲି ଯୁକ୍ତି ଉପସ୍ଥାପନା କରିଥିଲେ । ସ୍ମାର୍ଟ ମିଟରର କୁପରିଣାମ ସମ୍ପର୍କରେ ସୂଚିତ କରାଇ ଉପସ୍ଥିତ ସଦସ୍ୟବୃନ୍ଦ ଏହାର ପ୍ରବଳ ବିରୋଧ କରିଥିଲେ । ଉପସ୍ଥିତ ସଦସ୍ୟମାନେ ଯେଉଁ ସବୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ରଖିଥିଲେ ତାକୁ ଟିପିଡବ୍ଲୁଓଡିଏଲ୍‌ର ଅଧିକାରୀ ବୃନ୍ଦ ସମାଧାନ କରିପାରିନଥିଲେ । ଏତଦ୍‌ ବ୍ୟତୀତ ଅଘୋଷିତ ବିଦ୍ୟୁତ୍‌ କାଟ, ବିଦ୍ୟୁତ୍‌ ଫେଲ, ଲୋ ଭୋଲଟେଜ୍‌ ସମସ୍ୟା, ଦୟନୀୟ ବିଦ୍ୟୁତ୍‌ ସେବା ତଥା ଅହେତୁକ ବିଲ୍‌ ବୃଦ୍ଧି ଓ ଉପଭୋକ୍ତାମାନଙ୍କୁ ଅଯଥାରେ ହଇରାଣ ହରକତ ସମ୍ପର୍କରେ ସଦସ୍ୟମାନେ ପ୍ରତିକ୍ରିୟା ରଖିଥିଲେ । ଯାହାର ଉତ୍ତର ବିଭାଗୀୟ ଅଧିକାରୀମାନଙ୍କ ପାଖରେ ନଥିଲା । ଶେଷରେ ଟାଟା ପାୱାରର ସ୍ମାର୍ଟ ମିଟରକୁ ବର୍ଜନ ତଥା ଆଗ୍ରାହ୍ୟ କରିବାକୁ ଉପସ୍ଥିତ ସଦସ୍ୟବୃନ୍ଦ ସିଦ୍ଧାନ୍ତ ଗ୍ରହଣ କରିଥିଲେ ଓ ଖୋଳାଖୋଳି ଭାବରେ ଅଧିକାରୀବର୍ଗଙ୍କୁ ଜଣାଇଦେଇ ଥିଲେ । ଅନ୍ୟମାନଙ୍କ ସମେତ ବଲାଙ୍ଗିର ନାଗରିକ କମିଟିର ସଭାପତି ଡ. ଶ୍ରୀକର ମିଶ୍ର, ସଂପାଦକ ମଧୁସୁଦନ ନାୟକ, ସଦସ୍ୟ ଦୁର୍ଗା ପ୍ରସାଦ ହୋତା, ଦିବାକର ହୋତା, କାର୍ଯ୍ୟକାରୀ କମିଟିର ସଦସ୍ୟ ଗୌରଚନ୍ଦ୍ର ପୁରୋହିତ, ଗୋପବନ୍ଧୁ ପୁରୋହିତ, ବ୍ରାହ୍ମଣ ସମାଜର ସଭାପତି ଧନଞ୍ଜୟ ମିଶ୍ର, ସଦସ୍ୟ ଅଶୋକ କୁମାର ମିଶ୍ର (ଏଡ୍‌ଭୋକେଟ), ଅଶୋକ କୁମାର ମିଶ୍ର (ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ), ଇଂ. କିଶୋର ମୋହନ ମିଶ୍ର ପ୍ରମୁଖ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.