ପଦ୍ମପୁର ମହାବିଦ୍ୟାଳୟରେ ଯୁକ୍ତ ୨ ଛାତ୍ରଛାତ୍ରୀମାନଙ୍କ ପ୍ରବେଶ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ନୂତନ ଭାବରେ ନାମ ଲେଖାଇଥିବା ଯୁକ୍ତ ଦୁଇ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ପ୍ରବେଶ ଉତ୍ସବ ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି । ସଭା ପ୍ରାରମ୍ଭରେ ଶ୍ରୀ ପଣ୍ଡା ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ ଜଣାଇ ଅନୁଷ୍ଠାନର ଇତିହାସ, ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ସଂକ୍ଷିପ୍ତ ଟିପ୍ପଣୀ ପ୍ରଦାନ କରି ଅନୁଷ୍ଠାନର ବିଶିଷ୍ଟ ଉପଲବ୍ଧିଗୁଡ଼ିକ ବିଷୟରେ ମଧ୍ୟ ତଥ୍ୟ ପ୍ରଦାନ କରିଥିଲେ । ଏହା ପରେ ପ୍ରାଧ୍ୟାପକ ପ୍ରଭାତ କୁମାର ମହାପାତ୍ର ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ଜଣାଇ ମହାବିଦ୍ୟାଳୟର ନୀତି ନିୟମ ଗୁଡିକ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ । ସେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ମହାବିଦ୍ୟାଳୟର ଡ୍ରେସ୍‌ କୋଡ଼ ଓ ପରିଚୟ ପତ୍ର ବିଷୟରେ ଜଣାଇ ଓଡ଼ିଶା କ୍ୟାରିଅର ପୋର୍ଟାଲ ବିଷୟରେ ସଚେତନ କରିଥିଲେ । ଏହା ସହିତ ରାଗିଂ ଫ୍ରି କ୍ୟାମ୍ପସ, କାଉନ୍‌ସିଲ୍‌ ସିଲାବସ, ଇ-ବୁକ୍, ଅବିଭାବକ-ଶିକ୍ଷକ ସଭା ଇତ୍ୟାଦି ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ । ଏହା ପରେ ପ୍ରାଧ୍ୟାପକ ଡ. ବିରଞ୍ଚି ସାହୁ ସମସ୍ତଙ୍କୁ ସ୍ଵାଗତ ଜଣାଇ କଲେଜ କ୍ୟାମ୍ପସରେ ଶୃଙ୍ଖଳା ରକ୍ଷା କରି ପାଠପଢ଼ା ପ୍ରତି ବିଶେଷ ଭାବରେ ଧ୍ୟାନ ଦେଇ ସମସ୍ତ ଅଧ୍ୟାପକ-ଅଧ୍ୟାପିକା ମାନଙ୍କ ସହ ଉତ୍ତମ ସମ୍ପର୍କ ବଜାୟ ରଖିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ । ପ୍ରାଧ୍ୟାପକ ଖଗେଶ୍ୱର ଦାସ ସମସ୍ତଙ୍କୁ ସ୍ଵାଗତ ଜଣାଇଥିଲେ । ଏହା ପରେ ପରେ ମହାବିଦ୍ୟାଳୟର ସମସ୍ତ ବିଭାଗୀୟ ମୁଖ୍ୟମାନେ ବିଭାଗରେ କାର୍ଯ୍ୟରତ ଅଧ୍ୟାପକ ଅଧ୍ୟାପିକାଙ୍କ ପରିଚୟ ପ୍ରଦାନ କରି ନିଜ ବିଷୟର ପାଠ୍ୟକ୍ରମ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ସଂକ୍ଷିପ୍ତ ଟିପ୍ପଣୀ ପ୍ରଦାନ କରିଥିଲେ । ସଭା ଚାଲୁଥିବା ସମୟରେ ମହାବିଦ୍ୟାଳୟର କାର୍ଯ୍ୟରତ ସମସ୍ତ କର୍ମଚାରୀ ଓ ବିଭିନ୍ନ କାର୍ଯ୍ୟକ୍ରମ ଗୁଡ଼ିକ ବିଷୟରେ ପିପିଟି ପ୍ରଦର୍ଶନୀ କରାଯାଇଥିଲା । ସଭା ଶେଷରେ ଅଧ୍ୟାପକ ବଳରାମ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ମହାବିଦ୍ୟାଳୟର ସମସ୍ତ ପ୍ରାଧ୍ୟାପକ, ପ୍ରାଧ୍ୟାପିକା, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.