ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥ ଶିବ କୁମାର ପଟ୍ଟନାୟକ ରିଡ଼ିଙ୍ଗରୁମ୍ରେ ତେଲୁଗୁ ସାଂସ୍କୃତିକ ସଂଗଠନ ଆନୁକୂଲ୍ୟରେ ତେଲୁଗୁ ନବବର୍ଷ ଉଗାଦି ବର୍ଣ୍ଣାଢ଼୍ୟ ସମାରୋହରେ ମଙ୍ଗଳବାର ପାଳିତ ହୋଇଯାଇଛି । ବିଧିବଦ୍ଧ ଭାବେ ଯଥାରୀତିରେ ପୂଜାର୍ଚ୍ଚନା ସହ ନୂତନ ତେଲୁଗୁ ପଞ୍ଜିକା – ୨୦୨୪ର ଫଳାଫଳ ଦେଶ ପାଇଁ ଓ ପୃଥିବୀ ପାଇଁ କଣ ଶୁଭାଶୁଭ ରହିଛି, ସେ ସମ୍ପର୍କରେ ତେଲୁଗୁ ପାନ୍ତୁଲୁଗାରୁ ବିସ୍ତୃତ ବ୍ୟାଖ୍ୟା କରି ସୁଧିଜନଙ୍କୁ ଆଲୋକପାତ କରିଥିଲେ । ପରେ ତେଲୁଗୁ ମହିଳା ଗୋଷ୍ଠୀଙ୍କ ଦ୍ୱାରା ସାମୂହିକ ସ୍ତୋତ୍ର ପାଠ, ବେଦ ପାଠ ଆଦି ଅନୁଷ୍ଠିତ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଆନୁଷ୍ଠାନିକ ସଭା, ବରେଣ୍ୟ ବ୍ୟକ୍ତି ବିଶେଷ୍ୟଙ୍କୁ ଏବଂ ସ୍ଵେଚ୍ଛାସେବୀଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରି ଉତ୍ସାହିତ କରଯାଇଥିଲା । କାର୍ଯ୍ୟକ୍ରମରେ ରାଙ୍ଗା ଭାଟ୍ଟାଲା ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଏବଂ ରମଣୀ ରାଓ, ଆର୍. ସୁମତୀ ରେଡ୍ଡୀ ପ୍ରମୁଖ ଛତ୍ରପୁର ତେଲୁଗୁ ସାଂସ୍କୃତିକ ସଂଗଠନର କର୍ମକର୍ତ୍ତା ଯୋଗଦେଇ ତେଲୁଗୁ ନବବର୍ଷ ଉଗାଦି ପାଳନର ମହତ୍ତ୍ଵ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆଡ୍ଭୋକେଟ୍ ବି. ଶ୍ରୀନିବାସ ରାଓ ସଂଯୋଜନା ଓ ପରିଚାଳନା କରିଥିଲେ । ଶେଷରେ ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇ ଦର୍ଶକଙ୍କୁ ବିମୋହିତକର ଭଳି ଉତ୍ସାହ ଭରା କାର୍ଯ୍ୟକ୍ରମ ମାଧ୍ୟମରେ ସମାହିତ ହୋଇଥିଲା ।