jayashree

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଗଞ୍ଜାମ, ଗଜପତି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ନିର୍ବାଚନ ସମ୍ପର୍କିତ ସମୀକ୍ଷା

  • ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଆଇନ ଶୃଙ୍ଖଳା ଉପରେ ଧ୍ୟାନ ରଖି ମତଦାନ କେନ୍ଦ୍ରରେ ଗ୍ଲୁକୋଜ ପାଣିର ବ୍ୟବସ୍ଥା ରହିବାକୁ ହେବ – ମୁଖ୍ୟ ନିର୍ବାଚନ ଅଧିକାରୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଚଳିତ ବର୍ଷ ସାଧାରଣ ନିର୍ବାଚନ – ୨୦୨୪ ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ଏଥି ଯୋଗୁଁ ଅସହ୍ୟ ଗରମ ଗୁଳି ଗୁଳି ହେତୁ ଭୋଟର୍‌ମାନେ ଭୋଟ୍‌ ଗ୍ରହଣ କେନ୍ଦ୍ରକୁ ଗଲାବେଳେ ଭୋଟ୍‌ରଙ୍କୁ ଥଣ୍ଡା ପାନୀୟ ଜଳ ଓ ପ୍ରତ୍ୟେକ ମତଦାନ କେନ୍ଦ୍ରରେ ଗ୍ଲୁକୋଜ ପାଣିର ବ୍ୟବସ୍ଥା ରଖିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି । ଶାନ୍ତି ଶୃଙ୍ଖଳା ରକ୍ଷାକରିବା ସାଂଗକୁ ଅଂଶୁଘାତର ଆଶଙ୍କାକୁ ଭିତ୍ତି କରି ନିର୍ବାଚନ କମିଶନ ଏହି ପଦକ୍ଷେପ ଉପରେ ବିଶେଷ ଧ୍ୟାନ ଦେଇଛନ୍ତି । ଏ ସଂପର୍କରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ସମସ୍ତ ଜିଲ୍ଲା ପ୍ରଶାସନକୁ ଆଦେଶ କରିଥିବା ବିଷୟରେ ଛତ୍ରପୁରଠାରେ ଅନୁଷ୍ଠିତ ପ୍ରେସ୍‌ମିଟ୍‌ରେ ଏହା କହିଛନ୍ତି । ସୂଚନା ଯୋଗ୍ୟ ଯେ’ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲା ପରିଷଦ ଭବନ ଋଷିକୂଲ୍ୟା ସମ୍ମିଳନୀ ଗୃହରେ ଗଞ୍ଜାମ, ଗଜପତି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ନିର୍ବାଚନ ସମ୍ପର୍କିତ ସମସ୍ୟା ଓ ଏହାର ପ୍ରସ୍ତୁତି ଓ ଆଇନ ଶୃଙ୍ଖଳା ପରିସ୍ଥିତି ସଂପର୍କରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଅନୁଧ୍ୟାନ, ଆଲୋଚନା,ସମୀକ୍ଷା କରି ଫେରିଛନ୍ତି । ଗଞ୍ଜାମ, ଗଜପତି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ନିର୍ବାଚନ ସମ୍ପର୍କିତ ଆଲୋଚନା କରିବା ପୂର୍ବକ ଏହି ସବୁ ଜିଲ୍ଲାମାନଙ୍କରେ କିଭଳି ସୁରକ୍ଷା ବ୍ୟବସ୍ଥା କରାଯାଇଛି, ସେ ସମ୍ପର୍କରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ସମୀକ୍ଷା କରିଥିଲେ । ଦ୍ଵୀତୀୟ ପର୍ଯ୍ୟାୟରେ ଡିଆର୍‌ଡିଏ ପରିସରରେ ଥିବା ଜଉଗଡ଼ ସେମିନାର ହଲ୍‌ରେ ଆୟୋଜିତ ମିଡ଼ିଆ କନଫରେନ୍ସରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ବିଶଦ ଆଲୋଚନା କରିଥିଲେ । ସାମ୍ବାଦିକଙ୍କ ପ୍ରଶ୍ନ ଉତ୍ତରକାଳରେ ଅବାଧ ଓ ମୁକ୍ତ ନିର୍ବାଚନ ଉପରେ ସେ ଗୁରୁତ୍ଵାରୋପ କରି ସାମ୍ବାଦିକ ବାକ୍ୟ ଦେଇଥିଲେ । ଯାହା ସାମ୍ବାଦିକମାନଙ୍କ ସହିତ ଆଲୋଚନା କରି ସୁବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ । ଶୁକ୍ରବାର ପୂର୍ବାହ୍ନରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ଚାରି