ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଆର୍ଟିଓ କାର୍ଯ୍ୟାଳୟରେ ଅବସ୍ଥାପିତ ଜନୈକ ଡାଟା ଏଣ୍ଟ୍ରି ଅପରେଟର ଗୌରହରି ପାଢ଼ୀ ୧୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଯାହାକି, ବ୍ରହ୍ମପୁର ଦୁର୍ନୀତି ନିବାରଣ ମଣ୍ଡଳ ପକ୍ଷରୁ ଚଢ଼ାଉ ବେଳେ ତାଙ୍କଠାରୁ ନଗଦ ୧୨ ହଜାର ଟଙ୍କା ଜବତ କରାଯାଇଥିବା ବେଳେ ତାଙ୍କୁ ଗିରଫ କରାଯାଇଛି ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଏ । ଘଟଣା ସଂପର୍କରେ ସୂଚନା ଥାଉକି କୋଭିଡ-୧୯ ବେଳେ ୨୦୨୦ ଏପ୍ରିଲ ପହିଲାରୁ ୨୦୨୨ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ୨ଟି ଯାନ-ବାହନର ଟିକସ ବାବଦରେ ପଡ଼ିଥିବା ଜୋରିମାନା ଛାଡ଼ କରିଦେବେ ବୋଲି କହି ୧୨ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଡାଟା ଏଣ୍ଟ୍ରି ଅପରେଟର ପାଢ଼ୀ ଲାଞ୍ଚ ମାଗୁଥିବା ନେଇ ଜଣେ ବ୍ୟକ୍ତି ବ୍ରହ୍ମପୁର ଭିଜିଲାନ୍ସଠାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସ ଟିମ୍ ଛତ୍ରପୁରର ଗଞ୍ଜାମ ଆର.ଟି.ଓ. କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଅଭିଯୁକ୍ତର ହାତରୁ ଲାଞ୍ଚ ନେଇ ସେ ଆଜି ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଏନେଇ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଏକ ମାମଲା (ନମ୍ବର ୨/୨୪) ରୁଜୁ କରି ଏହି ଚଢ଼ାଉ କରିଥିଲେ । ତାଙ୍କର ଘର ଉପରେ ମଧ୍ୟ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିବା ସୂଚନା ଦିଆଯାଇଛି । ଏସମ୍ପର୍କରେ ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ ପ୍ରେସ-ବିଜ୍ଞପ୍ତିରେ କୁହାଯାଇଛି ।