ବଲାଙ୍ଗିର, (କେପିଏନ୍ଏସ୍) : ଶନିବାର ଦିନ ଦିଲ୍ଲୀ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ସ୍କୁଲ ପରିସରରେ ଅନୁଷ୍ଠିତ ହୋଉଯାଇଛି । ଉତ୍ସବଟି ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ଡ଼ଃ ପ୍ରଦୀପ କୁମାର ଷଡ଼ଙ୍ଗୀଙ୍କର ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥି ଭାବରେ ଜିଲ୍ଲାର ପୂର୍ବତନ ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ଜ୍ୟୋତିର୍ମୟୀ ସାହୁ ଏବଂ ସମ୍ମାନିତ ଅତିଥି ଭାବରେ ଶ୍ରୀମତୀ ପି. ଆର୍. ଷଡ଼ଙ୍ଗୀ ଯୋଗଦାନ ଦେଇଥିଲେ । ଉତ୍ସବଟିର ପ୍ରାରମ୍ଭରେ ବିଦ୍ୟାଳୟର ଶିକ୍ଷୟତ୍ରୀ କବିତା ମୁଗ୍ରୀ ଅତିଥିମାନଙ୍କ ସ୍ୱାଗତ କରିବା ସହିତ ତାଙ୍କର ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ସଞ୍ଜନା ବାଲି ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ପୁରସ୍କାର ବିତରଣୀ ଅବସରରେ ବିଦ୍ୟାଳୟର ଛାତ୍ର ସାହିଲ ମେହେରଙ୍କୁ (ମାଷ୍ଟର ଡିପିଏସ୍) ଏବଂ ଛାତ୍ରୀ ଏଲିଶା ଡୁଙ୍ଗଡୁଙ୍ଗ (ମିସ ଡିପିଏସ୍) ଭାବରେ ମନୋନୀତ ଓ ପୁରସ୍କୃତ ହୋଇଥିଲେ ।ଏହି ଅବସରରେ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ରାଜେନ୍ଦ୍ର ବାରିକ, ମିନାକ୍ଷୀ ବାରିକ, ପ୍ରହ୍ଲାଦ ସା ଓ ଅନ୍ୟାନ୍ୟ ଶିକ୍ଷକମାନଙ୍କ ନିର୍ଦେଶନାରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଚମତ୍କାର ନୃତ୍ୟ ଓ ଏକ କ୍ଷୁଦ୍ର ନାଟକ ପରିବେଷଣ କରିଥିଲେ । ବିଦ୍ୟାଳୟର ନିର୍ଦେଶକ ଅରୁଣ ମିଶ୍ରଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ସମ୍ପାଦିତ ହୋଇଥିଲା । ଉତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସୁଚାରୁ ରୂପେ ପରିଚାଳନା କରିଥିଲେ । ପରିଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ମଧୁମିତା ସୁନା ଧନ୍ୟବାଦ ଅର୍ପଣ କରିବା ପରେ ଉତ୍ସବଟି ସମାପିତ ହୋଇଥିଲା ।