କୋଇଡାରେ ‘ହର ଘର ତ୍ରିରଙ୍ଗା ଅଭିଯାନ’ କାର୍ଯ୍ୟକ୍ରମ ଆରମ୍ଭ

ସୁନ୍ଦରଗଡ, (ସମ୍ବିତ ଜେନା) : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆୱାନ କ୍ରମେ ଗତକାଲି ଲୋକସେବା ଭବନରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ହର ଘର ତ୍ରିରଙ୍ଗା’ ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ କୋଇଡା ବ୍ଲକ ପ୍ରଶାସନ ତରଫରୁ କୋଇଡାରେ ମଧ୍ୟ ‘ହର ଘର ତ୍ରିରଙ୍ଗା’ ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଆଜି ଦିନ ଏଗାରଟା ସମୟରେ କୋଇଡା ବ୍ଲକ ପରିସରରୁ ଏକ ଶୋଭାଯାତ୍ରା ବାହାରି କୋଇଡା ପରିକ୍ରମା କରି କୋଇଡା ବସ୍‌ଷ୍ଟାଣ୍ଡରେ ପହଂଚିଥିଲେ । ସମସ୍ତେ ହାତରେ ତ୍ରିରଙ୍ଗା ପତାକା ଧରି ବନ୍ଦେ ମାତରମ ସ୍ଲୋଗାନ ଦେଇ ପରିକ୍ରମା କରିଥିଲେ । କୋଇଡା ବସ୍‌ଷ୍ଟାଣ୍ଡରେ ଥିବା ବୀର ବିର୍ସାମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । କୋଇଡା ବିଡ଼ିଓ ରଶ୍ମି ରେଖା ପାତ୍ରଙ୍କ ନେତୃତ୍ୱରେ ଆଖପାଖ ସମସ୍ତ ସ୍କୁଲର ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ତହସିଲଦାର ଅନିଲ ଆଚାର୍ଯ୍ୟ, କୋଇଡା ବ୍ଲକ ଅଧ୍ୟକ୍ଷ ସୁରେଶ ନାଏକ, କୋଇଡା (ଖ) ଜିଲ୍ଲାପରିଷଦ ସଭ୍ୟ ଅଶୋକ ନାଏକ, ମେଲେରି ବାରିକ, କୁନା ପୂଜାରୀଙ୍କ ସମେତ ସ୍ଥାନୀୟ ଜନସାଧାରଣ ଓ ବହୁ ଯୁବ ଗୋଷ୍ଟୀ ଯୋଗ ଦେଇଥିଲେ । ଏହି ଅବସରରେ ଏକ ବାଇକ୍‌ ରାଲି କୋଇଡା ବ୍ଲକ ପରିସରରୁ ବାହାରି କୋଇଡା ଥାନା ଛକ ମେଡିକାଲ ଛକ ଓଏମ୍‌ଏମ୍‌ ଛକ ପରିକ୍ରମା କରି ପୁଣି ଥରେ କୋଇଡା ବ୍ଲକ ପରିସରରେ ପହଂଚି ଥିଲା । ଏହି ବାଇକ୍‌ ରାଲିରେ ହାତରେ ତ୍ରିରଙ୍ଗା ଧରି ଭାରତ ମାତାକି ଜୟ ସ୍ଲୋଗାନ ଦିଆଯାଇଥିଲା । ଠିକ୍‌ ସେହିପରି କୋଇଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ତରଫରୁ ‘ହର ଘର ତ୍ରିରଙ୍ଗା’ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସରପଞ୍ଚ ହୃଷିକେଶ ଦେହୁରୀଙ୍କ ନେତୃତ୍ୱରେ ସମସ୍ତ ୱାର୍ଡ ମେମ୍ବର ଓ ବହୁ ବୁଦ୍ଧିଜୀବୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ବ୍ଲକ ପ୍ରଶାସନ ତରଫରୁ ତ୍ରିରଙ୍ଗା ମାରାଥନ ଦୌଡ଼, ତ୍ରିରଙ୍ଗା କାନ୍‌ଭାସ୍‌ ଅଙ୍କନ ପ୍ରତିଯୋଗିତା ଓ ଅନ୍ୟାନ୍ୟ କ୍ରୀଡା ପ୍ରତିଯୋଗିତା ଆୟୋଜନ ସହିତ କୃତୀ ପ୍ରତିଯୋଗୀ ମାନଙ୍କୁ ସ୍ୱାଧୀନତା ଦିବସରେ ପୁରସ୍କୃତ କରାଯିବା ନେଇ କୋଇଡା ବିଡ଼ିଓ ରଶ୍ମିରେଖା ପାତ୍ର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.