ରାମକୃଷ୍ଣ ମେମୋରିଆଲ ହାଇସ୍କୁଲରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ରାମକୃଷ୍ଣ ମେମୋରିଆଲ ହାଇସ୍କୁଲ ଠାରେ ପରିବାର ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶିକ୍ଷାବିତ ରାଜକିଶୋର ମିଶ୍ରଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ଯେ, ପରିବେଶ ପ୍ରଦୂଷଣ ଏବେ ଆମ ସମସ୍ତଙ୍କ ପାଇଁ ବଡ଼ ଆହ୍ଵାନ ସୃଷ୍ଟି କରିଛି । ଏଥିପାଇଁ ଆମେ ସମସ୍ତେ ଉତ୍ତରଦାୟୀ । ସେଥିପାଇଁ ଭବିଷ୍ୟତର ସୁରକ୍ଷା ପାଇଁ ତଥା ଏକ ସୁସ୍ଥ ପ୍ରଦୂଷଣ ମୁକ୍ତ ପରିବେଶ ଗଠନ ନିମନ୍ତେ ପ୍ରତ୍ୟେକ ପରିବାର ଗୋଟିଏ ଲେଖାଏଁ ଗଛ ଲଗାଇ ଏହାର ଦାୟିତ୍ୱ ନେବା ଉଚିତ୍‌ ବୋଲି ମତ ରଖିଥିଲେ । ସମ୍ମାନିତ ଅତିଥି ଭାବେ ଆନନ୍ଦଚନ୍ଦ୍ର ମହାନ୍ତି, ଜୟନ୍ତ ମିଶ୍ର ଓ ଶ୍ରୀଚରଣ ମହାନ୍ତି ପ୍ରମୁଖ ଯୋଗଦେଇ ଆଜିର ସମାଜରେ ପରିବାର ପାଇଁ ବୃକ୍ଷରୋପଣର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । ଆବାହକ ତଥା ସଭାପତି ଶ୍ରୀ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା ସହ ଏହାର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ବାସିନ୍ଦାଙ୍କୁ ଆମ୍ବ, ପଣସ, ପିଜୁଳି, ଲିଚୁ, ସଜନା ଆଦି ଚାରା ବଣ୍ଟନ କରାଯାଇଥିଲା । ପ୍ରାରମ୍ଭରେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲାବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଓ ପରିଚାଳନା ସମିତିର ସଭ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏଭଳି କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.