କଳାହାଣ୍ଡି, (ହେମନ୍ତ ସାହୁ) : ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ ବ୍ୟକ୍ତିଙ୍କ ପାଇଁ ଦେବଦୂତ ସାଜି ରକ୍ଷା କରିବା ସହ ବିପଦ ସମୟରେ ମାନବିକତା ଦେଖାଇଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର । ଆଜି ଦିନ ୨ଟା ସମୟରେ ସେରଗଡ ତାରିଣୀ ମନ୍ଦିର ପୂର୍ବରୁ ଏକ ବାଇକ୍ ଓ ସାଇକେଲ ଆରୋହୀଙ୍କ ମଧ୍ୟରେ ଦୁର୍ଘଟଣା ଘଟିଥିଲା । ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ଅବିନାଶ ଠାକୁର ସେହି ରାସ୍ତାରେ ଯାଉଥିବା ବେଳେ ଲୋକ ରୁଣ୍ଡ ହୋଇଥିବା ଦେଖି ଅଟକି ଥିଲେ । ଦୁର୍ଘଟଣାରେ ଗୁରୁତର ଆହାତ ହୋଇଥିବା ସାଇକେଲ ଆରୋହୀଙ୍କ ପାଇଁ ଶୀଘ୍ର ଆମ୍ବୁଲାନ୍ସକର ବନ୍ଦୋବସ୍ତ ହୋଇପାରିନଥିଲା । ତେଣୁ ଶ୍ରୀ ଠାକୁର ତାଙ୍କ ନିଜ ଗାଡିରେ ଆହତଙ୍କୁ ନେଇ ମଦନପୁର ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ସେ ମୁଡିଂ ପଞ୍ଚାୟତ ଡଙ୍ଗାପଟା ଗାଁର ପଙ୍କଜ ମାଝି ବୋଲି ତାଙ୍କ ପରିଚୟ ଜଣାପଡିଛି । ବାଇକ୍ ସହିତ ଦୁର୍ଘଟଣା ଯୋଗୁଁ ତାଙ୍କ ମୁଣ୍ଡରେ ଏବଂ ଅଣ୍ଟାରେ ଆଘାତ ହୋଇଛି । ଶ୍ରୀ ଠାକୁରଙ୍କର ଏହିଭଳି ମାନବଧର୍ମୀ ସେବା କାର୍ଯ୍ୟ ପାଇଁ ବିଭିନ୍ନ ମହଲରେ ଭୂୟସୀ ପ୍ରଶଂସା କରାଯାଇଛି ।