ପିଲା କଳି କାଳ ହେଲା

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନୂଆପଡାରେ ମହିଳାଙ୍କୁ ହତ୍ୟା ଘଟଣାର ହତ୍ୟାକାରୀ ଥାନାରେ ଆତ୍ମ ସମର୍ପଣ କରିଥିବା ବେଳେ ଘଟଣା ସଂପର୍କରେ ଖୁଲାସା କରିଛନ୍ତି ଏସ୍‌ଡ଼ିପିଓ । କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ନୂଆପଡାରେ ଘଟିଥିବା ଏହି ଅଭାବନୀୟ ଘଟଣା ସାରା ବଲାଙ୍ଗିର ଜିଲ୍ଲାରେ ଚହଳ ସୃଷ୍ଟି କରିଛି । ଏବେ ଏହି ଘଟଣାର ଲୋମହର୍ଷଣକାରୀ ସିସିଟିଭି ଫୁଟେଜ୍‌ ସୋସିଆଲ୍‌ ମିଡ଼ିଆରେ ଘୁରି ବୁଲୁଥିବା ବେଳେ ଜଣେ ମଣିଷ ଏତେ ବି ନୃଶଂସ ହୋଇପାରେ, ଏ ଦୃଶ୍ୟରୁ ଜଳ ଜଳ ଜଣାପଡ଼ୁଛି । ଜଣେ ମହିଳାଙ୍କୁ ଲୁହା ରଡ୍‌ରେ ବାରମ୍ବାର ପ୍ରହାର କରି ହତ୍ୟା କରିଛନ୍ତି ଜଣେ ଯୁବକ । ଯୁବକ ଜଣକ ହେଲେ ନୂଆପଡାର ସୁଦାମ ବେହେରା । ଘଟଣାରେ ମୃତ୍ୟୁବରଣ କରିଥିବା ମହିଳା ଜଣକ ହେଲେ ଶ୍ରୀମତୀ ପୁଷ୍ପା ମେହେର । ସୂଚନା ଅନୁସାରେ ପୁଷ୍ପା ଓ ସୁଦାମଙ୍କ ଝିଅ ପୁଅ ସ୍କୁଲରେ କୌଣସି କାରଣରୁ କଳି ଝଗଡା ହୋଇଥିଲେ । ଏହାକୁ କେନ୍ଦ୍ର କରି ସୁଦାମ ଏବଂ ପୁଷ୍ପାଙ୍କ ଭିତରେ କଳି ଆରମ୍ଭ ହୋଇଥିଲା । ପରେ ସୁଦାମ ରାଗି ଯାଇ ଏକ ଲୁହା ରଡ୍‌ ସାହାଯ୍ୟରେ ପୁଷ୍ପାଙ୍କୁ ବାରମ୍ବାର ଆକ୍ରମଣ କରିବାରୁ ଗୁରୁତର ହୋଇ ଘଟଣାସ୍ଥଳରେ ଟଳି ପଡ଼ିଥିଲେ । ପରିବାରବର୍ଗ ପୁଷ୍ପାଙ୍କୁ ଡାକ୍ତରଖାନା ନେବାରୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ହତ୍ୟାକାରୀ ସୁଦାମ ଥାନାରେ ଆତ୍ମସମର୍ପଣ କରିଥିଲା । ସେପଟେ ପୁଷ୍ପାଙ୍କ ପରିବାରବର୍ଗ ଡାକ୍ତରଖାନାରେ ଏବଂ ଥାନା ସମ୍ମୁଖରେ ଅଷନ୍ତୋଷ ପ୍ରକାଶ କରିଥିବା ବେଳେ ଉତ୍ତେଜନା ଦେଖାଦେଇଥିଲା । ଏପରିକି ଥାନା ପରିସରରେ ଥିବା ରାସ୍ତା ଉପରେ ଟାୟାର ଜାଳି ରାସ୍ତା ମଧ୍ୟ ଅବରୋଧ କରିଥିଲେ । କଣ୍ଟାବାଞ୍ଜି ପୋଲିସ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ଦେଇଛନ୍ତି । ପରେ ପୁଷ୍ପାଙ୍କ ସଂପର୍କୀୟ ଏବଂ ପରିବାର ଲୋକ ଥାନାକୁ ପହଂଚି ତାଙ୍କୁ ନ୍ୟାୟ ଦିଆଯାଉ ଏବଂ ଶିକ୍ଷୟତ୍ରୀଙ୍କୁ ଗିରଫ କରାଯାଉ ବୋଲି ଦାବୀ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.