ଭୁବନେଶ୍ଵର ଉପକଣ୍ଠ ହରିଡ଼ାମଡ଼ା ଗ୍ରାମରେ ବ୍ରହ୍ମକୁମାରୀଙ୍କ ଦିବ୍ୟ ରିଟ୍ରିଟ୍ କେନ୍ଦ୍ର ଉଦ୍‌ଘାଟନ କରିବା ସହ ‘ଦୀର୍ଘସ୍ଥାୟିତ୍ୱ ପାଇଁ ଜୀବନଶୈଳୀ’ର ଜାତୀୟ ଅଭିଯାନକୁ ଶୁଭାରମ୍ଭ କଲେ ରାଷ୍ଟ୍ରପତି

ଭୁବନେଶ୍ୱର, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓଡ଼ିଶାର ଭୁବନେଶ୍ୱର ନିକଟସ୍ଥ ହରିଡ଼ାମଡ଼ା ଗ୍ରାମରେ ବ୍ରହ୍ମକୁମାରୀମାନଙ୍କର ଡିଭାଇନ୍ ରିଟ୍ରିଟ୍ ସେଣ୍ଟରକୁ ଉଦ୍‌ଘାଟନ କରିଛନ୍ତି । ସେ ବ୍ରହ୍ମକୁମାରୀମାନଙ୍କର ‘ଦୀର୍ଘସ୍ଥାୟିତ୍ୱ ପାଇଁ ଜୀବନଶୈଳୀ’ର ଏକ ଜାତୀୟ ଅଭିଯାନ ମଧ୍ୟ ଆରମ୍ଭ କରିଥିଲେ । ଏହି ଅବସରରେ ଉଦ୍‌ବୋଧନ ଦେଇ ରାଷ୍ଟ୍ରପତି କହିଥିଲେ ଯେ, ପ୍ରକୃତି ମାତା ଆମକୁ ଦେଇଥିବା ପରିପୂର୍ଣ୍ଣ ସମ୍ପଦ ଯଥା- ଜଙ୍ଗଲ, ପର୍ବତ, ନଦୀ, ହ୍ରଦ, ସମୁଦ୍ର, ବର୍ଷା, ବାୟୁ- ଏସବୁ ଜୀବଜନ୍ତୁଙ୍କ ବଞ୍ଚିବା ପାଇଁ ଜରୁରୀ । କିନ୍ତୁ ମନୁଷ୍ୟ ମନେ ରଖିବା ଉଚିତ୍‌ ଯେ, ପ୍ରକୃତିର ପ୍ରଚୁରତାକୁ ନିଜର ଆବଶ୍ୟକତା ପାଇଁ ଉପଯୋଗ କରିବା ଉଚିତ୍‌, ନିଜ ଲୋଭ ପାଇଁ ନୁହେଁ । ମନୁଷ୍ୟ ନିଜ ଭୋଗ ପାଇଁ ପ୍ରକୃତିକୁ ଶୋଷଣ କରୁଛି ଏବଂ ଏପରି କରି ପ୍ରକୃତିର କ୍ରୋଧର ଶିକାର ହେଉଛି । ପ୍ରକୃତି ସହ ସମନ୍ୱୟ ସ୍ଥାପନ ଏବଂ ପ୍ରକୃତି ଅନୁକୂଳ ଜୀବନ ବଞ୍ଚିବା ସମୟର ଆବଶ୍ୟକତା ବୋଲି ସେ କହିଥିଲେ । ରାଷ୍ଟ୍ରପତି କହିଥିଲେ ଯେ, ଭାରତୀୟ ସଂସ୍କୃତି ସର୍ବଦା ପ୍ରକୃତି ସହ ସୁସଙ୍ଗତ ଜୀବନଶୈଳୀ ଉପରେ ଗୁରୁତ୍ୱ ଦେଇ ଆସିଛି । ଆମ ଦର୍ଶନରେ ପୃଥିବୀକୁ ମା’ ଓ ଆକାଶକୁ ପିତା କୁହାଯାଏ । ନଦୀକୁ ମଧ୍ୟ ମା’ ଉପାଧି ଦିଆଯାଇଛି । ଜଳକୁ ଜୀବନ କୁହାଯାଏ । ବର୍ଷାକୁ ଆମେ ଭଗବାନ ଇନ୍ଦ୍ର ଏବଂ ସମୁଦ୍ରକୁ ଭଗବାନ ବରୁଣ ଭାବରେ ପୂଜା କରିଥାଉ । ଆମ କାହାଣୀରେ ପର୍ବତ ଓ ଗଛ ବିଷୟରେ ବର୍ଣ୍ଣନା କରାଯାଇଛି ଏବଂ ପ୍ରାଣୀମାନେ ମଧ୍ୟ ପରସ୍ପର ସହ କଥା ବାର୍ତ୍ତା କରୁଥିବାର କୁହାଯାଇଛି । ଅର୍ଥାତ୍ ପ୍ରକୃତି ନିଷ୍କ୍ରିୟ ନୁହେଁ, ଏହା ଭିତରେ ଚେତନାର ଶକ୍ତି ପୂରି ରହିଛି । ପ୍ରକୃତିର ସୁରକ୍ଷା ପାଇଁ ଏସବୁ ଭାରତୀୟ ଦାର୍ଶନିକମାନଙ୍କର ସୁନ୍ଦର ବିଚାରରେ ପ୍ରକଟ ହୋଇଛି । ଜଳବାୟୁ ପରିବର୍ତ୍ତନ, ବିଶ୍ୱ ଉତ୍ତାପନ ଏବଂ ପାଣିପାଗର ଅନିଶ୍ଚିତତା ଆଜି ବିଶ୍ୱ ସମ୍ମୁଖୀନ ହେଉଥିବା ଏକ ବଡ଼ ଆହ୍ୱାନ ବୋଲି ରାଷ୍ଟ୍ରପତି କହିଛନ୍ତି । ବନ୍ୟା, ଭୂସ୍ଖଳନ, ହିମସ୍ଖଳନ, ଭୂମିକମ୍ପ, ଜଙ୍ଗଲରେ ନିଆଁ, ସୁନାମି ଭଳି ପ୍ରାକୃତିକ ବିପର୍ଯ୍ୟୟ ଆଉ କେବେ କେବେ ହେଉନାହିଁ । ଏବେ ଏଭଳି ଘଟଣା ବାରମ୍ବାର ଘଟୁଛି । ରାଷ୍ଟ୍ରପତି କହିଥିଲେ ଯେ, ଆମ ଦୈନନ୍ଦିନ ଜୀବନରେ ଛୋଟ ଛୋଟ ପରିବର୍ତ୍ତନ ସମାଜରେ ବଡ଼ ପରିବର୍ତ୍ତନ ପାଇଁ ମାର୍ଗ ପ୍ରଶସ୍ତ କରେ । ପ୍ରାକୃତିକ ସମ୍ପଦର ସର୍ବନିମ୍ନ ବ୍ୟବହାର ସୁନିଶ୍ଚିତ କରିବା ପାଇଁ ଆମକୁ ଆମ ଅଭ୍ୟାସ ପରିବର୍ତ୍ତନ କରିବାକୁ ପଡିବ । ଅନେକ ସମୟରେ ଟ୍ୟାପ୍ ଖୋଲା ରହୁଥିବାରୁ ପିଇବା ପାଣି ନଷ୍ଟ ହୋଇଯାଏ । ଦିନରେ ମଧ୍ୟ ଲାଇଟ୍ ଜଳୁଥାଏ । ସେହିଭଳି ଘରେ ହେଉ କି ଅଫିସ୍, ଫ୍ୟାନ୍ କିମ୍ବା ଲାଇଟ୍ ବନ୍ଦ କରିବା ଉପରେ ଆମେ ଧ୍ୟାନ ଦେଉନାହୁଁ । ପ୍ଲେଟରେ କିଛି ଖାଦ୍ୟ ଛାଡିବାର ଅଭ୍ୟାସରୁ ଆମେ ନିଜକୁ ମୁକ୍ତ କରିପାରିନାହୁଁ । କେବଳ ପ୍ରକୃତି ଅନୁକୂଳ ଜୀବନଶୈଳୀ ବିଷୟରେ ଆଲୋଚନା କରିବା ଯଥେଷ୍ଟ ନୁହେଁ, ଏହାକୁ ଆମର ଦୈନନ୍ଦିନ ଜୀବନର ଏକ ଅଂଶ କରିବାକୁ ପଡ଼ିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ପ୍ରାକୃତିକ ସମ୍ପଦର ସଂରକ୍ଷଣ ପାଇଁ ଏହାକୁ ବଞ୍ଚାଇବାର ଅଭ୍ୟାସ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ରାଷ୍ଟ୍ରପତି ‘ଦୀର୍ଘସ୍ଥାୟିତ୍ୱ ପାଇଁ ଜୀବନଶୈଳୀ’ର ଜାତୀୟ ଅଭିଯାନ ସହ ଜଡ଼ିତ ସମସ୍ତଙ୍କୁ ପ୍ରଶଂସା କରିଥିଲେ । ପ୍ରକୃତି ସହ ଲୋକଙ୍କୁ ଯୋଡ଼ିବା ଦିଗରେ ଏହା ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ସେ କହିଛନ୍ତି । ଏହି ଅଭିଯାନ କେବଳ ବୈଠକ, କମିଟି କିମ୍ବା ସମ୍ମିଳନୀରେ ସୀମିତ ରହିବା ଉଚିତ୍‌ ନୁହେଁ ବୋଲି ସେ କହିଛନ୍ତି । ଏହି ଅଭିଯାନ ସହ ଜଡ଼ିତ ସମସ୍ତଙ୍କୁ ଦେଶର ବିଭିନ୍ନ ସ୍ଥାନକୁ ଯାଇ ଲୋକଙ୍କୁ, ବିଶେଷ କରି ଗ୍ରାମାଞ୍ଚଳବାସୀଙ୍କୁ ପରିବେଶ ସମ୍ପର୍କରେ ସଚେତନ କରିବାକୁ ସେ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.