ବାବେବିରାଠାରେ ସ୍ୱର୍ଗତ ଖିରେଶ୍ୱର ନାଏକଙ୍କ ୫ମ ଶ୍ରାଦ୍ଧ ବାର୍ଷିକୀ ସ୍ମୃତି ଚାରଣ ସଭା ଓ ବନ୍ଧୁ ମିଳନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁଲୁଣ୍ଡା ପଞ୍ଚାୟତ ବାବେବିରାଠାରେ ଓଡିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ଜାତୀୟ କୃଷକ ଦିବସ ଅବସରରେ ସଂଗଠନ ସଭାପତି ଷଢାନନ ଭୋଇଙ୍କ ଅଧ୍ୟକ୍ଷତାରେ ସ୍ୱର୍ଗତ ଖିରେଶ୍ଵର ନାଏକଙ୍କ ୫ମ ଶ୍ରାଦ୍ଧ ବାର୍ଷିକୀ ସ୍ମୃତି ଚାରଣ ସଭା ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି । ସର୍ବ ପ୍ରଥମେ ସ୍ୱର୍ଗତ ଖିରେଶ୍ଵର ନାଏକ, ସ୍ୱର୍ଗତ ଅରକ୍ଷିତ ନାଏକ ଓ ସ୍ୱର୍ଗତ ମାଳତୀ ନାଏକଙ୍କ ତୈଳ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୁର୍ବକ ଧୂପ ଦ୍ଵୀପ ପ୍ରଜ୍ୱଳନ କରି ଦିବଙ୍ଗତମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା ସହ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ଏଥିରେ ସଂଗଠନର ବରିଷ୍ଠ ଉପଦେଷ୍ଟା ତଥା ବାରପାହାଡ ଟାଇଗର ଭାବେ ପରିଚିତ ବୃଷଭାନୁ ସାହୁ, ସଂଗ୍ରାମୀ ଚାଷୀ ନେତା ଦୟା ସାଗର ଭୋଇ, ବ୍ଲକ୍ ସଭାପତି ହାରା ଦନ ପ୍ରଧାନ, ସମ୍ପାଦକ ଲୋକେଶ୍ଵର ପ୍ରଧାନ, ପ୍ରକାଶ ନାଏକ, ଭିକାରୀ ଚରଣ ବାରିକ, ବସନ୍ତ ବାରିକ ପ୍ରମୁଖ ସକ୍ରିୟ ଯୋଗ ଦେଇ ନିମନ୍ତ୍ରିତ ବୟୋ ଜ୍ୟେଷ୍ଠମାନଙ୍କୁ ଅତିଥି ସତ୍କାର କରାଯାଇଥିଲା । ଏହି ଅବସରରେ ସଂଗଠନ ପକ୍ଷରୁ ଗ୍ରାମର ବୟୋଜ୍ୟେଷ୍ଠ ଧନପତି ଗରିଆ ଓ ବରିଷ୍ଠ ସାମ୍ବାଦିକ ନବୀନ କୁମାର ଦାଶଙ୍କୁ ଫୁଲ ଚନ୍ଦନ ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ବାବେବିରା ଗ୍ରାମର ବହୁ ବୟୋଜ୍ୟେଷ୍ଠ ମହିଳା ଓ ପୁରୁଷମାନେ ଯୋଗ ଦେଇ ଆନନ୍ଦ ଉଲ୍ଲାସର ସହ ‘ଏକତା ହିଁ ବଳ” ର ଉଦାହରଣ ସୃଷ୍ଟି କରିଥିଲେ । ନିଜ ନିଜ ଭିତରେ ଭାବ ବିନିମୟ ସହ ଦିବଙ୍ଗତମାନଙ୍କ ସ୍ମୃତି ଚାରଣ ଉଦ୍ଧେଶ୍ୟରେ ନିଜ ନିଜର ବକ୍ତବ୍ୟ ରଖିବା ସହ ଏକ ଚାରା ରୋପଣ କରାଯାଇଥିଲା । ପରିଶେଷରେ ସଂଗଠନର ସମ୍ପାଦକ ଲୋକେଶ୍ଵର ପ୍ରଧାନ ଚାଷ ଓ ଚାଷୀ ଉନ୍ନତି ସାଧନ ନିମନ୍ତେ ସମସ୍ତେ ଏକ ହୋଇ ଲଢି ନିଜ ହକ୍ କୁ ଦୁର୍ନୀତି ଖୋର୍ ତଥା ଚାଷୀ ମାରଣ ସରକାରଠାରୁ ଛଡେଇ ନେବାକୁ ହେବ ବୋଲି କହି ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.