ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ : ପୋଖରୀରେ ବୁଡ଼ି ଚାଲିଗଲା ଜଣକ ଜୀବନ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଗୋଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ି ଜୀବନ ଗଲା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗି ଅଞ୍ଚଳରେ । ମୃତକ ମହାସିଙ୍ଗି ଗ୍ରାମର ଭକ୍ତରାମ ପୁଜାରୀ ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଭକ୍ତରାମ ସବୁଦିନ ଭଳି ଶନିବାର ମଧ୍ୟ ବିଲରୁ କାମ ସାରି ଗେଗୁର ପଦର ନିକଟସ୍ଥ ଡିଗୁରିସାହି ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ହେଲେ ଗାଧୋଇବାକୁ ପୋଖରୀ ଭିତରକୁ ପଶିବା ବେଳେ କୌଣସି କାରଣରୁ ପୋଖରୀରେ ବୁଡ଼ି ଯାଇଥିଲେ ଭକ୍ତରାମ । କିଛି ସମୟ ପରେ ଅଞ୍ଚଳର କିଛି ଲୋକେ ସେହି ପୋଖରୀକୁ ଗାଧୋଇବାକୁ ଯିବା ବେଳେ ଭକ୍ତରାମଙ୍କ ଶବ ପାଣିରେ ଭାସୁଥିବା ଦେଖି ପରିବାର ଲୋକଙ୍କୁ ଖବର ଦେବା ସହ ବାଲିଗୁଡ଼ା ଅଗ୍ନିଶମ ବାହିନୀ ଓ ପୋଲିସ ବିଭାଗକୁ ଜଣାଇଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଁଚି ପୋଖରୀରୁ ଶବ ଉଦ୍ଧାର କରିବା ପରେ ବାଲିଗୁଡ଼ା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଭକ୍ତରାମଙ୍କ ପ୍ରକୃତ ମୃତ୍ୟୁର କାରଣ ଏଯାବତ୍ ସ୍ପଷ୍ଟ ହୋଇନଥିବା ବେଳେ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି ପୋଲିସ୍ । ସେପଟେ ମୃତକଙ୍କ ଗରିବ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବାକୁ ସରକାରଙ୍କୁ ନିବେଦନ କରିଛନ୍ତି ମହାସିଙ୍ଗି ସରପଞ୍ଚ ରଞ୍ଜିତ ମଲ୍ଲିକ । ପୋଖରୀର ପାହାଚରେ ଶିକୁଳି ଲାଗିଛି । ଏଣୁ ଶିକୁଳିରେ ଗୋଡ଼ ଖସି ପୋଖରୀରେ ବୁଡ଼ି ଭକ୍ତରାମଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି ବୋଲି ବାଲିଗୁଡ଼ା ଅଗ୍ନିଶମ ଭାରପ୍ରାପ୍ତ ଅଧିକାରୀ ସୁକାନ୍ତ ବାରିକ୍ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.