ଗୋଟି ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ଓ ଆଇନ୍ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା ସମୟରେ ସମସ୍ତ ବ୍ୟବସ୍ଥା ପ୍ରସ୍ତୁତ ହୋଇଥିବା ଜଣାଇ ଚଳିତ ବର୍ଷର ନିର୍ବାଚନ କିଭଳି ଶାନ୍ତି ଶୃଙ୍ଖଳାର ସହିତ ଅବାଧ ଓ ମୁକ୍ତ ନିର୍ବାଚନ ହୋଇପାରିବ ସେଥି ନିମନ୍ତେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ତଥା ନିର୍ବାଚନ ପରିଚାଳନା ଅଧିକାରୀମାନଙ୍କୁ ପ୍ରସ୍ତୁତ ହୋବାକୁ ଅବଗତ କରାଇଥିଲେ । ଚଳିତ ବର୍ଷ ମଇ ମାସରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମୟରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଗରମ ପବନ, ବାତ୍ୟା ଭଳି ବିପଦ ଆସିବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ବିଷୟରେ ସେ ଅବଗତ କରାଇଥିଲେ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଜନିତ କୌଣସି କ୍ଷୟକ୍ଷତି ହେବ ନାହିଁ, ଜନଜୀବନ ସୁରକ୍ଷିତ ରହିବ ସେଥି ନିମନ୍ତେ ପୂର୍ବ ପ୍ରସ୍ତୁତି ସହ ଅଧିକ ସଚେତନତା କରିବାକୁ ପ୍ରବର୍ତ୍ତାଇଥିଲେ । ବିଶେଷ କରି ଭୋଟର, ପୋଲିସ, ନିର୍ବାଚନ କାର୍ଯ୍ୟରେ ନିୟୋଜିତ ନିର୍ବାଚନ ଅଧିକାରୀ, କର୍ମଚାରୀ ସମସ୍ତଙ୍କ ସୁରକ୍ଷାକୁ ପ୍ରାଥମିକତା ଭିତ୍ତିରେ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଖାଦ୍ୟ, ପାନୀୟଜଳ, ବିଶ୍ରାମ ଦେବା ଦିଗରେ ଯତ୍ନବାନ ହେବାପାଇଁ କହିଥିଲେ । ଏହି ସଚେତନତା ବିଷୟରେ ନିର୍ବାଚନ ଅଧିକାରୀମାନଙ୍କ ପ୍ରଶିକ୍ଷଣ ସମୟରେ ଏହି ଦିଗରେ ସଚେତନ ରହିବାକୁ ନିର୍ଦ୍ଦେଶ ଦେବାକୁ ପ୍ରବର୍ତ୍ତାଇଥିଲେ । ଭୋଟ୍‌ ଗ୍ରହଣ ଦିନ ସେକ୍ଟର ଅଫିସରମାନେ ଯେତେବେଳେ ଇଭିଏମ୍ ମେସିନ୍ ନେଇ ଭୋଟ ଗ୍ରହଣ କେନ୍ଦ୍ରକୁ ଯିବେ ସେମାନଙ୍କ ସହିତ ଜଣେ ଲେଖାଏଁ ଆର୍ମଡ୍ ପୋଲିସ୍ ଏବଂ ପାରାମେଡିକାଲ୍‌ ଷ୍ଟାଫ୍ ନିଜ ସହିତ ସମସ୍ତ ଔଷଧ, ଓ. ଆର୍.ଏସ୍. ପ୍ୟାକେଟ ନେଇଯିବେ । ୮୦ ବର୍ଷ ଏବଂ ଅଧିକ ଭୋଟର, ଭିନ୍ନକ୍ଷମ ଭୋଟର ଯେଉଁମାନେ ଭୋଟ୍‌ ଗ୍ରହଣ କେନ୍ଦ୍ରକୁ ନଯାଇ ଭୋଟ୍‌ ଦେବାକୁ ଇଚ୍ଛା ପ୍ରକାଶ କରନ୍ତି ତେବେ ନିର୍ଦ୍ଧାରୀତ ଫର୍ମ ୧୨ (ଖ) ପୂରଣ କରି ବି.ଏଲ୍.ଓ.ଙ୍କୁ ଦେଲେ ସେମାନଙ୍କର ଗୃହକୁ ଯାଇ ଭୋଟ୍‌ ସଂଗ୍ରହ କରାଯିବାର ବ୍ୟବସ୍ଥା କରାଯିବ । ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ଦିନ ଏହିଭଳି ବ୍ୟକ୍ତି ବିଶେଷଙ୍କୁ ଭୋଟ୍‌ ଗ୍ରହଣ କେନ୍ଦ୍ରକୁ ଭୋଟ୍‌ ଦେବା ନିମନ୍ତେ ସରକାରୀ ସୁବିଧାରେ ଯାନବାହାନରେ ନେବା ଆଣିବା କରାଯିବ । ଯେଉଁ ପୋଲିଂ ଅଧିକାରୀ, ପୋଲିସ୍ ଅଧିକାରୀ, ଡ୍ରାଇଭରମାନେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଅଛନ୍ତି ସେମାନେ ପୋଷ୍ଟାଲ ବ୍ୟାଲଟ୍ ମାଧ୍ୟମରେ ଭୋଟ୍‌ ଦେଇପାରିବେ । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଓ. ଆର୍.