ବିନ୍ଧ୍ୟବାସିନୀ ସ୍ନାତକ ଡିଗ୍ରୀ ମହାବିଦ୍ୟାଳୟରେ ଦୀକ୍ଷାରମ୍ଭ -୨୦୨୪ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବିନ୍ଧ୍ୟବାସିନୀ ଡିଗ୍ରୀ ମହା ବିଦ୍ୟାଳୟରେ ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ନବାଗତ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ପ୍ରବେଶିକା ଉଦ୍‌ବୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିବା ସହ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକାଙ୍କ ସହ ପରିଚୟ ତଥା ମହାବିଦ୍ୟାଳୟର ନୀତି, ଆଦର୍ଶ ସଂପର୍କରେ ସୂଚନା ଦିଆଯାଇଥିଲା । ଅଧ୍ୟକ୍ଷ ଶ୍ରୀ ବାରିକ ୩ ବର୍ଷ ଧରି ଛାତ୍ରଛାତ୍ରୀ କେଉଁ ବିଷୟ ଅଧ୍ୟୟନ କରିବେ, ଯୁକ୍ତତିନି ପାଠର ବ୍ୟାପକତା, ପରୀକ୍ଷା ପଦ୍ଧତି ସମ୍ପର୍କରେ ବିଶଦ୍ ଭାବରେ ବ୍ୟାଖ୍ୟା କରିଥିଲେ । ଓଡିଆ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଭାତ କୁମାର ବିଶ୍ୱାଳ ମହାବିଦ୍ୟାୟର ନୀତି, ଆଦର୍ଶ ସଂପର୍କରେ ସୂଚାଇ ଛାତ୍ରଛାତ୍ରୀଙ୍କ ଭାଷା, ସଂସ୍କୃତି, ଚଳଣୀ ସର୍ବୋପରି ଚରିତ୍ର ଗଠନ ସଂପର୍କରେ ମତବ୍ୟକ୍ତ କରିଥିଲେ । ଇତିହାସ ବିଭାଗର ମୁଖ୍ୟ ଅଧ୍ୟାପକ ପ୍ରଦୀପ କୁମାର ଦେୱାନ ଛାତ୍ରର ଜୀବନ ତଥା ଏକ ଉତ୍ତମ ନାଗରିକର କର୍ତ୍ତବ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ । ଶିକ୍ଷା ବିଭାଗର ମୁଖ୍ୟ ଅଧ୍ୟାପିକା ମୀନା କୁମାରୀ ସାହୁ ମହାବିଦ୍ୟାଳୟର ଶୃଙ୍ଖଳା ସଂପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରିଥିବା ବେଳେ ଅଧ୍ୟାପକ ଦେବରାଜ ସାହୁ ଛାତ୍ରଛାତ୍ରୀଙ୍କୁ ଭଲ କାମ କରି ସମାଜରେ ଏକ ପ୍ରତିଷ୍ଠିତ ସ୍ଥାନ ଅଧିକାର କରିବା ପାଇଁ ପ୍ରେରଣା ଦେଇଥିଲେ । ଯୁବ ରେଡ୍‌କ୍ରସ୍‌ ସଂଯୋଜିକା ପୁଷ୍ପମଞ୍ଜରୀ ପ୍ରଧାନ ଯୁବ ରେଡ୍‌କ୍ରସ୍‌ର ଉତ୍ପତ୍ତି ତାର କାର୍ଯ୍ୟକ୍ରମ ସଂପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ । ଅଧ୍ୟାପକ ଅଙ୍କିତ କୁମାର ଦାସ ସ୍ୱାଗତ ଭାଷଣ ଦେବା ସହ ଏନ୍.ଏସ୍.ଏସ୍.ର କାର୍ଯ୍ୟକଳାପ ସଂପର୍କରେ କହିଥିଲେ । ଯୁବ ରେଡ୍‌କ୍ରସ୍ ସହସଂଯୋଜକ ଅଧ୍ୟାପକ ଦେବାଶିଷ ଭଏନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାକୁ ସଫଳ କରିବା ପାଇଁ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.