ନୀତି ଆୟୋଗର ସଦ୍ୟତମ ତଥ୍ୟ : ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା

  • ଓଡିଶାକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ପ୍ରସ୍ତାବ ବିଚାରାଧିନ ନାହିଁ
  • କେବିକେରେ ଜୀବନଧାରଣ ମାନକୁ ଉନ୍ନତ କରିବା ପାଇଁ ପ୍ରସ୍ତାବ ନାହିଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶାକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ପ୍ରସ୍ତାବ ନୀତି ଆୟୋଗର ବିଚାରାଧିନ ନାହିଁ ବୋଲି ନୀତି ଆୟୋଗର ଜନ ସୂଚନା ଅଧିକାରୀ (ଓଡିଶା) ରାଧିକା ଶର୍ମା ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡାଙ୍କୁ ତଥ୍ୟ ପ୍ରଦାନ କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଓଡିଶାକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ଦେବା ପାଇଁ ବିଭିନ୍ନ ରାଜନୈତିକ ଦଳ ଦୀର୍ଘ ଦିନରୁ ଦାବୀ କରି ଆସୁଛନ୍ତି । ଏହି ଦାବୀକୁ ନେଇ ବିଧାନସଭାରେ ମଧ୍ୟ ପୂର୍ବରୁ ସଂକଳ୍ପ ପାରିତ ହୋଇଛି କିନ୍ତୁ ପୂର୍ବରୁ ଯୋଜନା କମିଶନ ମନା କରି ଦେଇଥିଲେ ଏବଂ ବର୍ତ୍ତମାନ ନୀତି ଆୟୋଗ ମଧ୍ୟ ଗତ ଅଗଷ୍ଟ ୧୪ରେ ପ୍ରଦାନ କରିଥିବା ସଦ୍ୟତମ ତଥ୍ୟରେ ଏଭଳି ପ୍ରସ୍ତାବ ବିଚାରାଧିନ ନାହିଁ ବୋଲି ସ୍ପଷ୍ଟ ଭାବେ ସୂଚନା ପ୍ରଦାନ କରିଛନ୍ତି । ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତିରେ ଅନେକ ସମୟରେ ଝଡ ସୃଷ୍ଟି ହୋଇଥିବା ବେଳେ ନିତି ଆୟୋଗର ଏହି ତଥ୍ୟ ରାଜ୍ୟର ରାଜନୈତିକ ଦଳମାନଙ୍କ ପାଇଁ ଏକ ଆହ୍ୱାନ ସୃଷ୍ଟି କରିଛି ବୋଲି ସୂଚନା କର୍ମୀ ପଣ୍ଡା କହିଛନ୍ତି । କେବିକେ ଅଞ୍ଚଳର ଲୋକଙ୍କ ଜୀବନ ଧାରଣ ମାନକୁ ଉନ୍ନତ କରିବା ପାଇଁ କୌଣସି ପ୍ରସ୍ତାବ ବିଚାରାଧିନ ନାହିଁ ବୋଲି ମଧ୍ୟ ନୀତି ଆୟୋଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି ବୋଲି ପଣ୍ଡା କହିବା ସଙ୍ଗେ କେବିକେ ଅଞ୍ଚଳର ଲୋକଙ୍କ ଜୀବନଜୀବୀକା ଉପରେ ମଧ୍ୟ କୌଣସି ଅଧ୍ୟୟନ ହୋଇ ନାହିଁ ବୋଲି ତଥ୍ୟ ପ୍ରଦାନ କରାଯାଇଥିବା ସେ କହିଛନ୍ତି । ସୂଚନା କର୍ମୀ ପଣ୍ଡା ପୁଣି କହିଛନ୍ତି ଯେ, ଅବିଭକ୍ତ କଳାହାଣ୍ଡି, ବଲାଙ୍ଗିର ଓ କୋରାପୁଟ ଜିଲ୍ଲାର ସାମାଜିକ ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ କେବିକେ ଯୋଜନାର ଶୁଭାରମ୍ଭ ଦୁଇ ଦଶନ୍ଧି ପୂର୍ବେ ତଥା ୧୯୯୬ ମସିହାରେ କରାଯାଇ ପ୍ରଚୁର ଅର୍ଥ ରାଜ୍ୟକୁ କେନ୍ଦ୍ର ସରକାର ପ୍ରଦାନ କରିଥିଲେ । ଏହାକୁ ପୁଣି ୧୯୯୮ ମସିହାରେ ପରିବର୍ଦ୍ଧିତ କରାଯାଇ ଆର.ଏଲ.ଟି.ଏ.ପି କରାଯାଇଥିଲା । ଏହାର ସୁଫଳ ଏହି ଅଞ୍ଚଳର ୮୦ଟି ବ୍ଲକର ସାଧାରଣ ଜନତା ପାଇବା ପୂର୍ବରୁ ଯୋଜନାକୁ ବନ୍ଦ କରି ଦିଆଯାଇଥିଲା । ରାଜ୍ୟରେ ଦୀର୍ଘ ୨୪ବର୍ଷ ଧରି ଏକ ଆଞ୍ଚଳିକ ଦଳର ସରକାର ରହିଥିଲେ ମଧ୍ୟ ଏହି ଅଞ୍ଚଳର ଆଖିଦୃଶିଆ ବିକାଶ ହୋଇ ନାହିଁ । କେନ୍ଦ୍ରୀୟ ଯୋଜନାରେ କେବଳ କେତେକ ମେଡିକାଲ କଲେଜକୁ ବାଦ ଦେଲେ ଅଞ୍ଚଳର ସାମାଜିକ ଅର୍ଥନୈତିକ କ୍ଷେତ୍ରରେ ବିଶେଷ ପରିବର୍ତ୍ତନ ହୋଇନାହିଁ । ପୁଣି ଥରେ କେବିକେ ଅଞ୍ଚଳ ଲୋକଙ୍କ ଜୀବନଧାରଣ ମାନକୁ ନେଇ ଅଧ୍ୟୟନ କରାଯିବା ଆବଶ୍ୟକ ବୋଲି ପଣ୍ଡା କହିଛନ୍ତି ।

Leave A Reply

Your email address will not be published.