ରାଉରକେଲାରେ ସୁରେନ୍ଦ୍ର ପରିବାର ଗଠନ

ରାଉରକେଲା, (ସସ୍ମିତା ପ୍ରଧାନ) : କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତିଙ୍କର ସ୍ମୃତିକୁ ଉଜ୍ଜୀବିତ କରି ରାଉରକେଲା ସହରର କିଛି ସାହିତ୍ୟ ପ୍ରେମୀ ମାନଙ୍କୁ ନେଇ ଆଜି ଏକ ନୂତନ ଅନୁଷ୍ଠାନ ସୁରେନ୍ଦ୍ର ପରିବାର ନାମରେ ଗଠନ କରାଗଲା । ଏହାର ପ୍ରଥମ ସଭା ଓ ବନ୍ଧୁ ମିଳନ ଆମ୍ବାଗାନ ସ୍ଥିତ ସରୋବର ସଭା ଗୃହରେ ଅନୁଷ୍ଠିତ ହୋଇଥିଲା । ଏହି ବନ୍ଧୁ ମିଳନ ସଭାରେ ସଭାପତିତ୍ୱ କରିଥିଲେ ସୁରେନ୍ଦ୍ର ମହାନ୍ତିଙ୍କ ସୁପୁତ୍ରୀ ପ୍ରଫେସର ଲୋପାମୁଦ୍ରା ମହାନ୍ତି । ଶ୍ରୀମତୀ ମହାନ୍ତି ତାଙ୍କର ଅଭିଭାଷଣରେ ସେ ଯୁବପିଢିଙ୍କୁ ସୁରେନ୍ଦ୍ର ମହାନ୍ତିଙ୍କର ଲୋକାଦୃତ କାଳଜୟୀ ଗଳ୍ପ ଉପନ୍ୟାସ ଦ୍ୱାରା ଅନୁପ୍ରାଣିତ ହେବା ସହିତ ଓଡ଼ିଆ ସାହିତ୍ୟ ଓ ଏହାର ଅସ୍ମିତା ପ୍ରତି ନିଜକୁ ଉତ୍ସର୍ଗୀକୃତ କରିବା ଉଦ୍ଦେଶ୍ୟରେ ବାର୍ତ୍ତା ପ୍ରଦାନ କରିଥିଲେ । ପରେ ପରେ କବି ରାଜୀବ ପାଣି ଓ ଡ. କୃପାସିନ୍ଧୁ ନାୟକ ଓଡ଼ିଆ ସାହିତ୍ୟ ଜଗତରେ ସୁରେନ୍ଦ୍ର ମହାନ୍ତିଙ୍କର ଅବଦାନ ଉପରେ ଆଲୋକପାତ କରିଥିଲେ । ଇଂ. ଅଶୋକ କୁମାର ପଟ୍ଟନାୟକ ସଭା ପରିଚାଳନା କରିବା ସହ ଏହା ଏକ ତ୍ରୈମାସିକ ସାହିତ୍ୟ ସଭାରୂପେ ପରବର୍ତ୍ତୀ ସମୟରେ କାର୍ଯ୍ୟକରି ଆଗକୁ ବଢିବ ବୋଲି ସୂଚନା ଦେଇଥିଲେ । ଡ. ସୁମନ୍ ଦତ୍ତ, ରାଧାମୋହନ ନାୟକ, ବ୍ରଜେନ୍ଦ୍ର ଦାଶ, ରଶ୍ମି ସାହୁ, ସ୍ମିତା ମିଶ୍ର, ପୁଷ୍ପା ରାଣୀ ପଟେଲ, ସୁପ୍ତି କର, କାଶୀନାଥ ନନ୍ଦି, ସୁକାନ୍ତ ଖୁଣ୍ଟିଆ, ମୋନାଲିସା ମିଶ୍ର, ଅଶୋକ ରାଉତ, ନଳିନୀ କାନ୍ତ ଧର, ଶର୍ମିଲା ଦତ୍ତ ଆଦି ବୁଦ୍ଧିଜୀବି ଓ ସାହିତ୍ୟ ପ୍ରେମୀମାନେ ଉପସ୍ଥିତ ରହି ସଭାଟିକୁ ସଫଳ କରିଥିଲେ ।

Leave A Reply

Your email address will not be published.