ଆର୍‌ଜି କର ମେଡିକାଲ ଘଟଣାରେ ମୃତକଙ୍କ ପରିଚୟ ହଟାଇବା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବେ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ

  • ସବୁ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଏବଂ ବୈଦ୍ୟୁତିକ ଗଣମାଧ୍ୟମରୁ ମୃତକଙ୍କ ନାମ, ଫଟୋ ଏବଂ ଭିଡିଓ କ୍ଲିପ୍ ସମେତ ସମସ୍ତ ବିବରଣୀ ତୁରନ୍ତ ହଟାଇବା ଆବଶ୍ୟକ
     
    ନୂଆଦିଲ୍ଲୀ, (ପିଆଇବି) : ଆର୍‌ଜି କର ମେଡିକାଲ କଲେଜ ଘଟଣାରେ ମୃତକଙ୍କ ନାମ ଓ ଫଟୋ ପ୍ରସାରଣ ଶୀର୍ଷକ ମାମଲାରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଭାରତରେ କାର୍ଯ୍ୟରତ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମଗୁଡ଼ିକୁ ୨୦ ଅଗଷ୍ଟ ୨୦୨୪ରେ ସୁପ୍ରିମକୋର୍ଟଙ୍କ ଆଦେଶ ପାଳନ କରିବାକୁ କହିଛି । ମୃତକଙ୍କ ନାମ ସହ ମୃତକଙ୍କ ଫଟୋ ଓ ଭିଡିଓ କ୍ଲିପ୍‌କୁ ସମସ୍ତ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଓ ବୈଦ୍ୟୁତିକ ଗଣମାଧ୍ୟମରୁ ତୁରନ୍ତ ହଟାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସମ୍ପୃକ୍ତ ଘଟଣା ସହ ଜଡ଼ିତ ସମ୍ବେଦନଶୀଳ ବିଷୟବସ୍ତୁର ପ୍ରସାରଣକୁ ନେଇ ଉଦ୍‌ବେଗ ପ୍ରକାଶ ପାଇବା ପରେ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ଅଦାଲତଙ୍କ ଆଦେଶର କାର୍ଯ୍ୟକାରୀ ପାରାଗ୍ରାଫ୍‌ ନିମ୍ନରେ ଦିଆଗଲା: ମୃତଦେହ ଉଦ୍ଧାର ପରେ ସାମାଜିକ ଓ ବୈଦ୍ୟୁତିକ ଗଣମାଧ୍ୟମ ମୃତକଙ୍କ ପରିଚୟ ଓ ମୃତଦେହର ଫଟୋ ପ୍ରକାଶ କରିବାକୁ ଉଦ୍ୟମ କରୁଥିବାରୁ ଏହି ଅଦାଲତ ଏକ ଆଦେଶ ଜାରି କରିବାକୁ ବାଧ୍ୟ ହୋଇଛନ୍ତି । ଏହି ଆଦେଶକୁ ପାଳନ କରି ଉପରୋକ୍ତ ଘଟଣାରେ ମୃତକଙ୍କ ନାମ, ଫଟୋ ଏବଂ ଭିଡିଓ କ୍ଲିପ୍‌କୁ ତୁରନ୍ତ ସମସ୍ତ ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମ ଏବଂ ବୈଦ୍ୟୁତିକ ଗଣମାଧ୍ୟମରୁ ହଟାଇବାକୁ ଆମେ ନିର୍ଦ୍ଦେଶ ଦେଉଛୁ । ଏହି ଆଦେଶକୁ ଦୃଷ୍ଟିରେ ରଖି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ଗୋପନୀୟତା ଏବଂ ସମ୍ମାନକୁ ସୁରକ୍ଷିତ ରଖିବା ପାଇଁ ଅଦାଲତଙ୍କ ନିର୍ଦ୍ଦେଶକୁ ପାଳନ କରିବା ଉପରେ ଗୁରୁତ୍ୱାରୋପ କରିଛି । ତେଣୁ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମଗୁଡିକ ଏହି ଆଦେଶକୁ ପାଳନ ସୁନିଶ୍ଚିତ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ । ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ସମସ୍ତ ସାମାଜିକ ଗଣମାଧ୍ୟମ କମ୍ପାନୀମାନଙ୍କୁ ଅନୁରୋଧ କରିଛି ଯେ, ସେମାନେ ଏଭଳି ସମ୍ବେଦନଶୀଳ ସୂଚନାକୁ ଆଉ ପ୍ରସାରିତ ନକରିବା ନିଶ୍ଚିତ କରନ୍ତୁ । ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ପାଳନ କରିବାରେ ବିଫଳ ହେଲେ ଆଇନଗତ ପରିଣାମ ଏବଂ ପରବର୍ତ୍ତୀ ନିୟାମକ କାର୍ଯ୍ୟାନୁଷ୍ଠାନ ହୋଇପାରେ । ସମସ୍ତ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ [email protected] ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟକୁ ସୁପ୍ରିମକୋର୍ଟଙ୍କ ଆଦେଶ ପାଳନ ଜବାବରେ ନିଆଯାଇଥିବା ପଦକ୍ଷେପ ବିଷୟରେ ଅବଗତ କରାଇବେ ।
Leave A Reply

Your email address will not be published.