ଲୋଇସିଂହା, (ବିମଳେନ୍ଦୁ ସାହୁ) : ଶ୍ରୀଜଗନ୍ନାଥ ସଂସ୍କୃତି ହେଉଛି ଅନନ୍ୟ, ସମଗ୍ର ବିଶ୍ଵରେ ଅତୁଳନୀୟ । ଏଠି ଜାତି, ବର୍ଣ୍ଣର ଭେଦଭାବ ନାହିଁ । ଏହା ଏକ ସମନ୍ଵୟର ସଂସ୍କୃତି ବୋଲି ଆଗଲପୁର ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଶ୍ରୀଜଗନ୍ନାଥ ସଂସ୍କୃତି ଆଲୋଚନାଚକ୍ରରେ ବିଶିଷ୍ଟ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ବିଦ୍ୟାଳୟର ଅଧ୍ୟକ୍ଷ ମନ୍ତ୍ରୀ ମେହେରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଆଲୋଚନାଚକ୍ରରେ ପୂର୍ବତନ ଅଧ୍ୟକ୍ଷ ଜୟନ୍ତ କୁମାର ସିଂହଦେଓ ମୁଖ୍ୟ ଅତିଥି ଏବଂ ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ ରୋତ୍ର ଓଡ଼ିଆ ଅଧ୍ୟାପକ ଡକ୍ଟର ଲିଙ୍ଗରାଜ ମେହେର ମୁଖ୍ୟବକ୍ତା ଭାବେ ଯୋଗଦେଇ ଥିଲେ । ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ନୋଡାଲ ଅଫିସର ଡକ୍ଟର ଶେଷ ମେହେର । ‘ନୂଆ-ଓ’ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଆଲୋଚନା ଚକ୍ର ସମାପ୍ତି ପରେ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଅଧ୍ୟାପିକା ସୁଶ୍ରୀ ସୁନେଲି ମେହେର ଏବଂ ସହଯୋଗ କରିଥିଲେ ଅଧ୍ୟାପିକା ସୁଶ୍ରୀ ଦେବକୀ ନାଏକ ଓ ଡିଲେଶ୍ଵରୀ ନାଏକ । ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପକ ରାଜେଶ କୁମାର ରାୟ । ସୂଚନାଯୋଗ୍ୟ ଯେ ଏହି କାର୍ଯ୍ୟକ୍ରମ ଅବସରରେ ଛାତ୍ରଛାତ୍ରୀଙ୍କୁ ନେଇ କବିତା ପାଠ, ଗଳ୍ପକଥନ, ଓଡ଼ିଆ ଭଜନ ଗାନ, ବ୍ୟାକରଣ ଦକ୍ଷତା, ଭକ୍ତିଗୀତ ପାଠ, ପ୍ରବନ୍ଧ, ବକ୍ତୃତା, ଓଡ଼ିଆ ହସ୍ତାକ୍ଷର, କୁଇଜ୍, ଓଡ଼ିଆ ଲୋକନୃତ୍ୟ ଓ ଓଡ଼ିଆ ଗୀତ ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।