ମାୟାବର୍ହା ହାଇସ୍କୁଲରେ ସୃଜନଶୀଳତା ଉତ୍ସବ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମାୟାବର୍ହା ହାଇସ୍କୁଲରେ ସୃଜନଶୀଳତା ଉତ୍ସବ ଆୟୋଜିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ପଶାୟତ ଭବ୍ୟ ସଭାରେ ଅଧ୍ୟକ୍ଷତା କରିଥିଲେ । ଉଦ୍‌ଜାପାନୀ ଉତ୍ସବରେ ସୋନପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତରୁଣ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସୃଜନଶୀଳତା ଉତ୍ସବ ଛାତ୍ରଛାତ୍ରୀମାନଙ୍କ ସୃଜନୀର ପରିସ୍ଫୁଟନ ବୋଲି ମତବ୍ୟକ୍ତ କରିଥିଲେ । ପରିଚାଳନା କମିଟି ସଭାପତି ଘାସିରାମ ସାହୁ, ପ୍ରତିଷ୍ଠାତା ସମ୍ପାଦକ ଶାନ୍ତନୁ ପ୍ରଧାନ ଏବଂ ସିଂହିଯୁବା ହାଇସ୍କୁଲର ପ୍ରଧାନଶିକ୍ଷକ ଭରତ ସାହୁ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ମତବ୍ୟକ୍ତ କରିଥିଲେ । ସାହିତ୍ୟ ସୃଜନୀ, ଜିଜ୍ଞାସା, କୌଶଲୀ, କ୍ରୀଡ଼ାଙ୍ଗନ ଦଳର କୌଶଳ ତଥା ଜ୍ଞାନ ଆଧାରିତ ପ୍ରକଳ୍ପ, କବିତା ପାଠ, ଗଳ୍ପ କଥନ, ପ୍ରବନ୍ଧ ସମୀକ୍ଷା, ଯୋଗାଭ୍ୟାସ ସମୂହର ପ୍ରଦର୍ଶନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବେଣୁଧର ଚୌଧୁରୀ, ଭୋଳନାଥ ଛତର, ମୋ ସ୍କୁଲ ଅଭିଯାନ କମିଟିର ସଭାପତି ସତ୍ୟ ନାରାୟଣ ପଧାନ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ହିନ୍ଦୀ ଶିକ୍ଷକ ନନ୍ଦିଘୋଷ ବାରିକ ସ୍ୱାଗତ ଅଭିଭାଷଣ କରିଥିବା ବେଳେ ଖେଳ ଶିକ୍ଷକ ପ୍ରହଲ୍ଲାଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସଞ୍ଜୀବ ପୂଜାରୀ, ମିନକେତନ ଦାଶ, ବିଭିଷଣ ଖମାରୀ, ସମୀର, ସୁରଜ, କିରଣ ଓ ଲିପି ସହଯୋଗ କରିଥିଲେ ।

Leave A Reply

Your email address will not be published.