ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ଆୟୋଜିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଅମର ତାଣ୍ଡିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବକୁ ଡୁଙ୍ଗୁରିପାଲି ସହ ଗୋଷ୍ଠୀ ଶିକ୍ଷାଧିକାରୀ ବଟକୃଷ୍ଣ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଗଜବନ୍ଧ ପଂଚାୟତର ପୂର୍ବତନ ସରପଞ୍ଚ ବଲ୍ଲଭ ଖେତୀ, ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କିଶୋର ଝାଙ୍କର, ସିଆର୍ସିସି ନରେନ୍ଦ୍ର ପୁରୋହିତ ଯୋଗଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ପିତାମ୍ବର ପାଣ୍ଡିଆ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଭାଷା, ସାହିତ୍ୟ ଓ ସୃଜନଶୀଳତାର ବିକାଶ ପାଇଁ ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ନିରନ୍ତର ପ୍ରଚେଷ୍ଟା ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାଷଣ, କୁଇଜ, ଚିତ୍ରାଙ୍କନ, ପ୍ରକଳ୍ପ, ଗୀତ, ନାଚ ପ୍ରତିଯୋଗିତା ଉଭୟ କନିଷ୍ଠ ଓ ବରିଷ୍ଠ ବର୍ଗରେ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ପ୍ରତିଯୋଗିତାର ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣ ପତ୍ର ସହ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ଚିତ୍ରାଙ୍କନ, ଓଡ଼ିଆ ଲେଖା ଓ ଓଡ଼ିଆ ପୁସ୍ତକ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା । ଶିକ୍ଷକ ସଞ୍ଜୟ ଭୋଇ, ଦିବାକର ବଢ଼େଇ, ଗୋବିନ୍ଦ ସାହୁ, ଶିକ୍ଷୟିତ୍ରୀ ଲଳିତା ଭୁଏ, ବନିତା ବେହେରା, ଲକି ସାହୁ, ଅଭିଭାବକ, ଅଭିଭାବିକା, ପାଚକ, ପାଚିକା ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ପ୍ରଶାନ୍ତ ଜ୍ୟୋତି ପ୍ରଧାନ ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷୟିତ୍ରୀ ମାନସୀ ନାଗ ଧନ୍ୟବାଦ ଅର୍ପଣ କରିଥିଲେ ।