ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକରେ ପି.ଏମ୍. ଜନମନ୍ ଯୋଜନା ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ – ଜିଲ୍ଲାପାଳ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପ୍ରଧାନମନ୍ତ୍ରୀ ଜନମନ୍ ଯୋଜନାରେ ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକ ଅନ୍ତର୍ଭୁକ୍ତ କରାଯାଇଛି । ପାତ୍ରପୁର ବ୍ଲକର ଆଦିବାସୀ ଅଧୂଷିତ ଅଞ୍ଚଳ ଯଥା – ତୁମ୍ବା, ବୁରାତାଲ, ଆଙ୍କୁଲି ଆଦି ତିନୋଟି ଗ୍ରାମ ପଞ୍ଚାୟତର ୧୨୨ଟି ଗାଁରେ ଖୁବ୍‌ଶୀଘ୍ର ସେଠାକାର ଅଧିବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଜନମନ୍ ଯୋଜନାରେ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବା ନିମନ୍ତେ କେନ୍ଦ୍ର ସରକାରଙ୍କ ଯୋଜନାରେ ବିଭିନ୍ନ ପ୍ରକଲ୍ପମାନ ନିର୍ମାଣ କରିବାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରିଛନ୍ତି । ଖୁବ୍‌ଶୀଘ୍ର ଏକ ମାସ ମଧ୍ୟରେ ସେହି ଅଞ୍ଚଳରେ ଲୋକଙ୍କ ଉଦ୍ଦେଶ୍ୟରେ ସମସ୍ତ ସୁବିଧା ଉପଲବ୍ଧ ହେବ ବୋଲି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି । ଗଞ୍ଜାମ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା-ଅଭିଯାନ କାର୍ଯ୍ୟକାରୀ ହେବ । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପ୍ରଥମ ପ୍ରସ୍ତୁତି ବୈଠକ ଶୁକ୍ରବାର ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଟି ପରିଚାଳନା କରିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପୃଷ୍ଟି ଅବଗତ କରାଇଥିଲେ ଯେ, ଗତ ବର୍ଷ ନଭେମ୍ବର ୨୦୨୩ ମସିହା ୧୫ ତାରିଖରେ ପ୍ରଧାନ ମନ୍ତ୍ରୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଚଳିତ ମାସ ୨୩ ତାରିଖରୁ ଆସନ୍ତା ସେପ୍ଟେମ୍ବର ମାସ ୧୦ ତାରିଖ ପର୍ଯ୍ୟନ୍ତ ମିଶନ୍ ମୋଡ୍‌ରେ ଅନୁସନ୍ଧାନ କାର୍ଯ୍ୟଶେଷ ହୋଇ ଏହାର କାର୍ଯ୍ୟକାରୀତା ଘେନି ଖସଡା ପ୍ରସ୍ତୁତ କରାଯାଉଛି ବୋଲି କୁହାଯାଇଛି । ସୂଚନାଯୋଗ୍ୟ ଯେ’ ପ୍ରଧାନମନ୍ତ୍ରୀ ଜନମନ୍ ପରିଯୋଜନାରେ ଏକ ନିର୍ଦ୍ଦିଷ୍ଟ ରୂପେ ଦୁର୍ବଳ ଜନଜାତି ସମୁଦାୟଙ୍କ ଜୀବନର ମାନ ଉନ୍ନତି ହୋଇପାରିବ । ଏହି ଯୋଜନା ଭାରତର ୧୮ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟକାରୀତା ସହ ପରବର୍ତ୍ତି ତିନି ବର୍ଷରେ ଏହି ମିଶନ୍ ପାଇଁ ୨୪ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ସମୁଦାୟ ପ୍ରକଳ୍ପମାନ ଉତ୍ସର୍ଗୀତ କରାଯାଉଛି । ଦୁର୍ବଳ ଜନଜାତି ସମୁଦାୟଙ୍କ ଜୀବନ ମାନ ଉନ୍ନତି ଆଣିବା ସକାଶେ ସମସ୍ତଙ୍କ ପାଇଁ ପକ୍କାଘର ଯେଉଁଥିରେ ସ୍ଥାନୀୟ ଢାଞ୍ଚା ଆଧାରରେ ଶୌଚାଳୟ ସହ ପକ୍କାଘର ନିର୍ମାଣ ହେବ । ପ୍ରତ୍ୟେକ ଘରକୁ ନଳ ମାଧ୍ୟମରେ କଳପାଣି ଲୋକଙ୍କୁ ଯୋଗାଇ ଦିଆଯିବ । ପ୍ରତିଟି ଗାଁ ଗାଁକୁ ରାସ୍ତା, ଘରକୁ ବିଜୁଳି, ଉତ୍ତମ ଶିକ୍ଷା, ଦକ୍ଷତା ବିକାଶ, ସ୍ୱାସ୍ଥ୍ୟ ସୁବିଧା, ଉନ୍ନତ ପୋଷଣ, ଉନ୍ନତ ଜୀବନ ଧାରା, ଦୂର ସଞ୍ଚାର ମାଧ୍ୟମରେ ଉନ୍ନତ ଟେଲିକମ୍ ଯୋଗାଯୋଗର ବ୍ୟବସ୍ଥା କରାଯିବ, ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଆଧାରରେ ନିଃଶୁଳ୍କ ରାସନ, ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଆଧାରରେ ନିଃଶୁଳ୍କ ରନ୍ଧନ ଗ୍ୟାସ ଯୋଗାଣ କରାଯିବା, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଆଧାରରେ ଆୟୁଷ୍ମାନ୍ ଭାରତ, ପ୍ରଧାନ ମନ୍ତ୍ରୀ ମାତୃବନ୍ଦନା ଯୋଜନା ଆଧାରରେ ଗର୍ଭବତୀ ମା’ ମାନଙ୍କୁ ଆର୍ଥିକ ସହାୟତା, ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା ଆଧାରରେ ଗର୍ଭବତୀ ଓ ପ୍ରସୁତୀ ମାଆମାନଙ୍କୁ ଆର୍ଥିକ ସହାୟତା, ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ଯୋଜନା ଆଧାରରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରସବ, ସିକିଲ ସେଲ, ଆନିମିଆ, ଶତ ପ୍ରତିଶତ ଟୀକାକରଣ, ଯକ୍ଷ୍ମାରୋଗର ନିବାରଣ, ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ସୁବ୍ୟବସ୍ଥିତ ମଧ୍ୟାହ୍ନ ଭୋଜନ ଯୋଗାଇବା, ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ସୁକନ୍ୟା ସମୃଦ୍ଧି ଯୋଜନା ଇତ୍ୟାଦି ୨୨ ଗୋଟି ଯୋଜନା କାର୍ଯ୍ୟକାରୀ କରାଯିବାକୁ ବ୍ୟବସ୍ଥା କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ପରିଡା ଜଣାଇଥିଲେ । ସମସ୍ତ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଯେମିତି ଶେଷ ହେବ ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକ୍‌ର ତୁମ୍ବା ଅଞ୍ଚଳ ଗ୍ରାମକୁ ରାସ୍ତା ସଠିକ ନଥିବା ହେତୁ ଶ୍ରମଦାନ କରି ଘର ତିଆରି ସାମଗ୍ରୀ ବୋହି ନେବାକୁ ଜିଲ୍ଲାପାଳ ଶ୍ରୀ ପରିଡା ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.