ସାମ୍ବାଦିକମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅଣଦେଖା ପ୍ରତିବାଦରେ ଆଜିଠାରୁ ସାରା ରାଜ୍ୟରେ ସାମ୍ବାଦିକଙ୍କ କଳାବ୍ୟାଚ ପରିଧାନ

ବଣାଇ, (ହବିବ ମହମ୍ମଦ ଖାନ) : ସାମ୍ବାଦିକମାନଙ୍କ ନ୍ୟାୟିକ ଦାବୀ ନେଇ ବାରମ୍ବାର ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ରାଜ୍ୟ ସରକାର ଯଥୋଚିତ ଦାବୀକୁ ଅଣଦେଖା କରିବା ଘଟଣାକୁ ଗୁରୁତର ଭାବେ ନେଇଛି ରାଜ୍ୟର ସର୍ବପୁରାତନ ଉତ୍କଳ ସାମ୍ବାଦିକ ସଂଘର ସଦସ୍ୟ । ଏହି ପରିପ୍ରେକ୍ଷୀରେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ନିର୍ଦ୍ଦେଶ କ୍ରମେ ଆଜିଠାରୁ ରାଜ୍ୟର ସମସ୍ତ କର୍ମରତ ସାମ୍ବାଦିକମାନେ କଳାବ୍ୟାଚ ପରିଧାନ କରି କାର୍ଯ୍ୟ ନିର୍ବାହ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଉତ୍କଳ ସାମ୍ବାଦିକ ସଂଘ ନେତୃତ୍ଵରେ ବିଗତ ଦିନରେ ନ୍ୟାୟ ସଙ୍ଗତ ୫ ଦଫା ଦାବୀ ଯଥା ବୟସ୍କ ସାମ୍ବାଦିକଙ୍କୁ ଅବସରକାଳୀନ ଭତ୍ତା ପ୍ରଦାନ, ବ୍ଲକସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ସାମ୍ବାଦିକଙ୍କୁ ଅଧିସ୍ଵୀକୃତି ପ୍ରଦାନ, ରାଜ୍ୟରେ ପ୍ରେସ ଏକାଡେମୀ ଗଠନ, ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଇତ୍ୟାଦି ଦାବୀ ନେଇ ସଂଘ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ଏବଂ ତୁରନ୍ତ ଏହାର ବିଚାର କରି ପଦକ୍ଷେପ ଗ୍ରହଣ ନେଇ ପ୍ରତିଶୃତି ମଧ୍ୟ ମିଳିଥିଲା । ହେଲେ ଆସନ୍ନ ନିର୍ବାଚନ ପାଇଁ ରାଜ୍ୟ ସରକାର ସମସ୍ତଙ୍କ ପାଇଁ ଅନୁଦାନର ପେଡ଼ି ଖୋଲିଦେଇ ସାମ୍ବାଦିକମାନଙ୍କ କଥା ସମ୍ପୂର୍ଣ୍ଣ ଭୁଲି ଯାଇଛନ୍ତି । ଏହିକ୍ରମରେ ଉତ୍କଳ ସାମ୍ବାଦିକ ସଂଘର ସୁନ୍ଦରଗଡ଼ ଜିଲ୍ଲା ଶାଖା ସଭାପତି ପ୍ରଦୀପ ତ୍ରିପାଠୀଙ୍କ ନେତୃତ୍ଵରେ ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ସାମ୍ବାଦିକ କଳାବ୍ୟାଚ ପରିଧାନ କରି ପ୍ରତିବାଦ ଜଣାଇଛନ୍ତି । ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ନଦେଲେ ନିର୍ବାଚନ ସମୟରେ ମଧ୍ୟ ଏହି ପ୍ରତିବାଦ ଜାରି ରଖି ଦାୟିତ୍ଵ ବହନ କରିବା ସହିତ ଆବଶ୍ୟକ ସ୍ଥଳେ ବିରୋଧାତ୍ମକ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲାର ବଣାଇ, ଲହୁଣିପଡ଼ା, କୋଇଡ଼ା, ରାଉରକେଲା ଅଞ୍ଚଳର ଶତାଧିକ ସାମ୍ବାଦିକ ଆଜିଠାରୁ ଏଭଳି ପ୍ରତିବାଦ ଆରମ୍ଭ କରିଥିବା ନେଇ ଉତ୍କଳ ସାମ୍ବାଦିକ ସଂଘ ସୁନ୍ଦରଗଡ଼ ଜିଲ୍ଲା ସଭାପତି ପ୍ରଦୀପ ତ୍ରିପାଠୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

7 + eight =