csstore

ପଦ୍ମପୁରରେ ସାହିତ୍ୟ ସମାବେଶ : ସାଂସଦ ପ୍ରଦୀପ ପୁରୋହିତଙ୍କୁ ସମ୍ବର୍ଦ୍ଧିତ କଲେ ୩୦ରୁ ଅଧିକ ଅନୁଷ୍ଠାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ରିଜେନ୍ସି ହୋଟେଲ ଠାରେ ରବିବାର ଦିନ ସାହିତ୍ୟ ସଭା, ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନରେ କଥା ସାହିତ୍ୟିକ ମନୋହର ସାହୁଙ୍କ ଜୟନ୍ତୀ ସଭା ଓ ଭାଷା ସାହିତ୍ୟ ସଂକ୍ରାନ୍ତୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଜିଲ୍ଲାର କବି ଲେଖକ ମାନଙ୍କ ତରଫରୁ ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ନାଟ୍ୟକାର କେଶରଞ୍ଜନ ପଧାନଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସଭାରେ ପଦ୍ମଶ୍ରୀ ହଳଧର ନାଗ ମଞ୍ଚାସୀନ ଥିଲେ । ସାହିତ୍ୟିକ ଉତ୍ପନ୍ନ କୁମାର ଭୋଇ ସମ୍ବର୍ଦ୍ଧନା ସଭାକୁ ପରିଚାଳନା କରିଥିଲେ । ସମ୍ବଲପୁରୀ କୋଶଲି ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ସାମିଲ କରିବା ସହିତ ରାଜ୍ୟର ଦ୍ଵିତୀୟ ଭାଷାର ମାନ୍ୟତା ଦେବା ନିମନ୍ତେ ପଦକ୍ଷେପ ନେବାକୁ ପ୍ରସ୍ତୁତ ସ୍ମାରକ ପତ୍ରକୁ ସାହିତ୍ୟିକ ସୁଶାନ୍ତ ମିଶ୍ର ପଠନ କରିବା ପରେ ସାଂସଦଙ୍କୁ ପ୍ରଦାନ କରାଯାଇଥିଲା । ଭାଷା, ସାହିତ୍ୟ ତଥା ସଂସ୍କୃତିର ବିକାଶ ପାଇଁ ନିଷ୍ଠାର ସହିତ କାମ କରିବେ ବୋଲି ସାଂସଦ ପ୍ରଦୀପ ପୁରୋହିତ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସମ୍ବଲପୁରୀ ସାହିତ୍ୟ ପରିଷଦ ବରଗଡ, ଅଭିମନ୍ୟୁ ସାହିତ୍ୟ ସଂସଦ ଘେଁସ, ମନୋହର ସାଂସ୍କୃତିକ ପରିଷଦ ଭେଡେନ, ଖଗେଶ୍ୱର ସାହିତ୍ୟ କଲା ପରିଷଦ ବିଜେପୁର, ଲୁ ନାଟ୍ୟ ସଂସ୍ଥା, ସିର୍ଜିନା, ଅବର୍ଣିଗୁଣା, ଆମେ କଳାକାର, ସଙ୍ଗୀତ ସମିତି ସମେତ ଜିଲ୍ଲାର ୩୦ରୁ ଅଧିକ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ନାଟ୍ୟକାର ଅଶୋକ ବହିଦାର ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.