ଏସ୍. ପ୍ୟାକେଟ, ପ୍ରଚୁର ପାନୀୟ ଜଳର ବ୍ୟବସ୍ଥା ପ୍ରତି ବୁଥ୍‌ରେ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସାମ୍ବାଦିକ ସମ୍ମିଳନୀରେ ଅବଗତ କରାଇଥିଲେ ଯେ, ଗଣ ମାଧ୍ୟମ ହେଉଛି ନିର୍ବାଚନ ପ୍ରଶାସନର ଆଖି ଆଉ କାନ । ଯେଉଁଠି ଯାହା ଘଟୁଛି ତାହାର ପ୍ରକୃତ ତଥ୍ୟ ପ୍ରକାଶ କରିବା ପାଇଁ ଜଣାଇଥିଲେ । ଭୋଟର ଗଣ ଯେଭଳି ଭୟ ଓ ପ୍ରଲୋଭନଠାରୁ ଦୂରରେ ରହି ଅଧିକ ସଂଖ୍ୟାରେ ଭୋଟର ଭୋଟ୍‌ ଦେବାକୁ ଯିବେ, ସେଥି ନିମନ୍ତେ ସଚେତନ କରାଇବାକୁ ଗଣ ମାଧ୍ୟମକୁ ଅନୁରୋଧ କରିଥିଲେ । ଭୋଟ୍‌ଦାତା ଗଣ ବହୁଳ ମାତ୍ରାରେ ଭୋଟ୍‌ ଦିଅନ୍ତୁ ଓ ଗଣତନ୍ତ୍ରକୁ ବଞ୍ଚାଇ ରଖନ୍ତୁ ବୋଲି ଆବାନ ଦେଇଥିଲେ । କୌଣସିଠାରେ ନିର୍ବାଚନ ସମ୍ପର୍କିତ ଅପ୍ରିତିକର ପରିସ୍ଥିତି କିମ୍ବା ମଡେଲ୍‌ କୋଡ୍ ଅଫ୍ କଣ୍ଡକ୍ଟ ନିୟମ ଉଲଂଘନ ହେଉଥିଲେ ଇ-ଭିଜିଲ ଆପ୍ ମାଧ୍ୟମରେ କିମ୍ବା ୧୯୫୦ ହେଲ୍ପ ଲାଇନ୍‌ରେ ନିଃଶୁଳ୍କ ଫୋନ୍ କରି ଅଭିଯୋଗ ଦାଖଲ କରିପାରିବେ । ଅଭିଯୋଗକାରୀଙ୍କ ନାମ ଓ ତାଙ୍କ ସମ୍ପର୍କରେ ସୂଚନା ଗୋପନ ରଖାଯାଇ ଏଭଳି କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିବିଶେଷଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ସମସ୍ତ ଚାରିଗୋଟି ଜିଲ୍ଲା ନିର୍ବାଚନ ପ୍ରସ୍ତୁତି ସଠିକ୍ ଥିବା ଏବଂ କେଉଁଠାରେ ସାମାନ୍ୟ ପରିବର୍ତ୍ତନର ଅବଶ୍ୟକତା ରହିଛି ସେ ସମ୍ପର୍କରେ ସୁବିସ୍ତୃତ ଆଲୋଚନା ସମୀକ୍ଷା ବୈଠକରେ ହୋଇଯାଇଛି । ସମୀକ୍ଷା ବୈଠକରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଅଧିକାରୀ, ସେମାନଙ୍କ ପ୍ରଶିକ୍ଷଣ, ଇଭ୍‌ଇଏମ୍ ପରିଚାଳନା, ଡିସ୍ପୋଜାଲ ସେଣ୍ଟର, ରିସିଭିଂ ସେଣ୍ଟର, ଭୋଟ୍‌ ଗ୍ରହଣ କେନ୍ଦ୍ରର ସ୍ଥିତି, ଷ୍ଟ୍ରଙ୍ଗ ରୁମ୍ ବ୍ୟବସ୍ଥା, ଆଇନ ଶୃଙ୍ଖଳା ପରିସ୍ଥିତି ଇତ୍ୟାଦି ସମସ୍ତ ବିଷୟରେ ସମୀକ୍ଷା କରାଯାଇଥିଲା । ବୈଠକରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡଃ. ଏନ୍. ତିରୁମାଲା ନାୟକ, ଦକ୍ଷିଣାଞ୍ଚଳ ଆଇ. ଜି. ଅଫ୍ ପୋଲିସ୍ ଜୟ ନାରାୟଣ, ଡଜି. ଆଇ. ଜି. ଅଫ୍ ପୋଲିସ୍ ତଥା ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡଃ. ସାର୍ଥକ ଷଡଙ୍ଗୀ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ବୌଦ୍ଧ ଜିଲ୍ଲାପାଳ ଜେ. ସୋନାଲ, କନ୍ଧମାଳ ଜିଲ୍ଲାପାଳ ଆଶୀଷ୍ ଇଶ୍ୱର ପାଟିଲ, ଗଜପତି ଜିଲ୍ଲାପାଳ ସ୍ମତି ରଞ୍ଜନ ପ୍ରଧାନ, ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଜଗ ମୋହନ ମୀନା ଏବଂ କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର, ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସ୍ୱାତୀ ଏସ୍. କୁମାର, ବୌଦ୍ଧ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ, ସମସ୍ତ ଜିଲ୍ଲାର ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.