‘ନୂଆ-ଓ’ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତାର ଉଦ୍‌ଘାଟନୀ ସଭା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାଷା ବଞ୍ଚିଲେ ଜାତି ବଞ୍ଚିବ, ଓଡ଼ିଆ ଜାତିର ଟେକ ରଖିବାକୁ ହେଲେ ଆମ ମାତୃଭାଷାକୁ ବଞ୍ଚାଇବାକୁ ହେବ । ଆମ ଭାଷା, ଆମ ସଂସ୍କୃତି, ଆମ ଜଗନ୍ନାଥ ସଂସ୍କୃତି ଜଗତରେ ବିରଳ । ଓଡ଼ିଆ ଭାଷା ଓ ସାହିତ୍ୟର ସୁରକ୍ଷା କରିବା ଦିଗରେ ଆମ୍ଭେ ଯଥେଷ୍ଟ ଭାବେ ଉଦ୍ୟମ ଜାରି ରଖିବା ଜରୁରୀ ବୋଲି ବକ୍ତାମାନେ ମତ ପ୍ରକାଶ କରିଛନ୍ତି । ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କ ‘ନୂଆ- ଓ’ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତାର ଉଦ୍‌ଘାଟନୀ ସଭା ମଙ୍ଗଳବାର ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ ।
ମୁଖ୍ୟବକ୍ତା ଭାବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦକ୍ଷିଣାଞ୍ଚଳ କାର୍ଯ୍ୟାଳୟର ଉପ-ସଚିବ ଡ. କୁଳମଣି ଓଝା, ଆଞ୍ଚଳିକ ନିର୍ଦ୍ଦେଶକ ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ, ଆଞ୍ଚଳିକ ନିର୍ଦ୍ଦେଶକ ସୁଶାନ୍ତ ଦାସ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଭାଷା ସାହିତ୍ୟର ସୁରକ୍ଷା ଦିଗରେ ଗୁରୁତ୍ୱ ପ୍ରତିପାଦନ କରିଥିଲେ । ପ୍ରାରମ୍ଭରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ ହୋଇଥିବା ବେଳେ ଅଧ୍ୟାପକ ଡ. ଇମିତିହାନ୍ ଶାହା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପ୍ରମୋଦ କୁମାର ତ୍ରିପାଠୀ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ଶେଷରେ ଅଧ୍ୟାପିକା ଡ଼ଃ. ଶାନ୍ତିଲତା ବେହେରା ଧନ୍ୟବାଦ ଜ୍ଞାପନ କରିଥିଲେ । ଶେଷରେ ଯୁକ୍ତତିନି ଛାତ୍ରୀ ଯଶ୍ମୀନ ସାମନ୍ତରାୟ ଓ ଯୁକ୍ତଦୁଇ ଛାତ୍ରୀ ମହିମା ବେହେରା ପ୍ରମୁଖ ଓଡ଼ିଶୀ ନୃତ୍ୟ ପରିବେଷଣ କରି ସୁଧିବୃନ୍ଦଙ୍କୁ ମୁଗ୍ଧ କରି ଦେଇଥିଲେ ।

Leave A Reply

Your email address will not be published.