ମୀନାକ୍ଷୀ ଧରଙ୍କ ସ୍ମୃତିଚାରଣ ଓ ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଜଣେ ଜଣାଶୁଣା ଉଦ୍‌ଘୋଷିକା ମୀନାକ୍ଷୀ ଧରଙ୍କ ତୃତୀୟ ବାର୍ଷିକ ପୁଣ୍ୟ ତିଥି ଶ୍ରାଦ୍ଧୋତ୍ସବ ଉପଲକ୍ଷେ ଏକ ଆଲୋଚନାଚକ୍ର ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସ୍ଥାନୀୟ ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି । ମୀନାକ୍ଷୀ ଧର ଫାଉଣ୍ଡେସନ୍‌ ରାଉରକେଲାର ଆବାହକ ଇଂ ନଳିନୀକାନ୍ତ ଧରଙ୍କ ଆବାହକତ୍ଵ, ନିରୁପମା ପତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚ୍ୟାମ୍ବର ଅଫ୍ କମର୍ସର ସଭାପତି ସୁନିଲ କାୟଲ ମୁଖ୍ୟଅତିଥି, ସୁବକ୍ତା ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ବ୍ୟକ୍ତି ଓ ସମାଜ, ରେଳ ଧାରଣାର ଦୁଇ ପାର୍ଶ୍ଵ ଏକ ଉତ୍କୃଷ୍ଟ ପରିଭାଷା ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ଡା. ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଲେ ଯେ, ଯେଉଁ ନାରୀ ସମାଜରେ ସୁରକ୍ଷିତ ନୁହେଁ, ସେ ସମାଜ ସର୍ବଦା ନିନ୍ଦନୀୟ । ଯେଉଁ ସମାଜ ଆଧ୍ୟାତ୍ମିକ ଉପରେ ପ୍ରତିଷ୍ଠିତ ନୁହେଁ, ସେ ଶିଘ୍ର ଭୂଷୁଡି ପଡିବ । ଏହା ସହ ସମାଜ ଓ ବ୍ୟକ୍ତିର ଅଧୋପତନର କାରଣ ସମ୍ପର୍କରେ ଆଲୋଚନା କରିଥିଲେ । ଭାରତୀୟ ସଂସ୍କୃତି ବିଶ୍ୱରେ ପ୍ରଥମ । ସମାଜକୁ ଛାଡ଼ିଦେଲେ ମଣିଷ ବଞ୍ଚିବା ସମ୍ଭବ ନୁହେଁ । ମୁଖ୍ୟ ଅତିଥି ଶ୍ରୀ କାୟଲ, ମୀନାକ୍ଷୀ ଧରଙ୍କ ସ୍ମୃତିଚାରଣ କରି ତାଙ୍କ କର୍ମମୟ ଜୀବନ ଓ ପ୍ରତିଷ୍ଠା ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ. କିଶୋରୀ ଦାଶ, ଡ. ସୁମନ ଦତ୍ତ ପ୍ରମୁଖ ମୀନାକ୍ଷୀଙ୍କ ସ୍ମୃତିଚାରଣ କରିଥିଲେ । କୁଞ୍ଜବିହାରୀ ରାଉତ, ଅଶୋକ କୁମାର ପଟ୍ଟନାୟକ, ସୂର୍ଯ୍ୟ ପାଢ଼ୀ ପ୍ରମୁଖ ମୀନାକ୍ଷୀଙ୍କ ସ୍ମୃତିରେ କବିତା ପାଠ କରିଥିଲେ । ଏହି ଅବସରରେ ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜସେବୀ ଲୋପାମୁଦ୍ରା ମହାନ୍ତି, ସାମ୍ବାଦିକ ତଥା ସାହିତ୍ୟିକ କୁଞ୍ଜବିହାରୀ ରାଉତ, କବି ଅଙ୍ଗୁରବାଳା ପରିଡ଼ା ଓ ଉଦ୍‌ଘୋଷିକା ଶୁଭଶ୍ରୀ ଦାସ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ପ୍ରାରମ୍ଭରେ ଆବାହକ ଇଂ ଧର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଓ ସ୍ମିତା ମିଶ୍ର ବନ୍ଦେ ଉତ୍କଳ ଜନନୀ ଗାନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନରେ ଇଂ ଅଶୋକ କୁମାର ପଟ୍ଟନାୟକ, ବିବେକାନନ୍ଦ ଦାସ, ମୋନାଲିସା ସାହୁ, ମୀରା ଦାସ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଶଙ୍କର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.